ମହିଳା ପୋଲିସଙ୍କ ପାଇଁ ଡିଜିପିଙ୍କ ଆଶ୍ବସ୍ତିବାଣୀ
ଭୁବନେଶ୍ଵର : ମହିଳା ପୋଲିସ କର୍ମଚାରୀଙ୍କ ପାଇଁ ଓଡ଼ିଶା ପୋଲିସର ବଡ଼ ପଦକ୍ଷେପ । ମହିଳା ପୋଲିସ କର୍ମଚାରୀଙ୍କ ସ୍ୱାସ୍ଥ୍ୟ ଓ ମାନସିକ ଚାପକୁ ଦୃଷ୍ଟିରେ ରଖି ନୂଆ ଗାଇଡ୍ଲାଇନ୍ ଆଣିବାକୁ ପଦକ୍ଷେପ ନିଆଯାଇଛି । ଏହାଦ୍ୱାରା ଗର୍ଭବତୀ ଓ ପ୍ରସୂତି ମହିଳାଙ୍କୁ କାମରେ ମିଳିବ ଆଶ୍ୱସ୍ତି । ନୂଆ ନିର୍ଦ୍ଦେଶାବଳୀ ଅନୁସାରେ, ଗର୍ଭବତୀ ମହିଳା ପୋଲିସଙ୍କୁ ସନ୍ତାନ ଜନ୍ମ ପୂର୍ବରୁ ଓ ପରେ ଡ୍ୟୁଟି କ୍ଷେତ୍ରରେ ଆବଶ୍ୟକ ସୁବିଧା ଦିଆଯିବ। ମହିଳା ପୋଲିସଙ୍କ ଅଭିଯୋଗ ଶୁଣିବା ପାଇଁ ମହିଳା ଅଧିକାରୀଙ୍କୁ ଦାୟିତ୍ୱ ଦିଆଯିବ। ରିହାତି ଓ ଛୁଟି ବ୍ୟବସ୍ଥା କରାଯାଇଛି । ଗର୍ଭବତୀ ଓ ସ୍ତନ୍ୟପାନ କରାଉଥିବା ମହିଳା ପୋଲିସ କର୍ମଚାରୀଙ୍କୁ କଠିନ ଡ୍ୟୁଟିରୁ ରିହାତି ଏବଂ ୩ ବର୍ଷରୁ କମ୍ ବୟସର ଶିଶୁ ଥିବା କର୍ମଚାରୀଙ୍କୁ ରାତି ଡ୍ୟୁଟିରୁ ଛାଡ଼ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।
ମହିଳା ସରକାରୀ କର୍ମଚାରୀଙ୍କ ପାଇଁ ବର୍ଷକୁ ୧୨ ଦିନ ଅତିରିକ୍ତ କାଜୁଆଲ୍ ଲିଭ୍ ବ୍ୟବସ୍ଥା ରହିଥିବା ବେଳେ ଏହାକୁ ଯୋଗ୍ୟ ମହିଳା ପୋଲିସ କର୍ମଚାରୀଙ୍କୁ ଆବେଦନ ଅନୁସାରେ ଦେବାକୁ ଜିଲ୍ଲା ପୋଲିସ ମୁଖ୍ୟଙ୍କୁ କୁହାଯାଇଛି । ମହିଳା କର୍ମଚାରୀଙ୍କ ଡ୍ୟୁଟି ସମୟରେ ଅସୁବିଧା ଓ ଅଭିଯୋଗର ସମାଧାନ ପାଇଁ ମହିଳା ସବ୍-ଇନ୍ସପେକ୍ଟର, ଆସିଷ୍ଟାଣ୍ଟ ସବ୍-ଇନ୍ସପେକ୍ଟର କିମ୍ବା ହାବିଲଦାରଙ୍କୁ ଫୋର୍ସ ସେକ୍ସନରେ ନିୟୋଜିତ କରାଯିବ । ଏହାସହ ପ୍ରତ୍ୟେକ ଜିଲ୍ଲାରେ DSP କିମ୍ବା ଅତିରିକ୍ତ SP ପାହ୍ୟାର ଜଣେ ମହିଳା ଅଧିକାରୀଙ୍କୁ Well-being Officer ଭାବେ ନିଯୁକ୍ତ କରିବାକୁ ନିର୍ଦ୍ଦେଶ ରହିଛି ।
ମହିଳା ପୋଲିସ କର୍ମଚାରୀଙ୍କ ପାଇଁ ପୃଥକ ଶୌଚାଳୟ, ବିଶ୍ରାମଗୃହ ଓ ପୋଷାକ ପରିବର୍ତ୍ତନ କକ୍ଷ ସୁନିଶ୍ଚିତ କରିବା ସହ କାର୍ଯ୍ୟକ୍ଷେତ୍ରରେ ଯୌନ ନିର୍ଯାତନା ସମ୍ପର୍କିତ ଅଭିଯୋଗର ତ୍ୱରିତ ସମାଧାନ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି ।
ଓଡ଼ିଶା ଡିଜିପି ବିନୟତୋଷ ମିଶ୍ର କହିଛନ୍ତି, "ଗର୍ଭବତୀ ମହିଳାଙ୍କ ପ୍ରି ଓ ପୋଷ୍ଟ ପ୍ରେଗନେନ୍ସି କେୟାର ନେବ ପୋଲିସ । ସେଥିପାଇଁ ଆବେଦନ କରିବା ମାତ୍ରେ ଦିଆଯିବ ଛୁଟି । ପ୍ରେଗ୍ନେସି ପାଇଁ ଫିଜିକାଲ ଓ ମେଣ୍ଟାଲ କେୟାର ନିହାତି ଜରୁରୀ । ମହିଳା ଅଫିସରମାନେ ରାତିରେ ପାଟ୍ରୋଲିଂ, ଥାନାରେ ଡିସିଓ ଭଳି ହାର୍ଡ ଡ୍ୟୁଟି ଦିଆଯାଉନାହିଁ କିମ୍ବା ଚାହିଁଲେ ସେ ତାଙ୍କର ଡ୍ୟୁଟି ଚେଞ୍ଜ କରିପାରିବେ । ଯାହାଦ୍ୱାରା ସେ ତାଙ୍କର ନିଜର ଯତ୍ନ ନେବା ସହ ଖାଇବା ପିଇବାରେ ସିଡ୍ୟୁଲ ମେଣ୍ଟେନ କରିପାରିବେ । ଥାନା ବାବୁ ନ ଶୁଣିଲେ , ଗ୍ରିଭାନ୍ସ ପାଇଁ ଏସଡିପିଓ, ଏସପିକୁ ଯାଇପାରିବେ । ନଚେତ୍ ସେ ସିଧାସଳଖ ଡିଜିଙ୍କ ପାଖରେ ଫେରାଦ ହୋଇପାରିବେ ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
