ପୁନର୍ବାର ହାଇକୋର୍ଟ ରେ ଜାମିନ ଆବେଦନ କଲେ ବିଦ୍ୟାଭାରତୀ
ଭୁବନେଶ୍ୱର : ପୁନର୍ବାର ଓଡ଼ିଶା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ବିଦ୍ୟାଭାରତୀ ପଣ୍ଡା । ବହୁଚର୍ଚ୍ଚିତ ପାରଳାଖେମୁଣ୍ଡି ଏସିଏଫ୍ (ACF) ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ତାଙ୍କ ପତ୍ନୀ ବିଦ୍ୟାଭାରତୀ ପଣ୍ଡା ଜାମିନ ପାଇଁ ପୁନର୍ବାର ଓଡ଼ିଶା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ନିମ୍ନ ଅଦାଲତରେ ଜାମିନ ଆବେଦନ ଖାରଜ ହେବା ପରେ ସେ ବର୍ତ୍ତମାନ ବିଚାର ବିଭାଗୀୟ ହାଜତରେ ଅଛନ୍ତି ।
ସୂଚନାନୁସାରେ, ଗତ ନଭେମ୍ବର ୭ ତାରିଖରେ ସେ ପାରଳାଖେମୁଣ୍ଡି ଜିଲ୍ଲା ଓ ଦୌରାଜଜ୍ ଅଦାଲତରେ ନିୟମିତ ଜାମିନ ପାଇଁ ଆବେଦନ କରିଥିଲେ । ଯାହାକୁ ନଭେମ୍ବର ୧୮ ତାରିଖରେ ଅଦାଲତ ଖାରଜ କରିଦେଇଥିଲେ । ପାରଳାଖେମୁଣ୍ଡି ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ କୋର୍ଟରୁ ନିରାଶ ହେବା ପରେ ବିଦ୍ୟାଭାରତୀ ନିୟମିତ ଜାମିନ (Regular Bail) ପାଇଁ ଓଡ଼ିଶା ହାଇକୋର୍ଟରେ ଆବେଦନ କରିଛନ୍ତି ।
ଅକ୍ଟୋବର ୩୧ ତାରିଖରେ ହାଇକୋର୍ଟ ତାଙ୍କ ଆଗୁଆ ଜାମିନ (Anticipatory Bail) ଆବେଦନ ଖାରଜ କରିବା ପରେ, ନଭେମ୍ବର ୨ ତାରିଖରେ ସେ ପାରଳାଖେମୁଣ୍ଡି ଏସ୍ଡିଜେଏମ୍ (SDJM) କୋର୍ଟରେ ଆତ୍ମସମର୍ପଣ କରିଥିଲେ ଏବଂ ସେଠାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିଲା ।
ସେପଟେ, ବିଦ୍ୟାଭାରତୀ ଜେଲ୍ ଯିବା ପରେ ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକରେ ପ୍ରାଣୀଧନ ନିରୀକ୍ଷକ (Livestock Inspector) ଭାବେ କାର୍ଯ୍ୟରତ ସରକାରୀ ଚାକିରିରୁ ନିଲମ୍ବନ କରାଯାଇଛି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
