ଭାରତୀୟ ବାୟୁସେନା ଘାଟି ଉପରେ ଆକ୍ରମଣ ଯୋଜନା, ଜେଇଏମ୍‌ର ସନ୍ଦିଗ୍ଧ ଆତଙ୍କବାଦୀ ଗିରଫ

Nov 27, 2026 - 16:10
ଭାରତୀୟ ବାୟୁସେନା ଘାଟି ଉପରେ ଆକ୍ରମଣ ଯୋଜନା, ଜେଇଏମ୍‌ର ସନ୍ଦିଗ୍ଧ ଆତଙ୍କବାଦୀ ଗିରଫ

ଅହମଦାବାଦ : ଭାରତୀୟ ବାୟୁସେନାର ଏକ ଗୁରୁତ୍ୱପୂର୍ଣ୍ଣ ଘାଟିକୁ ଟାର୍ଗେଟ କରି ଆକ୍ରମଣ ଯୋଜନା କରୁଥିବା ଜଣେ ସନ୍ଦିଗ୍ଧ ଆତଙ୍କବାଦୀକୁ ଗିରଫ କରିଛି ଗୁଜରାଟ ଆତଙ୍କବାଦ ନିରୋଧୀ ଦଳ (ଏଟିଏସ୍‌)। ଅଭିଯୁକ୍ତ ଜଣକ ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦ (ଜେଇଏମ୍‌) ସହ ଜଡ଼ିତ ଥିବା ସନ୍ଦେହ କରାଯାଉଛି। ତା ନିକଟରୁ ଏକେ-୪୭ ଭଳି ଆସଲ୍ଟ ରାଇଫଲ୍‌, ଜୀବନ୍ତ ଗୁଳି ଓ ଜୈଶ-ଏ-ମହମ୍ମଦର ପତାକା ଜବତ କରାଯାଇଛି। ଗିରଫ ଅଭିଯୁକ୍ତର ନାଁ ମହମ୍ମଦ ସାହାରୁଲ ଇସଲାମ କବିରୁଦ୍ଦିନ। ସେ ଆସାମର କରିମଗଞ୍ଜ ଜିଲ୍ଲାର ବାସିନ୍ଦା। ଗୁରୁବାର ରାତିରେ ଗୁଜରାଟର ହାଲୋଲ-ବଡୋଦରା ରାସ୍ତା ନିକଟରୁ ତାକୁ ଗିରଫ କରାଯାଇଛି। ଗୁଇନ୍ଦା ସୂଚନା ଏବଂ ବୈଷୟିକ ତଦନ୍ତ ଆଧାରରେ ଏଟିଏସ୍‌ ଏହି ଅଭିଯାନ ଚଳାଇଥିଲା। ଗୁଜରାଟ ଏଟିଏସ୍‌ ଡିଆଇଜି ସୁନୀଲ ଯୋଶୀଙ୍କ ସୂଚନା ଅନୁଯାୟୀ, ଅନ୍ୟ ଏକ ରାଜ୍ୟରୁ ଆସିଥିବା ଜଣେ ବ୍ୟକ୍ତି ସ୍ୱୟଂଚାଳିତ ରାଇଫଲ୍‌ ସହ ଗୁଜରାଟରେ ପ୍ରବେଶ କରି ଏକ ସୁରକ୍ଷା ପ୍ରତିଷ୍ଠାନ ଉପରେ ଆକ୍ରମଣ କରିବାକୁ ଯୋଜନା କରୁଥିବା ନେଇ ଏଜେନ୍ସିକୁ ସୂଚନା ମିଳିଥିଲା। ଏହାପରେ ଟେକ୍ନିକାଲ ସର୍ଭିଲାନ୍ସ ଓ ଗୁପ୍ତ ସୂଚନା ଆଧାରରେ ଅଭିଯୁକ୍ତକୁ ଠାବ କରାଯାଇଥିଲା। ଅଭିଯୁକ୍ତ ନିକଟରୁ ଏକେ-୪୭ ଭଳି ଦେଖାଯାଉଥିବା ଏକ ସ୍ୱୟଂଚାଳିତ ଆସଲ୍ଟ ରାଇଫଲ୍‌, ୨୩ଟି ଜୀବନ୍ତ ଗୁଳି, ଦୁଇଟି ଖାଲି କାର୍ଟ୍ରିଜ୍‌, ଜୈଶ-ଏ-ମହମ୍ମଦର ପତାକା, ମୋବାଇଲ୍‌ ଫୋନ୍‌ ଏବଂ ସିମ୍‌ କାର୍ଡ ଜବତ ହୋଇଛି। ପଚରାଉଚରା ସମୟରେ ଜଣାପଡ଼ିଛି ଯେ, ଅଭିଯୁକ୍ତକୁ ବଡୋଦରାସ୍ଥିତ ଭାରତୀୟ ବାୟୁସେନା ଘାଟିର ପ୍ରବେଶ ଦ୍ୱାର ଉପରେ ଆକ୍ରମଣ କରିବାକୁ ଦାୟିତ୍ୱ ଦିଆଯାଇଥିଲା। ତା' ମୋବାଇଲ୍‌ ଫୋନ୍‌ରୁ ବାୟୁସେନା ଘାଟିର ପ୍ରବେଶ ଦ୍ୱାରର ଫଟୋ ଓ ଭିଡିଓ ମଧ୍ୟ ମିଳିଛି। ଏହା ଦ୍ୱାରା ସେ ଆକ୍ରମଣ ପୂର୍ବରୁ ସ୍ଥାନଟିର ଗୁପ୍ତ ତଥ୍ୟ ସଂଗ୍ରହ କରିଥିବା ସନ୍ଦେହ କରାଯାଉଛି। ତଦନ୍ତରୁ ଜଣାପଡ଼ିଛି ଯେ, ଅଭିଯୁକ୍ତ ଜୈଶ-ଏ-ମହମ୍ମଦର ପାକିସ୍ତାନୀ ହ୍ୟାଣ୍ଡଲର ମୁଫତି ରଫିକ୍‌ ଓରଫ୍‌ ଇବନ୍‌ ଅବଦୁଲ୍ଲାଙ୍କ ସହ ଯୋଗାଯୋଗରେ ଥିଲା। ପ୍ରାୟ ଏକ ବର୍ଷ ଧରି ଉଭୟଙ୍କ ମଧ୍ୟରେ ସମ୍ପର୍କ ରହିଥିବା ତଦନ୍ତକାରୀମାନେ ସନ୍ଦେହ କରୁଛନ୍ତି। ଆକ୍ରମଣ ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ହ୍ୟାଣ୍ଡଲର ତାକୁ ୫୦ ହଜାର ଟଙ୍କା ଦେଇଥିବା ଜଣାପଡ଼ିଛି। ନୂଆ ମୋବାଇଲ୍‌ ଫୋନ୍‌ କିଣିବା, ଯାତାୟାତ, ହୋଟେଲରେ ରହିବା ଏବଂ ଅନ୍ୟାନ୍ୟ ଖର୍ଚ୍ଚ ପାଇଁ ଏହି ଟଙ୍କା ଦିଆଯାଇଥିଲା ବୋଲି ଏଟିଏସ୍‌ କହିଛି। ଏଟିଏସ୍‌ ଅନୁଯାୟୀ, ଅଭିଯୁକ୍ତର ଯୋଜନା କେବଳ ବାୟୁସେନା ଘାଟି ଉପରେ ଆକ୍ରମଣ କରିବାରେ ସୀମିତ ନଥିଲା। ଆକ୍ରମଣ ପରେ ପାକିସ୍ତାନ ଯାଇ ଜୈଶ-ଏ-ମହମ୍ମଦ ସଂଗଠନରେ ସାମିଲ ହେବାକୁ ମଧ୍ୟ ସେ ଯୋଜନା କରିଥିଲା। ସଂଗଠନ ଯାହାକୁ ସହିଦ ହେବା ବୋଲି କହିଥାଏ, ସେହି ଉଦ୍ଦେଶ୍ୟ ରଖିଥିବା ତଦନ୍ତରୁ ଜଣାପଡ଼ିଥିବା ଏଟିଏସ୍‌ ଅଧିକାରୀ କହିଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)