ସମ୍ବିଧାନ ଦିବସ
ପ୍ରତିବର୍ଷ ନଭେମ୍ବର ୨୬ ତାରିଖରେ ସାରା ଦେଶରେ ଅତ୍ୟନ୍ତ ଉତ୍ସାହ ଓ ଗୌରବର ସହ ସମ୍ବିଧାନ ଦିବସ ପାଳନ କରାଯାଇଥାଏ । ୧୯୪୯ ମସିହା ନଭେମ୍ବର ୨୬ ତାରିଖରେ ଭାରତୀୟ ସମ୍ବିଧାନ ସଭା ଆନୁଷ୍ଠାନିକ ଭାବେ ଭାରତର ସମ୍ବିଧାନକୁ ଗ୍ରହଣ କରିଥିଲା । ଏହାର ଠିକ୍ ଦୁଇ ମାସ ପରେ ଅର୍ଥାତ୍ ୧୯୫୦ ମସିହା ଜାନୁଆରୀ ୨୬ ତାରିଖରେ ଏହା ସମ୍ପୂର୍ଣ୍ଣ ରୂପେ କାର୍ଯ୍ୟକାରୀ ହୋଇ ଭାରତକୁ ଏକ ସାର୍ବଭୌମ, ଗଣତାନ୍ତ୍ରିକ ସାଧାରଣତନ୍ତ୍ର ରାଷ୍ଟ୍ରରେ ପରିଣତ କରିଥିଲା । ଡକ୍ଟର ଭୀମରାଓ ରାମଜୀ ଆମ୍ବେଦକରଙ୍କ ଅଧ୍ୟକ୍ଷତାରେ ଗଠିତ ଡ୍ରାଫ୍ଟିଂ କମିଟି ଦ୍ୱାରା ଦୀର୍ଘ ୨ ବର୍ଷ, ୧୧ ମାସ ଓ ୧୮ ଦିନର ଅକ୍ଳାନ୍ତ ପରିଶ୍ରମ ପରେ ପ୍ରସ୍ତୁତ ହୋଇଥିଲା ବିଶ୍ୱର ଏହି ସର୍ବବୃହତ ଲିଖିତ ସମ୍ବିଧାନ । ଏହା ଦେଶର ପ୍ରତ୍ୟେକ ନାଗରିକଙ୍କୁ ନ୍ୟାୟ, ସ୍ୱାଧୀନତା, ସମାନତା ଏବଂ ଭ୍ରାତୃତ୍ୱର ଅଧିକାର ପ୍ରଦାନ କରିଥାଏ । ପୂର୍ବରୁ ଏହି ଦିନଟିକୁ ‘ଜାତୀୟ ଆଇନ ଦିବସ’ ଭାବେ ପାଳନ କରାଯାଉଥିବା ବେଳେ ସମ୍ବିଧାନ ପ୍ରଣେତା ଡକ୍ଟର ବି.ଆର. ଆମ୍ବେଦକରଙ୍କ ୧୨୫ତମ ଜନ୍ମଜୟନ୍ତୀ ଅବସରରେ ୨୦୧୫ ମସିହାରେ ଭାରତ ସରକାର ନଭେମ୍ବର ୨୬ ତାରିଖକୁ ଆନୁଷ୍ଠାନିକ ଭାବେ ‘ସମ୍ବିଧାନ ଦିବସ’ ରୂପେ ଘୋଷଣା କରିଥିଲେ । ଯାହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ନାଗରିକମାନଙ୍କ ମଧ୍ୟରେ ସାମ୍ବିଧାନିକ ମୂଲ୍ୟବୋଧ ଓ ମୌଳିକ କର୍ତ୍ତବ୍ୟ ପ୍ରତି ସଚେତନତା ସୃଷ୍ଟି କରିବା । ଏହି ଅବସରରେ ସଂସଦ ଭବନ, ସୁପ୍ରିମକୋର୍ଟ, ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଏବଂ ଶିକ୍ଷାନୁଷ୍ଠାନଗୁଡ଼ିକରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇ ସମ୍ବିଧାନର ମୁଖବନ୍ଧ ପାଠ କରାଯିବା ସହ ଡକ୍ଟର ଆମ୍ବେଦକର ଏବଂ ସମ୍ବିଧାନ ପ୍ରଣେତାମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଏ । ଏହାସହ ବିଭିନ୍ନ ବିତର୍କ, କୁଇଜ୍, ସେମିନାର ଓ ସଚେତନତା ରାଲି ମାଧ୍ୟମରେ ଦେଶର ଯୁବପିଢ଼ିଙ୍କୁ ସମ୍ବିଧାନର ଆଦର୍ଶ ଓ ଗଣତାନ୍ତ୍ରିକ ପରମ୍ପରାକୁ ଅକ୍ଷୁଣ୍ଣ ରଖିବା ପାଇଁ ପ୍ରେରଣା ଦିଆଯାଇଥାଏ ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
