ଆତ୍ମାହୁତି ନିଷ୍ପତ୍ତିରୁ ଓହରିଲେ ତାରା
ଭୁବନେଶ୍ୱର : ଆତ୍ମାହୁତି ନିଷ୍ପତ୍ତିରୁ ଓହରିଲେ ବରିଷ୍ଠ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି । କୋଟିଆ ପ୍ରସଙ୍ଗରେ ନିଜ ଦାବିକୁ ନେଇ ଆତ୍ମାହୁତି ଧମକ ଦେଇଥିବା କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ଶେଷରେ ନିଜ ନିଷ୍ପତ୍ତିରୁ ଓହରିଛନ୍ତି ।
କୋଟିଆ ପ୍ରସଙ୍ଗରେ ଆଲୋଚନା ପାଇଁ ବାଚସ୍ପତି ସୁଯୋଗ ଦେବା ପରେ ନିଜ ନିଷ୍ପତ୍ତି ବଦଳାଇଥିବା କହିଛନ୍ତି ତାରା । ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଖର୍ଚ୍ଚ ଦାବି ଆଲୋଚନା ସମୟରେ କୋଟିଆ ପ୍ରସଙ୍ଗ ଉଠାଇବାକୁ ତାଙ୍କୁ ସୁଯୋଗ ମିଳିଥିଲା । ଏଥିପାଇଁ ଅତିରିକ୍ତ ୪୫ ମିନିଟ୍ ସମୟ ମଧ୍ୟ ମିଳିଥିବା ସେ କହିଛନ୍ତି ।
ତାରାଙ୍କ କହିବା ଅନୁଯାୟୀ ମା’-ମାଟି ଆଗ, ପାର୍ଟି ପଛ । ସର୍ବଦଳୀୟ ବୈଠକରେ କଂଗ୍ରେସ ବିଧାୟକ ଦଳ ନେତା ରାଜସ୍ୱ ବିଭାଗର ଖର୍ଚ୍ଚ ଦାବି ଆଲୋଚନା ସମୟରେ କୋଟିଆ ପ୍ରସଙ୍ଗ ଉଠାଇବା ପାଇଁ ସମ୍ମତି ପାଇଥିଲେ । ଗତକାଲି ବାଚସ୍ପତି ସେହି ସମ୍ମତି ଅନୁଯାୟୀ ଆଲୋଚନାର ସୁଯୋଗ ଦେଇଥିବାରୁ ସେ ଆତ୍ମାହୁତି ନିଷ୍ପତ୍ତିରୁ ଓହରିଥିବା କହିଛନ୍ତି । ପୂର୍ବରୁ କୋଟିଆ ପ୍ରସଙ୍ଗରେ ତାରା ବାହିନୀପତି ଆତ୍ମାହୁତି କରିବାକୁ କହିଥିଲେ । ତାରାଙ୍କ ଏହି ନିଷ୍ପତ୍ତି ପରେ ବିଧାନସଭାରେ ଲାଗି ରହିଥିବା ଅଚଳାବସ୍ଥା ଦୂର ହୋଇଛି ଏବଂ ଗୃହ କାର୍ଯ୍ୟ ସ୍ୱାଭାବିକ ଭାବେ ଚାଲିଛି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
