ଆମେରିକାର ମିସିସିପି ଉପକୂଳରେ ଭୟଙ୍କର ବିମାନ ଦୁର୍ଘଟଣା: ୨ ଶିଶୁଙ୍କ ସମେତ ୬ ଜଣଙ୍କ ମୃତଦେହ ଉଦ୍ଧାର
ନୂଆଦିଲ୍ଲୀ: ଆମେରିକାର ମିସିସିପି ଉପକୂଳ ନିକଟରେ ଏକ ମର୍ମନ୍ତୁଦ ବିମାନ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଦୁଇଜଣ ଶିଶୁଙ୍କ ସମେତ ମୋଟ ୬ ଜଣଙ୍କର ମୃତ୍ୟୁ ହୋଇଥିବା ୟୁଏସ୍ କୋଷ୍ଟ ଗାର୍ଡ (US Coast Guard) ପକ୍ଷରୁ ସୂଚନା ଦିଆଯାଇଛି। ମଙ୍ଗଳବାର ଦିନ ଏହି ବିମାନଟି ମେକ୍ସିକୋ ଉପସାଗରରେ (Gulf of Mexico) ଖସିପଡିଥିଲା।
ଉଡ଼ାଣ ଟ୍ରାକିଂ ୱେବସାଇଟ୍ FlightAware ଅନୁଯାୟୀ, Cessna 210 ବିମାନଟି ନ୍ୟୁ ଅର୍ଲିନ୍ସରୁ ଫ୍ଲୋରିଡାର ଫୋର୍ଟ ମାୟର୍ସ ଅଭିମୁଖେ ଯାଉଥିଲା। ସ୍ଥାନୀୟ ସମୟ ଅପରାହ୍ନ ପ୍ରାୟ ୩:୪୫ ମିନିଟରେ ଏୟାର ଟ୍ରାଫିକ କଣ୍ଟ୍ରୋଲ ସହ ବିମାନର ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା। ଏହାପରେ ପାସ୍କାଗୌଲା ଏବଂ ହର୍ଣ୍ଣ ଆଇଲ୍ୟାଣ୍ଡ ମଧ୍ୟବର୍ତ୍ତୀ ମେକ୍ସିକୋ ଉପସାଗରରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା।
କୋଷ୍ଟ ଗାର୍ଡ ମୁଖପାତ୍ର ଜୁଆନ୍ ରୋସଙ୍କ କହିବା ଅନୁଯାୟୀ, ଗଭୀର ସମୁଦ୍ର ମଧ୍ୟରେ ବୁଡ଼ାଳିମାନେ ବିମାନର ଫ୍ୟୁଜଲେଜ୍ (Fuselage) ଭିତରୁ ଚାରିଜଣ ବୟସ୍କ ଏବଂ ୮ ଓ ୧୦ ବର୍ଷର ଦୁଇଜଣ ବାଳକଙ୍କ ମୃତଦେହ ଉଦ୍ଧାର କରିଛନ୍ତି। ଉଦ୍ଧାରକାରୀ ଦଳ ପ୍ରାୟ ଅନେକ ଘଣ୍ଟା ଧରି ଖୋଜାଖୋଜି ଜାରି ରଖିଥିଲେ। ପ୍ରଥମେ ସମୁଦ୍ର ଜଳରେ ଭାସୁଥିବା ତିନୋଟି ଲାଇଫ୍ ଜ୍ୟାକେଟ୍, ଏକ ଲାଇଫ୍ ରାଫ୍ଟ ଏବଂ ବିମାନର କିଛି ଅଂଶ ମିଳିଥିଲା। ବର୍ତ୍ତମାନ ଏହି ଦୁର୍ଘଟଣାର କାରଣ ସମ୍ପର୍କରେ ତଦନ୍ତ ଜାରି ରହିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sakala-ସକାଳ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
