ଅଧାରୁ ଅଧିକ ମହିଳା ରକ୍ତହୀନତାର ଶିକାର - ସର୍ଭେ
ଭୁବନେଶ୍ୱର : ଓଡ଼ିଶାରେ ରକ୍ତହୀନତା ସମସ୍ୟାକୁ ନେଇ ସାମ୍ନାକୁ ଆସିଛି ଚିନ୍ତାଜନକ ଚିତ୍ର । ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ–ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ନ୍ୟୁଟ୍ରିସନ୍ (ICMR-NIN) ଦ୍ୱାରା ପ୍ରକାଶିତ ‘ସମ୍ପଦା’ (SAMPADA 2023–25) ସର୍ଭେ ରିପୋର୍ଟ ଅନୁଯାୟୀ, ଓଡ଼ିଶା ସମେତ ସାରା ଦେଶରେ ଅଧାରୁ ଅଧିକ ମହିଳା ରକ୍ତହୀନତା (ଆନିମିଆ) ର ଶିକାର ହୋଇଛନ୍ତି । କେବଳ ମହିଳା ନୁହନ୍ତି ଶିଶୁ, କିଶୋରୀ ଓ ବୟସ୍କଙ୍କ କ୍ଷେତ୍ରରେ ମଧ୍ୟ ରକ୍ତହୀନତାର ହାର ଉଲ୍ଲେଖନୀୟ ରହିଛି । ବିଶେଷକରି କିଶୋରୀ ଓ ବୟସ୍କ ମହିଳାଙ୍କ କ୍ଷେତ୍ରରେ ସ୍ଥିତି ଅଧିକ ଚିନ୍ତାଜନକ ରହିଛି ।
ଓଡ଼ିଶାର ୧୦ରୁ ୧୯ ବର୍ଷ ବୟସର ୪୫ ପ୍ରତିଶତ କିଶୋରୀ ରକ୍ତହୀନତାର ଶିକାର ହୋଇଥିବା ବେଳେ ୨୦ରୁ ୫୯ ବର୍ଷ ବୟସର ମହିଳାଙ୍କ କ୍ଷେତ୍ରରେ ଏହି ହାର ୫୩.୪ ପ୍ରତିଶତ ରହିଛି । ତେବେ ରକ୍ତହୀନତାକୁ ନେଇ ଜାତୀୟ ସ୍ତରଠାରୁ ଓଡିଶା ଭଲ ରହିଛି ବୋଲି କହିଛନ୍ତି ରକ୍ତ ନିରାପତ୍ତା ବିଭାଗର ନିର୍ଦ୍ଦେଶକ ।
ସବୁଠାରୁ ଅଧିକ ଚିନ୍ତାଜନକ ସ୍ଥିତି ୬୦ ବର୍ଷରୁ ଊର୍ଦ୍ଧ୍ୱ ମହିଳାଙ୍କ କ୍ଷେତ୍ରରେ ଦେଖାଦେଇଛି । ଏହି ବୟସ ବର୍ଗର ୫୯.୬ ପ୍ରତିଶତ ମହିଳା ରକ୍ତହୀନତାରେ ପ୍ରଭାବିତ ହୋଇଛନ୍ତି ।
ଆଇସିଏମଆରର ତଥ୍ୟକୁ ନଜର ଦେଲେ କିଶୋରୀ ଓ କିଶୋରଙ୍କ ମଧ୍ୟରେ ରକ୍ତହୀନତାର ହାରରେ ବଡ଼ ପାର୍ଥକ୍ୟ ରହିଛି । ୧୦ରୁ ୧୯ ବର୍ଷ ବୟସର କିଶୋରୀଙ୍କ କ୍ଷେତ୍ରରେ ରକ୍ତହୀନତାର ହାର ୪୫ ପ୍ରତିଶତ ଥିବା ବେଳେ ସମାନ ବୟସର କିଶୋରଙ୍କ କ୍ଷେତ୍ରରେ ଏହା ୧୭.୫ ପ୍ରତିଶତ ରହିଛି । ଅର୍ଥାତ କିଶୋରଙ୍କ ତୁଳନାରେ କିଶୋରୀଙ୍କ କ୍ଷେତ୍ରରେ ଏହି ହାର ଅଧିକ ରହିଛି । ଏହା ସହିତ ୧୫ ରୁ ୪୯ ବର୍ଷ ବୟସର ମହିଳାଙ୍କ ମଧ୍ୟରେ ରକ୍ତହୀନତାର ହାର ୫୧.୩ ପ୍ରତିଶତ ରହିଛି । ଏହି ଶ୍ରେଣୀରେ ଗର୍ଭବତୀ ଓ ସ୍ତନ୍ୟପାନ କରାଉନଥିବା ମହିଳାଙ୍କ ତଥ୍ୟକୁ ବିଚାର କରାଯାଇଛି ।
ସେହିଭଳି ଛୋଟ ପିଲାଙ୍କ କ୍ଷେତ୍ରରେ ମଧ୍ୟ ରକ୍ତହୀନତା ସମସ୍ୟା ଚିନ୍ତା ବଢ଼ାଇଛି । ୧୨ରୁ ୫୯ ମାସ ବୟସର ଶିଶୁଙ୍କ ମଧ୍ୟରେ ରକ୍ତହୀନତାର ହାର ୩୫.୮ ପ୍ରତିଶତ ରହିଛି । ସେହିପରି ୫ରୁ ୯ ବର୍ଷ ବୟସର ପିଲାଙ୍କ କ୍ଷେତ୍ରରେ ଏହା ୨୧.୫ ପ୍ରତିଶତ ରହିଛି । ଅର୍ଥାତ୍ ଛୋଟ ବୟସରୁ ହିଁ ଅନେକ ପିଲା ରକ୍ତହୀନତା ସମସ୍ୟାର ସାମ୍ନା କରୁଛନ୍ତି ।
ପୁରୁଷଙ୍କ କ୍ଷେତ୍ରରେ ମଧ୍ୟ ରକ୍ତହୀନତା ସମସ୍ୟା ରହିଛି । ୨୦ରୁ ୫୯ ବର୍ଷ ବୟସର ପୁରୁଷଙ୍କ ମଧ୍ୟରେ ଏହାର ହାର ୨୨.୭ ପ୍ରତିଶତ ଥିବା ବେଳେ ୬୦ ବର୍ଷରୁ ଊର୍ଦ୍ଧ୍ୱ ପୁରୁଷଙ୍କ କ୍ଷେତ୍ରରେ ୪୬.୨ ପ୍ରତିଶତ ରହିଛି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
