26/11 Mumbai Terror Attacks: ଆଜି ବି ଲିଭିନି ୧୮ ବର୍ଷ ତଳର କ୍ଷତ, ୬୦ ଘଣ୍ଟା ଧରି ଚାଲିଥିଲା ଆତଙ୍କବାଦୀଙ୍କ ନରସଂହାର

Nov 26, 2026 - 14:12
26/11 Mumbai Terror Attacks: ଆଜି ବି ଲିଭିନି ୧୮ ବର୍ଷ ତଳର କ୍ଷତ, ୬୦ ଘଣ୍ଟା ଧରି ଚାଲିଥିଲା ଆତଙ୍କବାଦୀଙ୍କ ନରସଂହାର

୧୮ ବର୍ଷ ବିତିଗଲା...ଆଜି ବି ସେକଥା ମନେ ପଡ଼ିଲେ ଛାତି ଥରି ଉଠେ।

ଅଜଣା ଆତଙ୍କ ଗୋଡ଼ାଏ, ଆଖିରେ ଭରିଯାଏ ଲୁହ।

କ୍ୟାଲେଣ୍ଡରର ପୃଷ୍ଠା ବଦଳିଯାଏ, କିନ୍ତୁ କିଛି କ୍ଷତ ଏମିତି ଥାଏ ଯାହା କେବେ ଶୁଖେ ନାହିଁ।

ଆଜି ନଭେମ୍ବର ୨୬।

ଭାରତୀୟ ଇତିହାସର ସେହି କଳା ଦିନକୁ ଆଜି ପୁରା ୧୮ ବର୍ଷ ପୂରିଛି।

Advertisment ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ।

୨୦୦୮ ମସିହାର ଆଜିର ଏହି ରାତିରେ, ଯେତେବେଳେ ମାୟାନଗରୀ ମୁମ୍ବାଇ ନିଜର ଚିରାଚରିତ ବ୍ୟସ୍ତତା ଭିତରେ ଶୋଇବାକୁ ଯାଉଥିଲା, ଠିକ୍ ସେତିକିବେଳେ ସମୁଦ୍ର ପଥ ଦେଇ ଆସିଥିବା ମୃତ୍ୟୁର ସୌଦାଗରମାନେ ରଚିଥିଲେ ରକ୍ତର ହୋଲି।

କେଉଁଠି ଗୁଳିର ଶବ୍ଦ, ତ କେଉଁଠି ବିସ୍ଫୋରଣ।

ତାଜ୍ ହୋଟେଲରେ ତାଣ୍ଡବ, ଛତ୍ରପତି ଶିବାଜୀ ଟର୍ମିନସରେ ମୃତ୍ୟୁର ବିଭୀଷିକା।

ଓବେରୟ ହୋଟେଲରୁ ନରିମାନ ହାଉସ୍।

ଚାରିଆଡ଼େ ଖେଳିଯାଇଥିଲା ଆତଙ୍କ।

ପ୍ରାୟ ୬୦ ଘଣ୍ଟା ଧରି ଚାଲିଥିଲା ଆତଙ୍କବାଦୀଙ୍କ ଏହି ନରସଂହାର।

ଯେଉଁଥିରେ ଚାଲି ଯାଇଥିଲା ୧୬୬ ନିରୀହ ଜୀବନ।

ଯେଉଁଥିରେ ଅନେକ ବିଦେଶୀ ନାଗରିକ ମଧ୍ୟ ସାମିଲ ଥିଲେ।

୩୦୦ରୁ ଅଧିକ ଆହତ ହୋଇଥିଲେ।

Advertisment ଦେଶ ହରାଇଥିଲା ଅନେକ ବୀର ସୁରକ୍ଷାକର୍ମୀଙ୍କୁ।

୧୮ ବର୍ଷ ପରେ ଆଜି ସାରା ଦେଶ ସେହି ବୀର ସହିଦମାନଙ୍କୁ ଝୁରୁଛି, ଯେଉଁମାନେ ନିଜ ଜୀବନକୁ ବାଜି ଲଗାଇ ଦେଶର ଅସ୍ମିତାକୁ ରକ୍ଷା କରିଥିଲେ।

ଏଥିରେ ସୁରକ୍ଷାକର୍ମୀଙ୍କ ଅପରେସନରେ ନିହତ ହୋଇଥିଲେ ୧୦ ଆତଙ୍କବାଦୀ।

ଜୀବିତ ଧରାପଡ଼ିଥିଲା ଆତଙ୍କବାଦୀ କସାବକୁ ଫାଶୀ ମିଳିସାରିଛି।

ଡେଭିଡ୍ ହେଡଲି ଆମେରିକାରେ ୩୫ ବର୍ଷର ଜେଲ୍ ଦଣ୍ଡ ଭୋଗୁଛି।

ଅନ୍ୟତମ ଷଡ଼ଯନ୍ତ୍ରକାରୀ ତହୱୁର ରାଣାକୁ ଆମେରିକାରୁ ଭାରତ ଅଣାଯାଇ ଆଇନଗତ କାର୍ଯ୍ୟାନୁଷ୍ଠାନ ଆଗକୁ ବଢ଼ିଛି।

କେବଳ ସେତିକି ନୁହେଁ, ୨୬/୧୧ରୁ ଶିକ୍ଷା ନେଇ ଭାରତ ନିଜର ସାମୁଦ୍ରିକ ସୁରକ୍ଷା ଓ ଗୁଇନ୍ଦା ତନ୍ତ୍ରକୁ ଅଭେଦ୍ୟ କରିଛି।

ଆଜି ଭାରତ କେବଳ ଆକ୍ରମଣର ଜବାବ ଦିଏ ନାହିଁ, ବରଂ ଆତଙ୍କବାଦର ମୂଳୋତ୍ପାଟନ ପାଇଁ ଘରେ ପଶି ମାରିବାର କ୍ଷମତା ରଖିଛି।

ଯେତେବେଳେ ଆତଙ୍କବାଦୀଙ୍କ ଗୁଳିରେ ଥରୁଥିଲା ମୁମ୍ବାଇ , ସେତେବେଳେ ନିଜ ଜୀବନକୁ ଖାତିର ନକରି ମୁକାବିଲା କରୁଥିଲେ ଭାରତର ସୁରକ୍ଷାକର୍ମୀ।

ସହିଦ ହୋଇଥିଲେ ମୁମ୍ବାଇ ATS ମୁଖ୍ୟ ହେମନ୍ତ କରକରେ , ଅତିରିକ୍ତ ପୋଲିସ କମିଶନର ଅଶୋକ କାମତେ , ଏନକାଉଣ୍ଟର ସ୍ପେଶାଲିଷ୍ଟ ବିଜୟ ସାଲସକର।

ସେହିପରି NSG କମାଣ୍ଡୋ ମେଜର ସନ୍ଦୀପ ଉନ୍ନୀକୃଷ୍ଣନ ମଧ୍ୟ ଦେଶ ପାଇଁ ଜୀବନ ଦେଇଥିଲେ।

ଆଉ ଏଠି ମନେ ପଡ଼ନ୍ତି ଆସିଷ୍ଟାଣ୍ଟ ସବ୍ -ଇନ୍ସପେକ୍ଟର ତୁକାରାମ ଓମ୍ବଲେ।

ନିଜ ଜୀବନକୁ ବାଜି ଲଗାଇ ଏକମାତ୍ର ଜୀବନ୍ତ ଧରାପଡ଼ିଥିବା ଆତଙ୍କବାଦୀ ଅଜମଲ କସାବକୁ କାବୁ କରିଥିଲେ।

ତାଙ୍କର ଏହି ସାହସିକତା ଯୋଗୁଁ ଆକ୍ରମଣର ଷଡ଼ଯନ୍ତ୍ର ସମ୍ପର୍କରେ ଅନେକ ପ୍ରମାଣ ମିଳିପାରିଥିଲା।

ଯାହା ପାକିସ୍ତାନର ଷଡ଼ଯନ୍ତ୍ରକୁ ସାରା ବିଶ୍ୱ ଆଗରେ ପର୍ଦ୍ଦାଫାସ କରିଥିଲା।

ସେଦିନ ଆତଙ୍କବାଦୀଙ୍କ ଟାର୍ଗେଟରେ ଥିଲା ମୁମ୍ବାଇର ଏକାଧିକ ସ୍ଥାନ।

ତାଜ୍ ମହଲ ପ୍ୟାଲେସ୍ ହୋଟେଲ , ଓବେରୟ-ଟ୍ରାଇଡେଣ୍ଟ ହୋଟେଲ , ଛତ୍ରପତି ଶିବାଜୀ ମହାରାଜ ଟର୍ମିନସ୍ , ନରିମାନ ହାଉସ୍ , ଲିଓପୋଲ୍ଡ କାଫେ , କାମା ହସ୍ପିଟାଲ୍ ପ୍ରମୁଖ।

୨୦୦୮ରେ ମୁମ୍ବାଇ ଆକ୍ରମଣ ଭାରତର ସୁରକ୍ଷା ବ୍ୟବସ୍ଥାର ଅନେକ ଦୁର୍ବଳତାକୁ ସାମ୍ନାକୁ ଆଣିଥିଲା।

କିନ୍ତୁ ଏହି ଆକ୍ରମଣ ପରେ ଭାରତ ନିଜର ଗୁଇନ୍ଦା ବ୍ୟବସ୍ଥା , ଉପକୂଳ ସୁରକ୍ଷା , ଆତଙ୍କବାଦ ବିରୋଧୀ ଅପରେସନ୍ ଓ ତଦନ୍ତ ପ୍ରଣାଳୀରେ ବଡ଼ ପରିବର୍ତ୍ତନ ଆଣିଛି।

ଆତଙ୍କବାଦର ମୂଳୋତ୍ପାଟନ ପାଇଁ ୨୦୦୯ରେ ଗଠିତ ଜାତୀୟ ତଦନ୍ତକାରୀ ସଂସ୍ଥା- NIA ଆହୁରି ଶକ୍ତିଶାଳୀ ହୋଇଛି।

ଗତ ଗୋଟିଏ ଦଶନ୍ଧି ଭିତରେ NIA ର ବଜେଟ୍ ୪ ଗୁଣରୁ ଅଧିକ ବୃଦ୍ଧି ପାଇ ୩୯୪ କୋଟି ଟଙ୍କା ଟପିଛି।

ଦେଶରେ ୫୩ଟି ସ୍ୱତନ୍ତ୍ର NIA କୋର୍ଟ କାର୍ଯ୍ୟ କରୁଛି।

୨୬/୧୧ ସମୟରେ ବିଭିନ୍ନ ଗୁଇନ୍ଦା ସଂସ୍ଥା ମଧ୍ୟରେ ସମନ୍ୱୟ ନଥିଲା।

ଆଜି ମଲ୍ଟି-ଏଜେନ୍ସି ସେଣ୍ଟର ମାଧ୍ୟମରେ ଦେଶର ସମସ୍ତ ଗୁଇନ୍ଦା ସଂସ୍ଥା , ସେନା ଓ ରାଜ୍ୟ ପୋଲିସ ମଧ୍ୟରେ ରିଅଲ୍-ଟାଇମ୍ ତଥ୍ୟ ଆଦାନପ୍ରଦାନ ହେଉଛି।

ସବୁଠାରୁ ବଡ଼ ପରିବର୍ତ୍ତନ ଆସିଛି ଭାରତର ରଣନୀତିରେ।

୨୦୦୮ରେ ଆକ୍ରମଣ ପରେ ଭାରତ କେବଳ କୂଟନୈତିକ ଦସ୍ତାବିଜ୍ ପଠାଇଥିଲା।

କିନ୍ତୁ ଆଜିର ଭାରତ ସର୍ଜିକାଲ୍ ଷ୍ଟ୍ରାଇକ୍ , ବାଲାକୋଟ୍ ଏୟାର ଷ୍ଟ୍ରାଇକ୍ ଓ ଅପରେସନ୍ ସିନ୍ଦୂର ଭଳି ପଦକ୍ଷେପ ନେଇ ସୀମା ପାର ଆତଙ୍କବାଦୀ ଶିବିରକୁ ଧ୍ୱଂସ କରିବାର କ୍ଷମତାକୁ ମଜଭୁତ କରିଛି।

ସ୍ପଷ୍ଟ ଭାବରେ କହିବାକୁ ଗଲେ , ୨୬/୧୧ର ସେହି ଦୁଃଖଦ ଘଟଣା ଭାରତର ସୁରକ୍ଷା ବ୍ୟବସ୍ଥା ପାଇଁ ଏକ ଟର୍ଣ୍ଣିଂ ପଏଣ୍ଟ ଥିଲା।

ଆଜି ଆମର ଗୁଇନ୍ଦା ଅଧିକ ସତର୍କ , ଆମର ଜଳସୀମା ଅଧିକ ସୁରକ୍ଷିତ।

ଆମର ସେନା ଯେକୌଣସି ଦୁଃସାହସର କଡ଼ା ଜବାବ ଦେବାକୁ ସୁବେବେଳେ ପ୍ରସ୍ତୁତ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)