Loyal Dog Attends Owner’s Funeral: ମଣିଷଠୁ ବଳିଗଲା ପଶୁର ଭଲପାଇବା! ମାଲିକଙ୍କ ମୃତ୍ୟୁରେ ଶେଷଯାତ୍ରାରେ ସାମିଲ ହେଲା କୁକୁର
ଲୁଣ ଖାଇଥିଲା, ମାଲିକ ମଲାପରେ ଗୁଣ ଗାଇଦେଲା ।
କିଏ କୁହେ ବେଇମାନ କୁକୁର ।
ହେଲେ ଏ କଥାକୁ ଏ କୁକୁରଟା ଡାହା ମିଛ ବୋଲି ପ୍ରମାଣିତ କରିଦେଲା ।
ମଣିଷ ଭୁଲିଯାଏ, ହେଲେ ପଶୁ କେବେ ଭୁଲେନି ଭଲପାଇବା ।
ଯିଏ ଦିନେ ମୁଠାଏ ଖାଇବାକୁ ଦେଉଥିଲେ, ତାଙ୍କୁ କେମିତି ବା ଭୁଲିପାରିଥାନ୍ତା ଏହି ନିରୀହ କୁକୁର !
ଯେଉଁ ମଣିଷ ଦିନେ ତାକୁ ଖାଇବାକୁ ଦେଇ ତା' ଭୋକ ମେଣ୍ଟାଉଥିଲେ, ଆଜି ସେହି ମଣିଷଙ୍କ ଶେଷ ଯାତ୍ରାରେ ସାଥୀ ହୋଇଛି ଏ ବୁଲା କୁକୁର ।
ମଧ୍ୟପ୍ରଦେଶ ସିହୋର ଜିଲ୍ଲାରୁ ଆସିଥିବା ଏହି ଦୃଶ୍ୟ ଏବେ ସମସ୍ତଙ୍କ ଆଖିରେ ଲୁହ ଆଣିଦେଇଛି ।
Advertisment ୭୫ ବର୍ଷୀୟ ମୋହନଲାଲ ରାଇକୱାର ଜଣେ ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀ ଥିଲେ ।
ତାଙ୍କର ଦୈନନ୍ଦିନ ଜୀବନର ଗୋଟେ କାମ ଥିଲା ରାସ୍ତାକଡ଼ର ଏ ବୁଲୁଥିବା କୁକୁର କାଳୁକୁ ଖାଇବାକୁ ଦେବା ।
ପ୍ରତିଦିନ କାଳୁ ପାଇଁ ରୁଟି ଓ ଅନ୍ୟ ଖାଦ୍ୟ ନେଇ ଯାଉଥିଲେ ମୋହନଲାଲ ।
ତାକୁ ନାଁ ଧରି ଡାକୁଥିଲେ, ତା' ସହ ସମୟ ବିତାଉଥିଲେ ।
ହେଲେ ଗତ ସପ୍ତାହରେ ମୋହନଲାଲଙ୍କ ମୃତ୍ୟୁ ହୋଇଗଲା ।
ଶୁକ୍ରବାର ଦିନ ତାଙ୍କ ଶେଷଯାତ୍ରା ହୋଇଥିଲା ।
ପରିବାର ଲୋକ, ବନ୍ଧୁବାନ୍ଧବ ଓ ସ୍ଥାନୀୟ ଲୋକେ କୋକେଇ ନେଇ ଆଗକୁ ବଢ଼ୁଥିଲେ ।
ଏହି ଯାତ୍ରାରେ ସାଥୀ ହୋଇ ଯୋଡ଼ି ହୋଇଯାଇଥିଲା କାଳୁ ।
କେହି ଡାକି ନଥିଲେ, କେହି ତାକୁ ନେଇ ନଥିଲେ ।
ନିଜ ଇଚ୍ଛାରେ ଶୋକାକୁଳ ଲୋକଙ୍କ ପଛେ ପଛେ ଚାଲିଥିଲା କାଳୁ ।
ଶ୍ମଶାନରେ ପହଞ୍ଚିବା ପରେ ମଧ୍ୟ ସେ ଫେରିନଥିଲା ।
ମୋହନଲାଲଙ୍କ ଶେଷକୃତ୍ୟ ସମ୍ପନ୍ନ ହେବା ପର୍ଯ୍ୟନ୍ତ ସେଠାରେ ଚୁପଚାପ୍ ବସି ରହିଥିଲା ।
ସବୁଠୁ ହୃଦୟସ୍ପର୍ଶୀ ଦୃଶ୍ୟ ଥିଲା ଶୋକସଭା ସମୟର ।
ମୋହନଲାଲଙ୍କ ସ୍ମୃତିରେ ଯେତେବେଳେ ସମସ୍ତେ ଦୁଇ ମିନିଟ୍ ନିରବ ପ୍ରାର୍ଥନା କରୁଥିଲେ, ସେତେବେଳେ କାଳୁ ଧୀରେ ଧୀରେ ଆସି ସମସ୍ତଙ୍କ ସାମ୍ନାରେ ବସି ପଡ଼ିଥିଲା ।
ନିରବତାରେ ଯେମିତି ନିଜ ପ୍ରିୟ ବନ୍ଧୁଙ୍କୁ ଶେଷ ବିଦାୟ ଦେଉଥିଲା ।
Advertisment ଏତିକିରେ ସରିନଥିଲା କାଳୁର ଶେଷ ବିଦାୟ ।
ଶେଷକୃତ୍ୟ ପରେ ଯେତେବେଳେ ସମସ୍ତେ ମୋହନଲାଲଙ୍କ ଘରକୁ ଫେରିଥିଲେ, କାଳୁ ମଧ୍ୟ ସେମାନଙ୍କ ପଛେ ପଛେ ଘରକୁ ଯାଇଥିଲା ।
କିଛି ସମୟ ସେଠାରେ ରହିବା ପରେ ଚୁପଚାପ୍ ଚାଲିଯାଇଥିଲା ।
ମୁଠାଏ ଖାଦ୍ୟ ଆଉ ଟିକିଏ ସ୍ନେହ ଏଭଳି ନିଆରା ସମ୍ପର୍କ ଗଢ଼ିପାରେ ।
ମଣିଷ ପାଇଁ ମଣିଷର ଭଲପାଇବା ଅପେକ୍ଷା ଏହି ନିରୀହ ଜୀବର ନିରବ ଶ୍ରଦ୍ଧାଞ୍ଜଳି ଆଜି ଅନେକଙ୍କ ହୃଦୟକୁ ଛୁଇଁଯାଇଛି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
