ମହାକାଶରେ ପରମାଣୁ ଆତଙ୍କ ଖେଳାଇବ ରୁଷ! ଡିସେମ୍ବରରେ ଉତ୍‌କ୍ଷେପଣ ଆଶଙ୍କା, ନାଟୋରେ ବଢ଼ିଲା ଚିନ୍ତା

Nov 24, 2026 - 13:10
ମହାକାଶରେ ପରମାଣୁ ଆତଙ୍କ ଖେଳାଇବ ରୁଷ! ଡିସେମ୍ବରରେ ଉତ୍‌କ୍ଷେପଣ ଆଶଙ୍କା, ନାଟୋରେ ବଢ଼ିଲା ଚିନ୍ତା

ନନ୍ଦିଘୋଷ ବ୍ୟୁରୋ: ରୁଷ-ୟୁକ୍ରେନ ଯୁଦ୍ଧର ପ୍ରଭାବ ଏବେ ମହାକାଶ ପର୍ଯ୍ୟନ୍ତ ପହଞ୍ଚିବା ଆଶଙ୍କା ସୃଷ୍ଟି ହୋଇଛି। ମହାକାଶରେ ପରମାଣୁ ଅସ୍ତ୍ର ମୁତୟନ କରିବାକୁ ରୁଷ ଯୋଜନା କରୁଥିବା ନେଇ ଏକ ଚାଞ୍ଚଲ୍ୟକର ରିପୋର୍ଟ ସାମ୍ନାକୁ ଆସିଛି। ଜର୍ମାନ ଗୁଇନ୍ଦା ସଂସ୍ଥାର ଏହି ରିପୋର୍ଟ ନାଟୋ ଦେଶଗୁଡ଼ିକର ଚିନ୍ତା ବଢ଼ାଇଛି। ରିପୋର୍ଟ ଅନୁସାରେ, ରୁଷ ଡିସେମ୍ବର ସୁଦ୍ଧା ପୃଥିବୀର କକ୍ଷପଥରେ ପରମାଣୁ ଅସ୍ତ୍ର ବହନ କରିପାରୁଥିବା ଏକ ଉପଗ୍ରହ ଉତ୍‌କ୍ଷେପଣ କରିପାରେ। ଏଭଳି ପଦକ୍ଷେପ ବିଶ୍ୱର ଯୋଗାଯୋଗ, ଇଣ୍ଟରନେଟ୍, ନାଭିଗେସନ୍ ଓ ପାଣିପାଗ ସେବା ପାଇଁ ବଡ଼ ବିପଦ ସୃଷ୍ଟି କରିପାରେ।

ଜର୍ମାନୀର ବିଦେଶୀ ଗୁଇନ୍ଦା ସଂସ୍ଥା BND ଏବଂ ସାମରିକ ବାହିନୀର ବିଶ୍ଳେଷଣ ଅନୁଯାୟୀ, ରୁଷ କିଛି ବର୍ଷ ପୂର୍ବରୁ ‘ସ୍ପୁଟନିକ୍-ଏସ୍’ ନାମକ ଏକ ଉପଗ୍ରହ ବିକଶିତ କରିଛି। ଏହା ବର୍ତ୍ତମାନ ମସ୍କୋରେ ରଖାଯାଇଥିବା ଦାବି କରାଯାଇଛି। ନଭେମ୍ବର ଆରମ୍ଭରେ ମିଳିଥିବା ଗୁଇନ୍ଦା ସୂଚନା ଅନୁସାରେ, ଏହାକୁ ୬୦ ଦିନ ମଧ୍ୟରେ ମହାକାଶକୁ ପଠାଇବା ସମ୍ଭବ। ତେବେ ଏହି ଯୋଜନା ସମ୍ପର୍କରେ ରୁଷ ପକ୍ଷରୁ କୌଣସି ଅଧିକାରିକ ସ୍ୱୀକୃତି ମିଳିନାହିଁ।

କ’ଣ ପ୍ରସ୍ତୁତି କରୁଛି ରୁଷ?

ଜର୍ମାନ ରିପୋର୍ଟ ଅନୁସାରେ, ନଭେମ୍ବର ଆରମ୍ଭରେ ନାଟୋର ଅନେକ ସଦସ୍ୟ ଦେଶ ଏହି ଉପଗ୍ରହ ସମ୍ପର୍କିତ ଗୁଇନ୍ଦା ସୂଚନା ପରସ୍ପର ମଧ୍ୟରେ ଆଦାନପ୍ରଦାନ କରିଥିଲେ। ଜର୍ମାନ ସେନାର ସ୍ପେସ୍ କମାଣ୍ଡ ଆକଳନ କରିଛି ଯେ ଡିସେମ୍ବରରେ ଏହାର ଉତ୍‌କ୍ଷେପଣ ହୋଇପାରେ। ଏହି ଉପଗ୍ରହରେ ପରମାଣୁ ବିସ୍ଫୋରଣ ଘଟିଲେ ପୃଥିବୀର ନିମ୍ନ କକ୍ଷପଥରେ ଥିବା ଅନେକ ଉପଗ୍ରହ ପ୍ରଭାବିତ ହୋଇପାରନ୍ତି। ଫଳରେ ନାଭିଗେସନ୍, ଟେଲିକମ୍ୟୁନିକେସନ୍, ପାଣିପାଗ ସୂଚନା ଏବଂ ସାମରିକ ଯୋଗାଯୋଗ ବ୍ୟବସ୍ଥା ବାଧାପ୍ରାପ୍ତ ହେବାର ଆଶଙ୍କା ରହିଛି। ଏଭଳି ବଡ଼ ଧରଣର ମହାକାଶ ବିପର୍ଯ୍ୟୟର ମୁକାବିଲା ପାଇଁ ଜର୍ମାନୀର ପ୍ରସ୍ତୁତି ଯଥେଷ୍ଟ ନୁହେଁ ବୋଲି ରିପୋର୍ଟରେ ଚିନ୍ତା ପ୍ରକାଶ କରାଯାଇଛି।

ମହାକାଶରେ ପରମାଣୁ ବିସ୍ଫୋରଣ କେତେ ଭୟଙ୍କର?

ମହାକାଶରେ ପରମାଣୁ ବିସ୍ଫୋରଣର ପ୍ରଭାବ କେବଳ ଗୋଟିଏ ଉପଗ୍ରହ ମଧ୍ୟରେ ସୀମିତ ରହିବ ନାହିଁ। ଏଥିରୁ ସୃଷ୍ଟି ହେଉଥିବା ଇଲେକ୍ଟ୍ରୋମ୍ୟାଗ୍ନେଟିକ୍ ପଲ୍ସ (EMP) ଅନ୍ୟ ଉପଗ୍ରହର ସମ୍ବେଦନଶୀଳ ଇଲେକ୍ଟ୍ରୋନିକ୍ ବ୍ୟବସ୍ଥାକୁ କ୍ଷତି ପହଞ୍ଚାଇପାରେ। ସେହିପରି ବିସ୍ଫୋରଣରୁ ସୃଷ୍ଟି ହେଉଥିବା ବିକିରଣ ଦୀର୍ଘ ସମୟ ଧରି ମହାକାଶରେ ରହି ଅନ୍ୟ ଉପଗ୍ରହଗୁଡ଼ିକୁ ପ୍ରଭାବିତ କରିପାରେ। ଆମେରିକାର ଅଧିକାରୀମାନେ ମଧ୍ୟ ଏନେଇ ଚିନ୍ତା ପ୍ରକାଶ କରିଛନ୍ତି। ବିଶେଷକରି ଷ୍ଟାରଲିଙ୍କ୍ ଭଳି ଉପଗ୍ରହ ନେଟୱାର୍କ ଏହାର ପ୍ରଭାବରେ ଆସିପାରେ ବୋଲି ଆଶଙ୍କା କରାଯାଉଛି। ରୁଷ-ୟୁକ୍ରେନ ଯୁଦ୍ଧ ସମୟରେ ୟୁକ୍ରେନ ସେନା ଯୋଗାଯୋଗ ଓ ଇଣ୍ଟରନେଟ୍ ପାଇଁ ଷ୍ଟାରଲିଙ୍କ୍ ଉପରେ ନିର୍ଭର କରୁଛି।

ଅଭିଯୋଗକୁ ଖଣ୍ଡନ କଲା ରୁଷ

ଅନ୍ୟପଟେ ଜର୍ମାନ ଗୁଇନ୍ଦା ରିପୋର୍ଟକୁ ରୁଷ ଖଣ୍ଡନ କରିଛି। କ୍ରେମଲିନ୍ ମୁଖପାତ୍ର ଦିମିତ୍ରୀ ପେସକୋଭ୍ ଏଭଳି ରିପୋର୍ଟକୁ ଗୁରୁତ୍ୱ ଦେବାର ଆବଶ୍ୟକତା ନଥିବା କହିଛନ୍ତି। ଜର୍ମାନୀରେ ଥିବା ରୁଷ ଦୂତାବାସ ମଧ୍ୟ ଏହି ଅଭିଯୋଗକୁ ପ୍ରଚାର ବୋଲି କହିଛି। ରୁଷର ମହାକାଶ କାର୍ଯ୍ୟକ୍ରମ ଅନ୍ତର୍ଜାତୀୟ ନିୟମ ଅନୁସାରେ ଶାନ୍ତିପୂର୍ଣ୍ଣ ଉଦ୍ଦେଶ୍ୟରେ ପରିଚାଳିତ ହେଉଥିବା ଦାବି କରିଛି ମସ୍କୋ। ତେବେ ରୁଷର ଜାତୀୟ ସୁରକ୍ଷା ପରିଷଦର ଉପାଧ୍ୟକ୍ଷ ଦିମିତ୍ରୀ ମେଦଭେଦେଭ୍ ଏକ ଲେଖାରେ କହିଛନ୍ତି ଯେ ୟୁକ୍ରେନ ଓ ନାଟୋ ଦେଶଗୁଡ଼ିକର କାର୍ଯ୍ୟକଳାପ ଯୋଗୁଁ ଏଭଳି ପରିସ୍ଥିତି ଉପୁଜିଛି, ଯେଉଁଠାରେ ରୁଷ ପରମାଣୁ ଅସ୍ତ୍ର ବ୍ୟବହାର କରିବା କଥା ବିଚାର କରିଛି। ରୁଷର ସମାଚାର ସଂସ୍ଥା TASS ଅନୁସାରେ, କୌଣସି ପ୍ରତିଶୋଧମୂଳକ ପଦକ୍ଷେପ ପୂର୍ବରୁ ହୋଇଥିବା କ୍ଷତି ଓ ତାହାର ଅନୁପାତକୁ ରୁଷ ମୂଲ୍ୟାଙ୍କନ କରିଥାଏ ବୋଲି ସେ କହିଛନ୍ତି।

ଏହି ପ୍ରସଙ୍ଗରେ ନାଟୋ ମୁଖ୍ୟ ମାର୍କ ରୁଟ୍ କହିଛନ୍ତି ଯେ ସଂଗଠନ ନିଜର ସୁରକ୍ଷା ଓ ପ୍ରତିରକ୍ଷା ବ୍ୟବସ୍ଥାର ନିରନ୍ତର ସମୀକ୍ଷା କରୁଛି। ଜର୍ମାନ ଚାନ୍ସେଲର ଫ୍ରେଡ୍ରିକ୍ ମର୍ଜଙ୍କ ସହ ବର୍ଲିନରେ ଆଲୋଚନା ସମୟରେ ସେ ମହାକାଶ ସମେତ ସମସ୍ତ କ୍ଷେତ୍ରରେ ନାଟୋ ନିଜ ସୁରକ୍ଷା ନିଶ୍ଚିତ କରିବ ବୋଲି କହିଛନ୍ତି।

ଦୁଇଟି ଅନ୍ତର୍ଜାତୀୟ ଚୁକ୍ତିର ଉଲ୍ଲଂଘନ ଆଶଙ୍କା

ମହାକାଶରେ ପରମାଣୁ ଅସ୍ତ୍ର ମୁତୟନ ଅନ୍ତର୍ଜାତୀୟ ଆଇନର ଉଲ୍ଲଂଘନ ହେବ। ୧୯୬୭ ମସିହାର ବାହ୍ୟ ମହାକାଶ ଚୁକ୍ତି (Outer Space Treaty) ଅନୁସାରେ, କୌଣସି ଦେଶ ପୃଥିବୀର କକ୍ଷପଥରେ ପରମାଣୁ ଅସ୍ତ୍ର କିମ୍ବା ଅନ୍ୟ ଗଣବିଧ୍ୱଂସକାରୀ ଅସ୍ତ୍ର ସ୍ଥାପନ କରିପାରିବ ନାହିଁ। ରୁଷ ମଧ୍ୟ ଏହି ଚୁକ୍ତିର ଏକ ପକ୍ଷ। ସେହିପରି ୧୯୬୩ ମସିହାର ଆଂଶିକ ପରମାଣୁ ପରୀକ୍ଷଣ ନିଷେଧ ଚୁକ୍ତି (Partial Test Ban Treaty) ମଧ୍ୟ ମହାକାଶରେ ପରମାଣୁ ବିସ୍ଫୋରଣକୁ ନିଷିଦ୍ଧ କରିଛି। ତେଣୁ ରୁଷର ଏଭଳି କୌଣସି ପଦକ୍ଷେପ କେବଳ ମହାକାଶ ସୁରକ୍ଷା ନୁହେଁ, ବରଂ ବିଶ୍ୱର ଶାନ୍ତି ଓ ଅନ୍ତର୍ଜାତୀୟ ସମ୍ପର୍କ ପାଇଁ ମଧ୍ୟ ଗମ୍ଭୀର ଆହ୍ୱାନ ସୃଷ୍ଟି କରିପାରେ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)