ଭିଜିଲାନ୍ସ ଜାଲରେ ସ୍ୱାସ୍ଥ୍ୟକର୍ମୀ
ସମ୍ବଲପୁର : ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ସ୍ୱାସ୍ଥ୍ୟକର୍ମୀ । ମୃତ୍ୟୁ ପ୍ରମାଣପତ୍ର ପ୍ରସ୍ତୁତି ପାଇଁ ଫାଇଲ୍ ଆଗକୁ ବଢ଼ାଇବାକୁ ସେ ଜଣେ ଆବେଦନକାରୀଙ୍କଠାରୁ ୭ ହଜାର ଟଙ୍କା ଲାଞ୍ଚ ନେଉଥିଲେ । ସମ୍ବଲପୁର ଜିଲ୍ଲା ଠେମରା ସିଏଚସି ର ସ୍ୱାସ୍ଥ୍ୟକର୍ମୀ ହରିହର ପ୍ରଧାନଙ୍କୁ ଧରିଛି ଭିଜିଲାନ୍ସ ।
ସୂଚନା ଅନୁସାରେ, ଆବେଦନକାରୀ ନିଜ ମୃତ ଅଜାଙ୍କ ମୃତ୍ୟୁ ପ୍ରମାଣପତ୍ର ପାଇଁ ସରକାରୀ ନିୟମ ଅନୁଯାୟୀ ଆବଶ୍ୟକ କାଗଜପତ୍ର ସହ ପ୍ରାୟ ୬ ମାସ ତଳେ ଆବେଦନ କରିଥିଲେ । ହେଲେ ବାରମ୍ବାର ଅନୁରୋଧ ସତ୍ତ୍ୱେ ହରିହର ପ୍ରଧାନ ଫାଇଲ୍ ଆଗକୁ ବଢ଼ାଉ ନଥିବା ଅଭିଯୋଗ ହୋଇଥିଲା । ଏହା ପରେ ପ୍ରମାଣପତ୍ର ପ୍ରସ୍ତୁତି ପାଇଁ ସେ ୭ ହଜାର ଟଙ୍କା ଲାଞ୍ଚ ଦାବି କରିଥିବା ଆବେଦନକାରୀ ଅଭିଯୋଗ କରିଥିଲେ । ଏହା ପରେ ଗୁରୁବାର ଭିଜିଲାନ୍ସ ଟିମ୍ ଯୋଜନା ମୁତାବକ ଚଢ଼ାଉ କରି ହରିହର ପ୍ରଧାନଙ୍କୁ ଲାଞ୍ଚ ଟଙ୍କା ଗ୍ରହଣ କରୁଥିବା ବେଳେ ଧରିଥିଲେ । ତାଙ୍କଠାରୁ ସମ୍ପୂର୍ଣ୍ଣ ୭ ହଜାର ଟଙ୍କା ଜବତ କରାଯାଇଛି । ଏହି ଘଟଣାରେ ଭିଜିଲାନ୍ସ ପକ୍ଷରୁ ପରବର୍ତ୍ତୀ ଆଇନଗତ ତଦନ୍ତ ଜାରି ରହିଛି । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ହରିହର ପ୍ରଧାନଙ୍କ ଦୁଇଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ ଜାରି ରହିଛି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
