ଧର୍ମେନ୍ଦ୍ରଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀରେ ଭାବବିହ୍ୱଳ ହେମା ମାଳିନୀ, କହିଲେ- ‘ତାଙ୍କ ବିନା ଜୀବନ ଖାଲି ଖାଲି’
ନନ୍ଦିଘୋଷ ବ୍ୟୁରୋ: ବଲିଉଡ୍ର ହିମ୍ୟାନ୍ ଧର୍ମେନ୍ଦ୍ରଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀରେ ଭାବବିହ୍ୱଳ ହୋଇପଡ଼ିଛନ୍ତି ପତ୍ନୀ ତଥା ଅଭିନେତ୍ରୀ ହେମା ମାଳିନୀ। ସ୍ୱାମୀଙ୍କୁ ମନେ ପକାଇ ସୋସିଆଲ ମିଡିଆରେ ଏକ ଭାବପ୍ରବଣ ପୋଷ୍ଟ ସେୟାର କରିଛନ୍ତି। ଏଥିରେ ଧର୍ମେନ୍ଦ୍ରଙ୍କ ସହ ବିତାଇଥିବା ସୁନ୍ଦର ମୁହୂର୍ତ୍ତର ଅନେକ ଫଟୋ ସେୟାର କରିବା ସହ ତାଙ୍କ ବିନା ଜୀବନ କେତେ ଅଧୁରା ଲାଗୁଛି, ତାହା ବଖାଣିଛନ୍ତି। ଧର୍ମେନ୍ଦ୍ରଙ୍କ ବିୟୋଗକୁ ଏକ ବର୍ଷ ବିତିଯାଇଥିଲେ ମଧ୍ୟ ତାଙ୍କୁ ହରାଇବାର ଦୁଃଖ ଆଜି ବି ସେହିପରି ରହିଛି ବୋଲି ହେମା କହିଛନ୍ତି।
ହେମା ମାଳିନୀ ନିଜ ପୋଷ୍ଟରେ ଧର୍ମେନ୍ଦ୍ରଙ୍କୁ କେବଳ ଜୀବନସାଥୀ ନୁହେଁ, ବରଂ ନିଜର ସବୁଠାରୁ ନିକଟତମ ବନ୍ଧୁ, ମାର୍ଗଦର୍ଶକ ଓ ଶକ୍ତି ବୋଲି ବର୍ଣ୍ଣନା କରିଛନ୍ତି। ସେ ଲେଖିଛନ୍ତି, ଗୋଟିଏ ବର୍ଷ ବିତିଗଲାଣି, କିନ୍ତୁ ତାଙ୍କୁ ହରାଇବାର ଦୁଃଖ ଆଦୌ କମିନାହିଁ। ଧର୍ମେନ୍ଦ୍ରଙ୍କ ଭଳି ଜଣେ ବ୍ୟକ୍ତିଙ୍କ ସ୍ଥାନ କେହି କେବେ ନେଇପାରିବେ ନାହିଁ। ସେ କେବଳ ତାଙ୍କ ସ୍ୱାମୀ ନଥିଲେ, ବରଂ ତାଙ୍କର ସମଗ୍ର ଦୁନିଆ ଥିଲେ। ତାଙ୍କ ବିନା ଜୀବନ ଏବେ ଖାଲି ଖାଲି ଲାଗୁଛି।
ଧର୍ମେନ୍ଦ୍ରଙ୍କ ହସଖୁସି ସ୍ୱଭାବ, ସରଳତା ଓ ସମସ୍ତଙ୍କ ପ୍ରତି ଥିବା ଭଲପାଇବାକୁ ମଧ୍ୟ ମନେ ପକାଇଛନ୍ତି ହେମା। ତାଙ୍କ କହିବା ଅନୁସାରେ, ଏତେ ବଡ଼ ସଫଳତା ହାସଲ କରିବା ପରେ ମଧ୍ୟ ଧର୍ମେନ୍ଦ୍ର ସବୁବେଳେ ନିଜ ମାଟି ଓ ମୂଳ ସହ ଜଡ଼ିତ ରହିଥିଲେ। ତାଙ୍କର ନିଆରା ବ୍ୟକ୍ତିତ୍ୱ ଓ ସ୍ନେହପୂର୍ଣ୍ଣ ବ୍ୟବହାର ତାଙ୍କୁ ସମସ୍ତଙ୍କଠାରୁ ଅଲଗା କରିଥିଲା।
ନିଜ ପୋଷ୍ଟରେ ହେମା ମାଳିନୀ ଭଗବଦ୍ ଗୀତାର ଉଦାହରଣ ଦେଇ ଆତ୍ମାର ଅମରତ୍ୱ ସମ୍ପର୍କରେ ମଧ୍ୟ ଉଲ୍ଲେଖ କରିଛନ୍ତି। ଆତ୍ମା ଅମର ଓ ଏହାର ପୁନର୍ଜନ୍ମ ହୁଏ ବୋଲି ସେ ଜାଣିଥିଲେ ମଧ୍ୟ ଏହି ଜୀବନରେ ଧର୍ମେନ୍ଦ୍ରଙ୍କ ସ୍ନେହଭରା ଉପସ୍ଥିତିକୁ ମନେ ପକାଇବାରୁ ନିଜକୁ ରୋକିପାରୁନାହାନ୍ତି ବୋଲି ଲେଖିଛନ୍ତି। ଏଥିସହ ଧର୍ମେନ୍ଦ୍ରଙ୍କୁ ମନେ ରଖିଥିବା ଲକ୍ଷ ଲକ୍ଷ ପ୍ରଶଂସକଙ୍କୁ ମଧ୍ୟ ହୃଦୟରୁ ଧନ୍ୟବାଦ ଜଣାଇଛନ୍ତି। ତାଙ୍କ ପ୍ରତି ପ୍ରଶଂସକଙ୍କ ଭଲପାଇବା ଓ ଶ୍ରଦ୍ଧାଭରା ବାର୍ତ୍ତା ତାଙ୍କୁ ଭାବବିହ୍ୱଳ କରିଛି ବୋଲି କହିଛନ୍ତି ହେମା।
ସୂଚନାଯୋଗ୍ୟ, ଧର୍ମେନ୍ଦ୍ରଙ୍କ ଦେହାନ୍ତ ୨୪ ନଭେମ୍ବର ୨୦୨୫ରେ ୮୯ ବର୍ଷ ବୟସରେ ହୋଇଥିଲା। ହିନ୍ଦୀ ସିନେମାର ଅନ୍ୟତମ ଲୋକପ୍ରିୟ ଓ କିମ୍ବଦନ୍ତୀ ଅଭିନେତା ଧର୍ମେନ୍ଦ୍ର ଦୀର୍ଘ ଛଅ ଦଶନ୍ଧିରୁ ଅଧିକ ସମୟ ଧରି ନିଜ ଅଭିନୟର ଯାଦୁରେ ଦର୍ଶକଙ୍କ ହୃଦୟ ଜିତିଥିଲେ। ତାଙ୍କ ଅଭିନୀତ ୩୦୦ରୁ ଅଧିକ ଫିଲ୍ମ ତାଙ୍କୁ ଭାରତୀୟ ସିନେମାରେ ଏକ ସ୍ୱତନ୍ତ୍ର ପରିଚୟ ଦେଇଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
