ଶନାୟାଙ୍କ ଫଟୋକୁ ନେଇ ଚର୍ଚ୍ଚା
ଅଭିନେତ୍ରୀ ଶନାୟା କପୁରଙ୍କ ‘କଫି ୱିଥ୍ କରନ୍’ ସିଜନ୍-୯ ସେଟ୍ର ଏକ ବିହାଇଣ୍ଡ - ଦି - ସିନ୍ସ ଫଟୋ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ତେବେ ଏହା ପୁଣିଥରେ ସେଲିବ୍ରିଟି ଚାଟ୍ ଶୋ’ଗୁଡ଼ିକ ସ୍କ୍ରିପ୍ଟେଡ୍ କି ନୁହେଁ ସେ ନେଇ ପୁରୁଣା ବିତର୍କକୁ ତାଜା କରିଛି । ଭାଇରାଲ୍ ହୋଇଥିବା ଏହି ଫଟୋରେ ଶନାୟା ଏକ ଭ୍ୟାନିଟି ଭ୍ୟାନ୍ ଭିତରେ ବସିଥିବା ବେଳେ ତାଙ୍କ ପାଖ ଟେବୁଲ ଉପରେ ‘ରାପିଡ୍ ଫାୟାର୍: ଶନାୟା କପୁର’ ଲେଖାଥିବା ଏକ କାଗଜ ପଡ଼ିଥିବାର ଦେଖିବାକୁ ମିଳିଛି । ଶୋ’ରେ ଶନାୟାଙ୍କ ଅଂଶଗ୍ରହଣ ପରେ ଏହି ଫଟୋଟି ସୋସିଆଲ ମିଡିଆରେ ଘୂରି ବୁଲିବା ମାତ୍ରେ ସୁଟିଂ ପୂର୍ବରୁ ହିଁ ତାଙ୍କୁ ରାପିଡ୍ ଫାୟାର୍ ରାଉଣ୍ଡର ପ୍ରଶ୍ନ ଦିଆଯାଇଥିଲା କି ବୋଲି ୟୁଜର୍ସମାନେ ସନ୍ଦେହ ପ୍ରକାଶ କରିଛନ୍ତି । ଦୀର୍ଘ ବର୍ଷ ଧରି ଯେଉଁ ରାପିଡ୍ ଫାୟାର୍ ରାଉଣ୍ଡକୁ ଦର୍ଶକ ସତ ଭାବି ଖୁବ ଭଲପାଇବା ଦେଇଥାଆନ୍ତି । ହେଲେ ଶନାୟାଙ୍କର ଏହି ଫଟୋଟି ବର୍ତ୍ତମାନ ତା ଉପରେ ପ୍ରଶ୍ନ ଉଠାଇଛି । ସେଲିବ୍ରେଟିମାନେ ତା ପାଇଁ ପୂର୍ବରୁ ପ୍ରସ୍ତୁତ ଥାଆନ୍ତି ବୋଲି ଦର୍ଶକ ମତ ଦେଇଛନ୍ତି, ଯାହା ସେମାନଙ୍କୁ ନିରାଶ କରିଥିବା ଦେଖିବାକୁ ମିଳିଛି । ତେବେ ଭାଇରାଲ୍ ଫଟୋରେ ଥିବା କାଗଜର ତଳ ଭାଗରେ ଅତି ଛୋଟ ଅକ୍ଷରରେ ଲେଖାଯାଇଥିବା ଶବ୍ଦଗୁଡ଼ିକ ଅସ୍ପଷ୍ଟ ଥିବାରୁ ସେଥିରେ ରାପିଡ୍ ଫାୟାର୍ ପ୍ରଶ୍ନୋତ୍ତର ଥିଲା ନା କେବଳ ସାଧାରଣ ନୋଟ୍ସ ଥିଲା, ତାହା ଆନୁଷ୍ଠାନିକ ଭାବେ ସ୍ପଷ୍ଟ ହୋଇନାହିଁ । ନିକଟରେ ଶନାୟା କପୁର, ଅନନ୍ୟା ପାଣ୍ଡେ ଏବଂ ଅନନ୍ୟା ବିର୍ଲା ଏହି ଶୋ’ରେ ଯୋଗ ଦେଇଥିଲେ । ବର୍ତ୍ତମାନ ସୁଦ୍ଧା ଶୋ’ର ହୋଷ୍ଟ କରନ୍ ଜୋହର କିମ୍ବା ଅଭିନେତ୍ରୀ ଶନାୟା କପୁର ଏହି ବିବାଦ ଉପରେ କୌଣସି ପ୍ରତିକ୍ରିୟା ରଖିନାହାନ୍ତି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
