ପୁଣି ଦୁର୍ଘଟଣା ଘଟାଇଲା 'ଆମ ବସ୍'; ମହିଳାଙ୍କ ଗୋଡ଼ ଉପରେ ଚଢ଼ିଗଲା ବସ୍, ଅବସ୍ଥା ଗୁରୁତର
କଟକ: 'ଆମ ବସ୍' ଧକ୍କାରେ ମହିଳା ଗୁରୁତର । କଟକ ସହରର ଲିଙ୍କ୍ ରୋଡ୍ ସ୍ଥିତ ବିଏସଏନଏଲ (BSNL) କାର୍ଯ୍ୟାଳୟ ସମ୍ମୁଖରେ ଆଜି ଏହି ସଡ଼କ ଦୁର୍ଘଟଣା ଘଟିଛି। 'ଆମ ବସ' ଧକ୍କାରେ ଜଣେ ମହିଳା ପଦଚାରୀ ଗୁରୁତର ଭାବେ ଆହତ ହୋଇଛନ୍ତି। ବସଟି ମହିଳାଙ୍କ ଗୋଡ଼ ଉପରେ ଚଢ଼ିଯାଇଥିବା ସୂଚନା ମିଳିଛି।
ସୂଚନା ଅନୁଯାୟୀ, ମଧୁପାଟଣାରୁ ବାଦାମବାଡ଼ି ଅଭିମୁଖେ ଯାଉଥିବା ଏହି 'ଆମ ବସ୍'ଟି ଅତି ଦ୍ରୁତ ଗତିରେ ଥିଲା। ଲିଙ୍କ୍ ରୋଡ୍ ନିକଟରେ ବସଟି ଜଣେ ମହିଳାଙ୍କୁ ଧକ୍କା ଦେବା ସହ ତାଙ୍କ ଗୋଡ଼ ଉପରେ ଚଢ଼ିଯାଇଥିଲା। ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ମହିଳାଙ୍କୁ ଉଦ୍ଧାର କରିଥିଲେ। ତାଙ୍କୁ ଚିକିତ୍ସା ପାଇଁ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତେବେ ଆହତ ମହିଳାଙ୍କ ପରିଚୟ ବର୍ତ୍ତମାନ ସୁଦ୍ଧା ମିଳିପାରି ନାହିଁ।
ଖବର ପାଇ ମଧୁପାଟଣା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପୋଲିସ ଦୁର୍ଘଟଣା ଘଟାଇଥିବା ବସକୁ ଜବତ କରିବା ସହ ଡ୍ରାଇଭରକୁ ଅଟକ ରଖି ପଚରାଉଚରା କରୁଛି। ଦ୍ରୁତ ଗତି ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା ପ୍ରାଥମିକ ଭାବେ ସନ୍ଦେହ କରାଯାଉଛି। ରାଜଧାନୀ ଭୁବନେଶ୍ୱର ଓ କଟକରେ 'ଆମ ବସ୍' ଦ୍ୱାରା ବାରମ୍ବାର ଦୁର୍ଘଟଣା ଘଟୁଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ବେପରୁଆ ଗାଡ଼ି ଚାଳନା ଏବଂ ଟ୍ରାଫିକ ନିୟମର ଉଲ୍ଲଂଘନ ପଥଚାରୀଙ୍କ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରୁଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sakala-ସକାଳ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
