ବାଲିଯାତ୍ରା ରାମ ଦୋଳିରୁ ପଡି ଯୁବକଙ୍କ ମୃତ୍ୟୁ
କଟକ: ପୁଣି କଟକ ବାଲିଯାତ୍ରାରେ ଅଘଟଣ । ବାଲିଯାତ୍ରା ତଳ ପଡ଼ିଆରେ ଲାଗିଥିବା ରାମଦୋଳିରୁ ପଡି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ବାଲିଯାତ୍ରା ତୃତୀୟ ସନ୍ଧ୍ୟାରେ ଅର୍ଥାତ ଗତକାଲି ଗୁରୁବାର, ରାତି ପ୍ରାୟ ୧୦ଟା ୩୦ରୁ ୧୦ଟା ୪୫ ମଧ୍ୟରେ ବାଲିଯାତ୍ରା ତଳ ପଡ଼ିଆର 'କଟକ ଇନ୍ କଟକ' ନିକଟରେ ଏହି ଦୁଃଖଦ ଘଟଣା ଘଟିଛି।
ପଡ଼ିଆ ଭିତରେ ପ୍ରାଥମିକ ଚିକିତ୍ସା ପରେ ଏସସିବିରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର । ମୃତ ଯୁବକ ଜଣକ କଟକ ବାସିନ୍ଦା ।
ପ୍ରାଥମିକ ସୂଚନା ଏବଂ ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ଦୋଳି ଚାଲୁଥିବା ସମୟରେ ଦୁଇ ଯୁବକ ଗୋଟିଏ ସିଟ୍ରୁ ଅନ୍ୟ ସିଟ୍କୁ ବଦଳାଇବାକୁ ଚେଷ୍ଟା କରୁଥିବା ବେଳେ ଭାରସାମ୍ୟ ହରାଇ ତଳକୁ ଖସିପଡ଼ିଥିଲେ ମୃତକ । ସେପଟେ, ଦୋଳିର ଫିଟନେସ ସମ୍ପର୍କିତ କାଗଜପତ୍ରକୁ ନେଇ ତଦନ୍ତ କରୁଛି କମିଶନରେଟ ପୋଲିସ ।
ଏହା ପୂର୍ବରୁ ଗତ ୨୫ ତାରିଖ ଦିନ ବାଲିଯାତ୍ରା ତଳ ପଡ଼ିଆ ମହାନଦୀରେ ବୁଡ଼ି ଜଣେ ବ୍ୟକ୍ତି ମୃତ୍ୟୁବରଣ କରିଥିଲେ । ସେହିପରି ବୁଧବାର ଦିନ ମଧ୍ୟ ପଶ୍ଚିମବଙ୍ଗରୁ ଆସିଥିବା ଜଣେ ବ୍ୟବସାୟୀ ନଦୀରେ ଖସି ପ୍ରାଣ ହରାଇଥିଲେ ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
