ଐତିହାସିକ କଟକ ବାଲିଯାତ୍ରା ପାଇଁ କ୍ରୁଟ୍ ପକ୍ଷରୁ ସ୍ୱତନ୍ତ୍ର ବସ ସେବା
ଭୁବନେଶ୍ୱର : ଐତିହାସିକ କଟକ ବାଲିଯାତ୍ରା ପାଇଁ କ୍ରୁଟ୍ ପକ୍ଷରୁ ୫୦ଟି ସ୍ୱତନ୍ତ୍ର ‘ଆମ ବସ୍’ ସଟଲ୍ ସେବା ଜୋଫାଇ ଦିଆଯାଇଛି । ଦର୍ଶକଙ୍କ ସୁବିଧା ଏବଂ ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ଏହି ସ୍ୱତନ୍ତ୍ର ବସ୍ ଚଳାଚଳ କରୁଛି । ବାଲିଯାତ୍ରାକୁ ଆସୁଥିବା ଲକ୍ଷାଧିକ ଲୋକଙ୍କ ଯାତାୟାତକୁ ସୁଗମ କରିବା ପାଇଁ ସ୍ୱତନ୍ତ୍ର ଆମ ବସ୍ ସେବାର ବ୍ୟବସ୍ଥା କରାଯାଇଛି । ଏହି ସେବା ମାଧ୍ୟମରେ ଦର୍ଶକମାନେ ମାତ୍ର ୧୦ ଟଙ୍କାରେ ବାଲିଯାତ୍ରା ପଡ଼ିଆକୁ ଯାତାୟାତ କରିପାରିବେ। ଏହି ସ୍ୱତନ୍ତ୍ର ବସ୍ ସେବା ୨୪ ନଭେମ୍ବରରୁ ୧ ଡିସେମ୍ବର ୨୦୨୬ ପର୍ଯ୍ୟନ୍ତ ଉପଲବ୍ଧ ରହିବ ।
କ୍ରୁଟ୍ ପକ୍ଷରୁ ଜାରି ପ୍ରେସ୍ ରିଲିଜ୍ ଅନୁଯାୟୀ, ଏହି ସ୍ୱତନ୍ତ୍ର ବସ୍ ସେବା କଟକର ଭୁଆସୁଣୀ ମନ୍ଦିରରୁ କ୍ୟାଣ୍ଟନମେଣ୍ଟ ଥାନା ମଧ୍ୟରେ ଉପଲବ୍ଧ ହେବ । ବାଲିଯାତ୍ରା ପଡ଼ିଆ ନିକଟରେ ଭିଡ଼ ଏଡ଼ାଇବା ପାଇଁ ଦର୍ଶକମାନେ ଭୁଆସୁଣୀ ପାର୍କିଂ ସ୍ଥଳରେ ନିଜ ଗାଡ଼ି ରଖି ଏହି ସଟଲ୍ ବସ୍ ଯୋଗେ ସହଜରେ ମେଳା ପଡ଼ିଆ ନିକଟରେ ପହଞ୍ଚିପାରିବେ ।
କ୍ରୁଟ୍ର କହିବା ଅନୁଯାୟୀ, ବାଲିଯାତ୍ରା ସମୟରେ କଟକ ସହରରେ ଯାନବାହନ ଚଳାଚଳ ଓ ଟ୍ରାଫିକ୍ ଭିଡ଼ ଏକ ବଡ଼ ସମସ୍ୟା ହୋଇଥାଏ । ଏହି ସ୍ୱତନ୍ତ୍ର ବସ୍ ସେବା ଦ୍ୱାରା ବ୍ୟକ୍ତିଗତ ଗାଡ଼ିର ବ୍ୟବହାର କମିବା ସହ ଯାତାୟାତ ବ୍ୟବସ୍ଥା ଅଧିକ ସୁଗମ ହୋଇପାରିବ ।
ଯାତ୍ରୀଙ୍କ ସମୟ ବଞ୍ଚାଇବା ପାଇଁ ଟିକେଟ୍ ବ୍ୟବସ୍ଥାରେ ମଧ୍ୟ ସ୍ୱତନ୍ତ୍ର ପଦକ୍ଷେପ ନିଆଯାଇଛି । ବସ୍ରେ ଚଢ଼ିବା ପୂର୍ବରୁ ଆରମ୍ଭ ସ୍ଥଳରେ ହିଁ ଯାତ୍ରୀଙ୍କ ଟିକେଟ୍ କାଟି ଦିଆଯିବ। ଏହାଦ୍ୱାରା ବସ୍ ଭିତରେ ଟିକେଟ୍ କାଟିବା ପାଇଁ ସମୟ ନଷ୍ଟ ହେବ ନାହିଁ ଏବଂ ଯାତ୍ରୀମାନେ ସହଜରେ ନିଜ ଗନ୍ତବ୍ୟସ୍ଥଳରେ ପହଞ୍ଚିପାରିବେ । ଏହି ସେବାରେ ନଗଦ ଟଙ୍କା ସହ ଡିଜିଟାଲ୍ ପେମେଣ୍ଟର ସୁବିଧା ମଧ୍ୟ ରହିବ ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
