କଟକ ବାଲିଯାତ୍ରା ବୁଲିବାକୁ ଯାଉଛନ୍ତି କି, ତେବେ ଜାଣନ୍ତୁ କେଉଁ ରାସ୍ତାରେ ଯିବେ ଏବଂ କେଉଁଠି ପାର୍କିଂ କରିବେ...
କଟକ: ଐତିହାସିକ କଟକ ବାଲିଯାତ୍ରା ଆଜିଠାରୁ ଆରମ୍ଭ ହେବାକୁ ଯାଉଥିବା ବେଳେ ଏହା ଡିସେମ୍ବର ୧ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ବିଶ୍ୱପ୍ରସିଦ୍ଧ ମେଳାକୁ ଆସୁଥିବା ଲକ୍ଷାଧିକ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ସୁବିଧା ପାଇଁ ଟ୍ୱିନ୍ ସିଟି କମିଶନରେଟ୍ ପୋଲିସ ପକ୍ଷରୁ ସ୍ୱତନ୍ତ୍ର ଟ୍ରାଫିକ ଆଡଭାଇଜରି ଜାରି କରାଯାଇଛି। ଆଜିଠୁ ଡିସେମ୍ବର ୧ ପର୍ଯ୍ୟନ୍ତ ପ୍ରତିଦିନ ଅପରାହ୍ନ ୨ଟା ଠାରୁ ଭିଡ଼ ନିୟନ୍ତ୍ରଣ ହେବା ପର୍ଯ୍ୟନ୍ତ ବିଭିନ୍ନ ରାସ୍ତାରେ ଗାଡ଼ି ଚଳାଚଳ ଉପରେ କଟକଣା ଲାଗୁ ହେବ।
ଭୁବନେଶ୍ୱର ଓ ତ୍ରିଶୁଳିଆ ପଟୁ ଆସୁଥିବା ଗାଡ଼ି ପାଇଁ ନିୟମ:
ଭୁବନେଶ୍ୱର, ନନ୍ଦନକାନନ, ବାରଙ୍ଗ ଏବଂ ତ୍ରିଶୁଳିଆ ପଟୁ ଆସୁଥିବା ତିନି ଚକିଆ ଓ ଚାରି ଚକିଆ ଯାନଗୁଡ଼ିକ କାଠଯୋଡ଼ି ରିଂ ରୋଡ୍ ଦେଇ ସିଡିଏ-୧୧ ଛକ ହୋଇ ଚାହାଟା ଛକ ନିକଟସ୍ଥ ପାର୍କିଂ ସ୍ଥଳରେ ରହିବ। ଯାତ୍ରୀମାନଙ୍କ ପାଇଁ ପ୍ରଶାସନ ପକ୍ଷରୁ ଚାହାଟା ପାର୍କିଂରୁ ବାଲିଯାତ୍ରା ପଡ଼ିଆ ପର୍ଯ୍ୟନ୍ତ ଶଟଲ୍ ବସ୍ ସେବାର ବ୍ୟବସ୍ଥା କରାଯାଇଛି। ବେଲଭ୍ୟୁ, ସତୀଚଉରା, ଶେଲଟର ଛକ ଏବଂ କନିକା ଛକ ଦେଇ ବାଲିଯାତ୍ରା ପଡ଼ିଆକୁ ପ୍ରବେଶ ନିଷେଧ କରାଯାଇଛି।
ଆଠଗଡ଼ ଏବଂ ବାଙ୍କୀ ପଟୁ ଆସୁଥିବା ଯାନବାହନ:
ଆଠଗଡ଼ ଏବଂ ବାଙ୍କୀ ପଟୁ ଆସୁଥିବା ଗାଡ଼ିଗୁଡ଼ିକ ନରାଜ କିମ୍ବା ମଧୁସୂଦନ ସେତୁ ଦେଇ କଟକ ସହରରେ ପ୍ରବେଶ କରିବେ। ଏହି ସବୁ ଗାଡ଼ି ଚାହାଟା ପାର୍କିଂ, ଗୋରାକବର ପଡ଼ିଆ କିମ୍ବା ଖ୍ରୀଷ୍ଟିଆନ ପଡ଼ିଆରେ ପାର୍କିଂ କରିବେ। ସତୀଚଉରା ପଟୁ ଆସୁଥିବା ଦୁଇ ଚକିଆ ଯାନଗୁଡ଼ିକ ଶେଲଟର ଏବଂ କନିକା ଛକ ଦେଇ ଯାଇ ଦୟାଶ୍ରମ ସମ୍ମୁଖ, ଖ୍ରୀଷ୍ଟିଆନ ପଡ଼ିଆ କିମ୍ବା କ୍ୟାଣ୍ଟନମେଣ୍ଟ ଥାନା ସମ୍ମୁଖରେ ପାର୍କିଂ କରିପାରିବେ।
ଚଣ୍ଡୀ ଛକ ଏବଂ ସମାଜ ଅଫିସ ପଟୁ କଟକଣା:
ଚଣ୍ଡୀ ଛକ ପଟୁ ଆସୁଥିବା ତିନି ଓ ଚାରି ଚକିଆ ଗାଡ଼ି କନିକା ଛକ ଏବଂ ବିଜୁ ପଟ୍ଟନାୟକ ଛକ ଦେଇ ଗୋରାକବର କିମ୍ବା ଖ୍ରୀଷ୍ଟିଆନ ପଡ଼ିଆକୁ ଯିବେ। ସେହିପରି ସମାଜ ଅଫିସ ପଟୁ ଆସୁଥିବା ଚାରି ଚକିଆ ଯାନଗୁଡ଼ିକ ମିଶନ ରୋଡ୍, ଚଣ୍ଡୀ ଛକ ଏବଂ ବିଜୁ ପଟ୍ଟନାୟକ ଛକ ଦେଇ ନିର୍ଦ୍ଧାରିତ ପାର୍କିଂ ସ୍ଥଳକୁ ଯିବେ। ଯୋବ୍ରା ଏବଂ ମତାମଠ ପଟୁ ଆସୁଥିବା ଗାଡ଼ିଗୁଡ଼ିକ ବୋଷ ଇଞ୍ଜିନିୟରିଂ କଲେଜ ପଡ଼ିଆ, ହାଡ଼ିଆ ପଠା କିମ୍ବା ସିଲଭର ସିଟି ବୋଟିଂ କ୍ଲବ ପାର୍କିଂ ସ୍ଥଳରେ ରହିବ।
ମେଳା ଚାଲିବା ସମୟରେ କଟକ ସହର ଭିତରେ ଏବଂ ରିଂ ରୋଡ୍ରେ ସମସ୍ତ ପ୍ରକାର ଭାରୀଯାନ ଚଳାଚଳ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି। ତେବେ ପୋଲିସ, ଅଗ୍ନିଶମ ବାହିନୀ ଏବଂ ଆମ୍ବୁଲାନ୍ସ ଭଳି ଜରୁରୀକାଳୀନ ସେବା ପାଇଁ ଏହି କଟକଣା ଲାଗୁ ହେବ ନାହିଁ। ପ୍ରଶାସନ ପକ୍ଷରୁ ସମସ୍ତଙ୍କୁ ଟ୍ରାଫିକ ନିୟମ ମାନିବାକୁ ଏବଂ ସୁରକ୍ଷିତ ଭାବେ ବାଲିଯାତ୍ରାର ମଜା ନେବାକୁ ଅନୁରୋଧ କରାଯାଇଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sakala-ସକାଳ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
