ରାଜରାସ୍ତାରେ ଅଙ୍ଗନବାଡି ଦିଦିଙ୍କ ମାଣବସା
ଭୁବନେଶ୍ୱର : ଗାନ୍ଧିମାର୍ଗରେ ମାଣବସାଇ ଓଷା ପାଳିଲେ ଆନ୍ଦୋଳନରତ ଅଙ୍ଗନବାଡ଼ି ଦିଦି । ଝୁଣା ଧୂପ ସାଙ୍ଗକୁ ହୁଳହୁଳି ଓ ଲକ୍ଷ୍ମୀ ପୁରାଣରେ କମ୍ପିଲା ଲୋୟର ପିଏମଜି । ୭ ଦଫା ଦାବି ନେଇ ଆଜିକୁ ୪ ଦିନ ହେଲା ଧାରଣାରେ ବସିଛନ୍ତି ଅଙ୍ଗନବାଡ଼ି କର୍ମୀ ଓ ସହାୟିକା । ଆନ୍ଦୋଳନରେ ପୁରୀ ଓ ନୟାଗଡ଼ର କର୍ମୀ ମଧ୍ୟ ସାମିଲ ହୋଇଛନ୍ତି ।
ଭାରତୀୟ ମଜଦୁର ସଂଘ ସହବନ୍ଧିତ ଅଲ୍ ଓଡ଼ିଶା ଅଙ୍ଗନୱାଡ଼ି ଲେଡିଜ୍ ୱାର୍କର୍ସ ଆସୋସିଏସନ୍ ପକ୍ଷରୁ ଆଜିଠାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଆନ୍ଦୋଳନ । ୨୦୨୪ ନିର୍ବାଚନୀ ପ୍ରତିଶ୍ରୁତି ପୂରଣରେ ରାଜ୍ୟ ସରକାରଙ୍କ ବିଳମ୍ବକୁ ବିରୋଧ କରି ସଂଘ ପକ୍ଷରୁ ଏହି ଡାକରା ଦିଆଯାଇଛି । ଆନ୍ଦୋଳନକାରୀଙ୍କ ପକ୍ଷରୁ ଉପସ୍ଥାପିତ ହୋଇଥିବା ପ୍ରମୁଖ ୭ ଦଫା ଦାବିଗୁଡ଼ିକ ମଧ୍ୟରେ ରହିଛି କର୍ମୀଙ୍କୁ ସରକାରୀ ମାନ୍ୟତା ସହ ମାସିକ ୩୦ ହଜାର ଟଙ୍କା ପାରିଶ୍ରମିକ । ଏବଂ ସହାୟିକାଙ୍କୁ ମାସିକ ୧୫ ହଜାର ଟଙ୍କା ପାରିଶ୍ରମିକ ପ୍ରଦାନ ।
ଏଥିସହ ଅବସର ସମୟରେ କର୍ମୀଙ୍କୁ ଏକକାଳୀନ ୧୦ ଲକ୍ଷ ଟଙ୍କା ଏବଂ ସହାୟିକାଙ୍କୁ ୫ ଲକ୍ଷ ଟଙ୍କା ଆର୍ଥିକ ସହାୟତା ଯୋଗାଇ ଦିଆଯାଉ । ସେହିପରି ୫୫ ବର୍ଷରୁ ଊର୍ଦ୍ଧ୍ୱ କର୍ମୀମାନଙ୍କର କିମ୍ବା ୬୦ ବର୍ଷ ପରେ ଦୁଇ ବର୍ଷିଆ କାର୍ଯ୍ୟକାଳ ସମ୍ପ୍ରସାରଣ ପାଇଁ କରାଯାଉଥିବା ବାର୍ଷିକ କାର୍ଯ୍ୟଦକ୍ଷତା ସମୀକ୍ଷା ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଉ । ସମଗ୍ର ରାଜ୍ୟରେ ଅଙ୍ଗନବାଡ଼ି କର୍ମୀଙ୍କ ପାଇଁ ଏକ ସମାନ ନୀତି ପ୍ରଣୟନ କରାଯାଉ । ପ୍ରତିବର୍ଷ ନିୟମିତ ପଦୋନ୍ନତି ପ୍ରକ୍ରିୟା ଲାଗୁ କରିବା ସହ ସହାୟିକାଙ୍କ ପଦୋନ୍ନତି କ୍ଷେତ୍ରରେ ଥିବା ବୟସ ସୀମାକୁ ସମ୍ପୂର୍ଣ୍ଣ ଉଚ୍ଛେଦ କରିବାକୁ ଦାବି ହୋଇଛି । କାର୍ଯ୍ୟରତ ଅବସ୍ଥାରେ କୌଣସି ଅଙ୍ଗନୱାଡ଼ି କର୍ମୀ କିମ୍ବା ସହାୟିକାଙ୍କର ମୃତ୍ୟୁ ଘଟିଲେ, ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଉ । ଏହାସହ ପରିବାରର ଜଣେ ଯୋଗ୍ୟ ସଦସ୍ୟଙ୍କୁ ସରକାରୀ ନିଯୁକ୍ତି ଦେବାକୁ ସଂଘ ଦାବି କରିଛି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
