Local History: ଅନାଲୋଚିତ ସ୍ଥାନୀୟ ଇତିହାସ: ଶାକ୍ତ ଓ ବୈଷ୍ଣବର ଅପୂର୍ବ ସମନ୍ବୟ

Nov 07, 2026 - 03:32
Local History: ଅନାଲୋଚିତ ସ୍ଥାନୀୟ ଇତିହାସ: ଶାକ୍ତ ଓ ବୈଷ୍ଣବର ଅପୂର୍ବ ସମନ୍ବୟ

ମାଧବ ମିଶ୍ର ଦୂର ଅତୀତରେ ଦଶପଲ୍ଲାର ଘୋର ଅରଣ୍ୟ ଭିତରେ ଘଟିଥିବା ଆର୍ଯ୍ୟ-ଆର୍ଯ୍ୟୋତ୍ତର ଓ ଶାକ୍ତ-ବୈଷ୍ଣବ ମିଶ୍ରଣ ଭିତରେ ଥିବା ଓଡ଼ିଆ ଶିଳ୍ପକଳାର ଐତିହ୍ୟ କିପରି ମୋଗଲ ଓ ମରହଟ୍ଟା ବର୍ଗୀଙ୍ଗ ଶାସନ କାଳରେ, ପ୍ରାୟ ଶତାଧିକ ବର୍ଷ ଧରି, ଗୋଟିଏ ଛୋଟିଆ ନଈ ଭିତରେ ପଥର ଖଣ୍ଡ ଭଳି ପଡ଼ି ରହିଥିଲା, ତାହା ଆଜି ସୁଦ୍ଧା ଅନାଲୋଚିତ ହୋଇ ରହିଛି।

ତତ୍‌କାଳୀନ ବୌଦ୍ଧ ଗଡ଼ଜାତ ଅନ୍ତର୍ଗତ ମହାନଦୀ ଅବବାହିକାର ବିଚ୍ଛିନ୍ନାଞ୍ଚଳକୁ ନେଇ ଭଞ୍ଜବଂଶୀ ବୌଦ୍ଧ ରାଜାଙ୍କର ଜଣେ ଉଚ୍ଚାଭିଳାଷୀ ଭାଇ ଶାଳଭଞ୍ଜଙ୍କ ଦ୍ବାରା ୧୪୯୫-୯୮ରେ ବଡ଼ମୂଳ ଠାରେ ଦଶପଲ୍ଲା ରାଜ୍ୟ ପ୍ରତିଷ୍ଠା ହୋଇଥିଲା।

ଏହା ଥିଲା ବୌଦ୍ଧ ରାଜଶାସନର ଏକ ଅନିବାର୍ଯ୍ୟ ଭୌଗୋଳିକ ପରିଣାମ।

କନ୍ଧ ଦେଶ ବୋଲି କୁହାଯାଇଥିବା ଏହି ବିଚ୍ଛିନ୍ନାଞ୍ଚଳର କେତେକ କନ୍ଧ ଓ ଖଇରାମାନଙ୍କୁ ‌ବଶ କରି ଦଶ କୋଶ ପରିମିତ ଅଞ୍ଚଳକୁ ପ୍ରଥମେ ଦଖଲ କରି ରାଜା ଗଣିଆରେ ଗଡ଼ ସ୍ଥାପନ କଲେ।

ନୂଆ ରାଜ୍ୟର ମୂଳଦୁଆ ନିଶ୍ଚିତ ହେବା ପରେ ପରବର୍ତ୍ତୀ ରାଜା, ରାଜ୍ୟ ବିସ୍ତାର ତଥା କେନ୍ଦ୍ରାଞ୍ଚଳକୁ ଗତି କରିବା ଲକ୍ଷ୍ୟରେ ସବୁଠାରୁ ବଡ଼ ଖମାର ଗଁା ମଧ୍ୟଖଣ୍ଡକୁ ଆସିଲେ।

ରାଜା ବିଭିନ୍ନ ସ୍ଥାନରୁ ଲୋକ ଆଣି ମଧ୍ୟଖଣ୍ଡକୁ ଏକ ଉନ୍ନତ ଚାଷୀ ଗ୍ରାମ କରିବା ସହ ବିଭିନ୍ନ ଜାତିର ପ୍ରଜା, କାରିଗର, ସେବକ ଓ ପାଇକ ଇତ୍ୟାଦିଙ୍କ ସମାବେଶରେ ଏକ ପୂର୍ଣ୍ଣାଙ୍ଗ ଗ୍ରାମରେ ପରିଣତ କରିଥିଲେ।

ବର୍ଷ ସାରା ଦୁଇଟି ନଦୀର ଜଳଧାରା ମଧ୍ୟଖଣ୍ଡକୁ ଆତ୍ମନିର୍ଭର କରୁଥିବା ଦଶପଲ୍ଲା ନାମକରଣ ପୂର୍ବରୁ ମଧ୍ୟଖଣ୍ଡ ଥିଲା ବୌଦ୍ଧ ରାଜାଙ୍କ ଦ୍ବାରା ରାଜଦତ୍ତ ନଁା।

ଏହି ଗ୍ରାମର ଦକ୍ଷିଣ ଓ ପଶ୍ଚିମ ଦିଗରେ କୁଅଁାରିଆ ନଦୀ କୂଳରେ ବାସ କରୁଥିବା ଦୁଇ ଅତି ଦୁର୍ଦ୍ଦାନ୍ତ କନ୍ଧ ଗୋଷ୍ଠୀ ନିଜ ଦଳପତିକୁ ଛାଡ଼ି ଆଉ କାହାର ବଶ୍ୟତା ସ୍ବୀକାର କରୁ ନ ଥିଲେ।

ସେମାନଙ୍କ ତୀବ୍ର ବିରୋଧ ହେତୁ ରାଜା ମଧ୍ୟଖଣ୍ଡ ଗଁା ଭିତର ଗଡ଼କୁ ଛାଡ଼ି ଉତ୍ତର ଦିଗ ଅରଣ୍ୟ ଭିତରେ ଆଉ ଗୋଟିଏ ଗଡ଼ ତିଆରି କରିଥିଲେ, ଜରୁରିକାଳୀନ ସୁରକ୍ଷା ଲାଗି।

ଏହି ଦୁଇ କନ୍ଧ ଗୋଷ୍ଠୀ ନିଜ ନିଜର ଇଷ୍ଟଦେବୀଙ୍କ ପ୍ରତି ଅତ୍ୟନ୍ତ ଅନୁରକ୍ତ ଏବଂ ଓଡ଼ିଶାର ପାରମ୍ପରିକ ଦଶହରା ପୂଜାରେ ନିଜର ହାତହତିଆର ଓ ସଜ ଅନୁକୂଳ କରିଥାନ୍ତି।

ତେଣୁ ଶକ୍ତିପୂଜା ମାଧ୍ୟମରେ ସେମାନଙ୍କ ସହ ସଂପର୍କ ଯୋଡ଼ିବା ଲକ୍ଷ୍ୟରେ ରାଜା ମଧ୍ୟଖଣ୍ଡ ଗଁାଠାରୁ ଅଦୂରରେ, ପାହାଡ଼ ପାଦଦେଶରେ, ଏକ ବିରାଟ ଦଶହରା ପଡ଼ିଆ ନିର୍ମାଣ କଲେ।

ମଧ୍ୟଖଣ୍ଡର ଦକ୍ଷିଣକୁ ଥିବା 'ଅମେଇତ' କନ୍ଧଙ୍କ ଇଷ୍ଟଦେବୀ ବ୍ରାହ୍ମଣୀଦେଈ ଓ ପଶ୍ଚିମ ଦିଗ କନ୍ଧ ଗୋଷ୍ଠୀଙ୍କ ଇଷ୍ଟଦେବୀ ନାୟିକାଶୁଣୀଙ୍କ ପୀଠ ପୂଜାର କ୍ଷେତ୍ର ବିସ୍ତୃତ କରି ତାକୁ ଦଶହରାରେ ଦୁର୍ଗାମାଧବ ଉପାସନା ସହ ଯୋଡ଼ି ଦେଲେ; ଶାକ୍ତ ଓ ବୈଷ୍ଣବର ସମନ୍ବୟ ଘଟିଗଲା।

ଏହିଭଳି ଏକ ପୃଷ୍ଠଭୂମିରେ କୌଣସି ବିଚକ୍ଷଣ ଗ୍ରାମ୍ୟଶିଳ୍ପୀ ଦ୍ବାରା ରୂପ ପାଇଛନ୍ତି ମଧ୍ୟଖଣ୍ଡର ପାଷାଣ ପ୍ରତିମା ମହାଦେବୀ: ଶଙ୍ଖ ଚକ୍ର ଓ ଶୂଳଧାରିଣୀ ଚତୁର୍ଭୁଜା ମହିଷାମର୍ଦ୍ଦିନୀ ଦୁର୍ଗା।

ଦେବୀଙ୍କର ଗୋଟିଏ ପାଦ ତାଙ୍କ ବାହାନ ସିଂହ ଉପରେ, ଅନ୍ୟ ପାଦଟି ମସ୍ତକ ଛେଦିତ ମହିଷା ଉପରେ।

ଏବଂ ଠିକ୍ ଦୁର୍ଗା ସପ୍ତଦଶୀ ୩ୟ ଅଧ୍ୟାୟ ବର୍ଣ୍ଣନା ଅନୁସାରେ ଶିର ଛେଦନ ପରେ ମଇଁଷି ଭିତରୁ ଅର୍ଦ୍ଧ-ନିଷ୍କ୍ରାନ୍ତ ଅସୁରକୁ ଦେବୀ ଦୁଇ ହାତରେ ଶୂଳବିଦ୍ଧ କରୁଥିବା ବେଳେ ଅନ୍ୟ ଦୁଇ ହାତରେ ଶଙ୍ଖଚକ୍ର ଧାରଣ କରି ନିଜର ଦୁର୍ଗାମାଧବ ସ୍ବରୂପ ଦର୍ଶାଉଛନ୍ତି।

Advertisment Pollution: ବିଶ୍ୱର ୨୦ ସର୍ବାଧିକ ପ୍ରଦୂଷିତ ସ୍ଥାନ ଭାରତରେ, ଶୀର୍ଷ ୧୦ରେ ନାହିଁ ଦିଲ୍ଲୀ ଆଦିବାସୀ ଓ ଅଣ-ଆଦିବାସୀ ପାଇକ, କମାର, ବଢ଼େଇ, ତନ୍ତୀ, କୁମ୍ଭାର, ଚାଷୀ, ଶିଳ୍ପୀ ଓ କାରିଗରଗଣ ନିଜ ନିଜର ଉପକରଣ ସହ ଦଶହରା ଦିନ ରାଜ ନିମନ୍ତ୍ରଣରେ ଏହି ପଡ଼ିଆରେ ଏକତ୍ର ହେଉଥିଲେ।

ଗଁା ଭିତର ଗଡ଼ରେ ଥିବା ଉଆସରୁ ଧାତବ ଦୁର୍ଗା, ମାଧବ ପ୍ରତିମା ସେଠାକୁ ଚଉଦୋଳରେ ଆସୁଥିଲେ।

ପର୍ବ ଓ ଉତ୍ସବ ପାଳନରେ ମୁଖର ଏହି ପଡ଼ିଆ ଥିଲା ରାଜା, ପ୍ରଜା ଓ ବିଶେଷ ଭାବେ ପ୍ରତିକ୍ରିୟାଶୀଳ ଓ ପରାକ୍ରମୀ କନ୍ଧପ୍ରଜାଙ୍କୁ ଶାନ୍ତ କରିବାର ଏକ ମଞ୍ଚ।

ପରିଶେଷରେ ଦଶହରା ଦିନ ଏକ ତୋପ ଫୁଟିବା ପରେ ଘରେ ଘରେ ହେଉଥିଲା ସଜ ଅନୁକୂଳ।

ସବୁ ଉଦ୍ୟମ ପରେ ବି ରାଜ୍ୟ ବିସ୍ତାର ଲାଗି ଆଗକୁ ଅଗ୍ରସର ହେବା ବାଟରେ ଉଗ୍ର କନ୍ଧମାନେ ପ୍ରତିବନ୍ଧକ ହେବାରୁ ରାଜା ଭେଦ ପ୍ରୟୋଗ କଲେ।

'ଅମେଇତ' କନ୍ଧଙ୍କ ପୁରୋହିତ ବାସୁଦେବ ମିଶ୍ର ରାଜ ପ୍ରଲୋଭନରେ ପଡ଼ି ଛଳ ପ୍ରୟୋଗ ପୂର୍ବକ ଅମେଇତ ସର୍ଦ୍ଦାର ଗୋବିନ୍ଦ ଦଳବେହେରାଙ୍କୁ ଧରାଇଦେଲେ।

ଏଇ ଶ୍ରେଣୀୟ କନ୍ଧ ଶିର ନତ କରିବା ନ ଥାନ୍ତି।

ସର୍ଦ୍ଦାର ସର୍ତ୍ତ ରଖିଲା ଯେ ତା'ର ଆଦେଶ ପାଳନ କଲେ ଯାଇ ରାଜାଙ୍କୁ ସ୍ବୀକୃତି ମିଳିବ।

ଆଦେଶ ହେଲା ଯେ ତା'ର କଟା ମୁଣ୍ଡ ଅମେଇତଙ୍କ ଇଷ୍ଟଦେବୀ ବ୍ରାହ୍ମଣୀଦେଈଙ୍କ ପାଖରେ ପୋତାଯିବ ଓ ନୂଆ ରାଜ୍ୟରେ ସେମାନେ ପୂଜା ପାଇବେ।

ବହୁ ବର୍ଷ ଧରି ଏବେ ମଧ୍ୟ ଗହ୍ମା ପୂର୍ଣ୍ଣମୀ ଦିନ ଛାଗ ବଳି ସହ ମଧ୍ୟଖଣ୍ଡ ଡିହବର ଗହୀରରେ ଗୋବିନ୍ଦ ଓ ବ୍ରାହ୍ମଣୀଦେଈ ପୂଜା ପାଇ ଆସୁଛନ୍ତି।

ବାସୁଦେବ ମିଶ୍ରଙ୍କ ପରିବାର ବଡ଼ପଣ୍ଡା ଉପାଧି ସହ ରକ୍ତପଟା ଜାଗିର ପ୍ରାପ୍ତ ହେଲେ।

ଭଞ୍ଜବଂଶୀ ରାଜାମାନେ ଶାନ୍ତିପ୍ରିୟ।

ତେଣୁ ଅମେଇତ ସର୍ଦ୍ଦାରକୁ ସମ୍ମାନ ଦେଇ ରାଜା ଦକ୍ଷିଣ ଦିଗକୁ ଅଗ୍ରସର ହେଲେ।

ନୟାଗଡ଼ ରାଜାଙ୍କ ଠାରୁ କୋରଡ଼ାଗଡ଼ ପ୍ରାପ୍ତ ହେବାରୁ ନୟାଗଡ଼କୁ ସଂଯୋଗ କରୁଥିବା ଏକ ସ୍ଥାନ ନିର୍ବାଚିତ କରି ଅସ୍ଥାୟୀ ଭାବେ ଏକ ବସତି ସ୍ଥାପନ ପୂର୍ବକ ଔପଚାରିକ ଭାବେ ନିଜ ରାଜ୍ୟର ନାମ 'ଦଶପଲ୍ଲା' ବୋଲି ଘୋଷଣା କଲେ।

ହୁଏତ ଦ‌ଶଟି ମୁଖ୍ୟ ପ୍ରଗଣାର ଅଧିକାରୀ ଭାବେ, ପଶ୍ଚିମ ଓଡ଼ିଶାରେ ଗଁାକୁ ପଲ୍ଲା କୁହାଯିବା ନ୍ୟାୟରେ, ରାଜା ଦଶପଲ୍ଲା ନାମକରଣ କରିଥାଇପାରନ୍ତି।

ନାୟିକାଶୁଣୀ ପୂଜିତ କୁଅଁାରିଆ ନଦୀକୂଳ ବିସ୍ତୀର୍ଣ୍ଣ କନ୍ଧ ଅଞ୍ଚଳଟି ରାଜାଙ୍କର ଏହି ନୂଆ ବସତିର ନିକଟବର୍ତ୍ତୀ ଏବଂ ଏହା ନୟାଗଡ଼, ଘୁମୁସର, ଗଣିଆ ଓ ବଡ଼ମୂଳର ସଂଯୋଗ ସ୍ଥଳ।

ରାଜାଙ୍କ ଆଖି ସବୁବେଳେ ସେଇଠି।

ନବ ଘୋଷିତ ଦଶପଲ୍ଲାରେ ପୂର୍ବର ରାଜ ପରମ୍ପରା କ୍ରମେ ଏକ ଦଶହରା ପଡ଼ିଆ ନିର୍ମାଣ କରି ଦଶହରା ପାଳନ ଓ ଦୁର୍ଗାମାଧବ ପୂଜନ ଆରମ୍ଭ କରାଗଲା।

ସମୟ କ୍ରମେ ରାଜା କନ୍ଧ ସର୍ଦ୍ଦାର କୁଞ୍ଜ ମଳିକ ସହ ପ୍ରଥମେ ବିବାଦ ଓ ପରେ ବୁଝାମଣାରେ ପହଞ୍ଚିଲେ।

ଏହି ପ୍ରକରଣରେ କୁଞ୍ଜ ମଳିକର ସର୍ଦ୍ଦାରୀ ସର୍ତ୍ତ ଥିଲା ଯେ ସେ ସ୍ବେଚ୍ଛାରେ ତା'ର ଶିର ଦାନ କରିବ ଏବଂ ସେହି ଛେଦ ଭୂଇଁରେ ଇଷ୍ଟ ଦେବୀ ନାୟିକାଶୁଣୀଙ୍କୁ ଗଡ଼ଦେବୀ ବୋଲି ରାଜା ସ୍ବୀକାର କରି ସେଠାରେ ଯେଉଁ ଗଡ଼ ନିର୍ମିତ ହେବ ତାହାର ନାମ ଯେମିତି ରଖାଯିବ 'କୁଞ୍ଜବନଗଡ଼'।

ରାଜା ସେଭଳି କରି ସେହି ସ୍ଥାନକୁ ଦଶପଲ୍ଲା ବୋଲି ଘୋଷଣା କଲେ ଏବଂ ପୂର୍ବ 'ପୁରୁଣା ଦଶପଲ୍ଲା' ହୋଇଗଲା।

ରାଜ ପରମ୍ପରା କ୍ରମେ ଏବେ ବି ଦଶପଲ୍ଲା ରାଜନଅରରୁ ମା' ଦୁର୍ଗା ଦଶହରାରେ ତିନି ଦିନ ପୂଜା ପାଇବାକୁ ପୁରୁଣା ଦଶପଲ୍ଲା ଯାଆନ୍ତି।

ସେଠି ଦଶହରା ପଡ଼ିଆରେ ତୋପ ଫୁଟାଯାଉଛି ଏବଂ ସେଠାରୁ ଫେରି ପୁନଶ୍ଚ ରାଜନଅରରୁ ମାଧବଙ୍କ ସହ ହାଟପଦାକୁ ଯାଇ ଦଶହରା ସଂପୂର୍ଣ୍ଣ କରନ୍ତି।

ତେଣେ ରାଜା ମଧ୍ୟଖଣ୍ଡ ଛାଡ଼ିବା ପରେ କିଛି ବର୍ଷ ଧରି ଦଶହରା ପଡ଼ିଆ ମହୋତ୍ସବ ଚାଲିଥିଲେ ବି କ୍ରମେ ତାହା ରାଜାଙ୍କ ସୀମାନ୍ତ ବିରାଦରଙ୍କ ଦ୍ବାରା ନିଜ ଘରେ ପାଳିତ ହେଲା।

ଏବେ ଏହା ସ୍ବର୍ଗତ ରୁଦ୍ରମାଧବ ରାୟଙ୍କ ପରିବାରରେ ଚାଲିଛି।

କିନ୍ତୁ ସମୟ କ୍ରମେ ମୁସଲମାନ ଶାସକଙ୍କ ମୂର୍ତ୍ତି ଭାଙ୍ଗିବା ଆତଙ୍କରେ ବିଶାଳ ପ୍ରତିମା ଗୋପ୍ୟ ହୋଇଗଲେ।

ବିଶେଷ ଭାବେ କଟକ ନାଏବ ନାଜିମ ତକୀଖଁା ଆକ୍ରମଣ ଡରରେ ଜଗନ୍ନାଥ ବାରମ୍ବାର ଲୁଚିବାର ପ୍ରଭାବ ଗଡ଼ଜାତମାନଙ୍କ ଉପରେ ପଡ଼ିଲା।

ଏକ ବିସ୍ତୃତ କାଳଖଣ୍ଡ ଯାଏ ମୋଗଲ ଭୟ ଅନୁନ୍ନତ ଦଶପଲ୍ଲା ଅଞ୍ଚଳକୁ ଗ୍ରାସ କରିଥିଲା।

ଜଗନ୍ନାଥଙ୍କ ବାରମ୍ବାର ନିର୍ବାସନ ସହ ରାମଚନ୍ଦ୍ର ଦେବଙ୍କ ପୁଅ ଭାଗିରଥୀ ‌କୁମାର ୧୭୩୨-୩୩ରେ ଦଶପଲ୍ଲା ଆସି ନିର୍ଜନ ଜୀବନ ବିତାଇବା, ସ୍ବୟଂ ରାମଚନ୍ଦ୍ର ଦେବ ନୟାଗଡ଼, ଖଣ୍ଡପଡ଼ା ସୀମା ଜଙ୍ଗଲ ରେ ତକୀଖଁା ଡରରେ ୧୭୩୪-୩୫ରେ ଲୁଚି ବୁଲିବା ଓ ଦଶପଲ୍ଲା ସୀମାନ୍ତ ନରସିଂହପୁର ରାଜ୍ୟ ଘୋରାଡ଼ିଆ ଗ୍ରାମରେ, ୧୭୩୭ ମସିହା ଡିସେମ୍ବରରେ, ପାଟମହାଦେଈ ସୂର୍ଯ୍ୟମଣିଙ୍କ ସହ ବିଷ ପାନ କରି ଆତ୍ମହତ୍ୟା କରିବା ଭଳି ଅଘଟଣଗୁଡ଼ିକ ଛୋଟିଆ ଦଶପଲ୍ଲା ରାଜ୍ୟକୁ ଆତଙ୍କିତ କରିଥିଲା।

ମୁସଲମାନମାନେ ବଡ଼ବଡ଼ ହିନ୍ଦୁ ଦେବଦେବୀଙ୍କ ଭିତରୁ ବିଶାଳ ଦୁର୍ଗା ଓ ହନୁମାନ ପ୍ରତିମାମାନଙ୍କୁ ଆଦୌ ସହି ପାରୁ ନ ଥ‌ିଲେ।

୧୬୬୦ ମସିହା ପରଠାରୁ ଭାରତରେ ଅନେକ ପ୍ରତିମାଙ୍କୁ ଭାଙ୍ଗି ଦିଆଯାଇଛି ତ କାହାକୁ ପାଣି ଭିତରେ ବା ମାଟି ତଳେ ଗୋପ୍ୟ କରାଯାଇଛି।

ମଧ୍ୟଖଣ୍ଡର ମହାଦେବୀ ସେହି ଭଳି ଗଁାର ବେଶାଳିଆ ନଈ ଭିତରେ ପଥର ଗଣ୍ଡରେ ମୁହଁ ମାଡ଼ି ପଡ଼ି ରହିଲେ।

ତାଙ୍କର ଗୋଟିଏ ପାର୍ଶ୍ବ ମୂର୍ତ୍ତି ମାଟି ତଳେ ପୋତି ଦିଆଯାଇଥିଲା।

ତେବେ, ସମ୍ଭବତଃ ଊନବିଂଶ ଶତାବ୍ଦୀର ଉତ୍ତରାର୍ଧରେ ନଦୀରୁ ଉଦ୍ଧାର କରାଯିବା ପରେ ମହାଦେବୀ ଦୁର୍ଗା ମଧ୍ୟଖଣ୍ଡ ସ୍ବପ୍ନେଶ୍ବର ମନ୍ଦିର ବେଢ଼ାରେ ଏକ ସ୍ବତନ୍ତ୍ର ମନ୍ଦିରରେ ସ୍ଥାନ ପାଇଥିଲେ।

ତାଙ୍କ ଭିତରେ ଶାନ୍ତ ଓ କୋମଳ ପାର୍ବତୀଙ୍କୁ ପରିକଳ୍ପନା କରି ଶିବଙ୍କ ଅନୁସଙ୍ଗୀ ଜ୍ଞାନରେ ଗ୍ରାମବାସୀ ତାଙ୍କ ପୂଜା କରିଆସୁଥିଲେ।

କିନ୍ତୁ ଓଡ଼ିଶାରେ ଶଙ୍ଖ, ଚକ୍ର ଓ ଶୂଳଧାରିଣୀ ଚତୁର୍ଭୁଜା ମହିଷାମର୍ଦ୍ଦିନୀ ଦୁର୍ଗାଙ୍କ ବିରଳ ଉପସ୍ଥିତି ହେତୁ ଏହି ପ୍ରତିମା ନିକଟ ଅତୀତରେ କିଛି ଗବେଷକ ଓ ପରେ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ପ୍ରତ୍ନତତ୍ତ୍ବ ବିଭାଗଙ୍କ କ୍ଷେତ୍ର ପରିଦର୍ଶନ କରିଥିଲେ।

ତା' ପରେ, ଏବେ, ଦୁଇ ବର୍ଷ ହେଲା ମୂର୍ତ୍ତି ମା' ଦୁର୍ଗା ଭାବେ ପୂଜିତା ହେଉଛନ୍ତି।

ଦେବୀଙ୍କ ସହ ଉଦ୍ଧାର ହୋଇଥିବା ଛୋଟ ଯୋଗିନୀ ମୂର୍ତ୍ତିଟି ଗଁାର ବିରୁପାକ୍ଷେଶ୍ବର ମନ୍ଦିରରେ ପାର୍ଶ୍ବଦେବୀ ଭାବେ ଅଛନ୍ତି।

ତେବେ, ଏହି ଐତିହାସିକ ପୃଷ୍ଠଭୂମି ସଚେତନ ଭାବେ ଜନ ସ୍ମୃତିରେ ଥାଉ ବା ନ ଥାଉ କେତେ ଶହ ବର୍ଷ ତଳେ ମଧ୍ୟଖଣ୍ଡ ଦଶହରା ପଡ଼ିଆରେ ଆରମ୍ଭ ହୋଇଥିବା ଦୁର୍ଗାମାଧବ ପୂଜନ ଆଜି ମଧ୍ୟ ପୁରୁଣା ଦଶପଲ୍ଲା ଓ ଦଶପଲ୍ଲା ରାଜନଅରରେ ରାଜପରମ୍ପରାରେ ପାଳିତ ହେଉଛି। (ମତାମତ ଲେଖକଙ୍କ ନିଜସ୍ବ) ମୋ: ୯୪୩୭୪୩୧୦୨୦

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)