06 JUNE 2026

Welcome!

Unlock your personalized experience.
Sign Up

ଓଡ଼ିଶାର ୧୩ଟି EMRSରେ ସ୍ପେସ୍ ଲ୍ୟାବ୍ ଉଦଘାଟନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

Jun 03, 2026 - 23:18
ଓଡ଼ିଶାର ୧୩ଟି EMRSରେ ସ୍ପେସ୍ ଲ୍ୟାବ୍ ଉଦଘାଟନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଭୁବନେଶ୍ୱର: ଆଦିବାସୀ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଜ୍ଞାନ ଶିକ୍ଷାକୁ ସୁଦୃଢ଼ କରିବା ପାଇଁ ଐତିହାସିକ ପଦକ୍ଷେପ ଗ୍ରହଣ କରାଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶବ୍ୟାପୀ ୭୫ଟି ମନୋନୀତ ଏକଲବ୍ୟ ମଡେଲ୍ ଆବାସିକ ବିଦ୍ୟାଳୟ (EMRS)ରେ ‘ମହାକାଶ ପ୍ରୟୋଗଶାଳା ବା ସ୍ପେସ୍ ଲ୍ୟାବ୍'ର ଭର୍ଚୁଆଲ୍ ଉଦଘାଟନ କରିଛନ୍ତି। କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ଏବଂ କେନ୍ଦ୍ର ଜନଜାତି ବ୍ୟାପାର ରାଷ୍ଟ୍ର ମନ୍ତ୍ରୀ ଦୁର୍ଗାଦାସ ଉଇକେଙ୍କ ଗରିମାମୟ ଉପସ୍ଥିତିରେ ସ୍ପେସ୍ ଲ୍ୟାବ୍ ଗୁଡ଼ିକର ଶୁଭାରମ୍ଭ ହୋଇଯାଇଛି।

ଏହି ପ୍ରତିଷ୍ଠିତ ଜାତୀୟ କାର୍ଯ୍ୟକ୍ରମରେ ଓଡ଼ିଶାରୁ ୧୩ଟି EMRS ସ୍ପେସ୍ ଲ୍ୟାବ୍ ପ୍ରତିଷ୍ଠା ପାଇଁ ମନୋନୀତ ହୋଇଛନ୍ତି। ଏହି ସ୍ପେସ୍ ଲ୍ୟାବ୍ ଗୁଡ଼ିକ କୋରାପୁଟ ଜିଲ୍ଲାର କୋଟପାଡ ଓ କୁନ୍ଦ୍ରା, ମାଲକାନଗିରିର ମାଥିଲି, କଳାହାଣ୍ଡିର ଥୁଆମୁଳ ରାମପୁର, କେନ୍ଦୁଝରର ପାଟନା ଏବଂ ମୟୂରଭଞ୍ଜ ଜିଲ୍ଲାର ୮ଟି ବିଦ୍ୟାଳୟ ଯଥା ରାଇରଙ୍ଗପୁର, ଠାକୁରମୁଣ୍ଡା, ବାରିପଦା, ବଡ଼ସାହି, କପ୍ତିପଦା, କୋଲିଆନା, ରାସଗୋବିନ୍ଦପୁର ଓ ଉଦଳା EMRS ରେ ସ୍ଥାପନ କରାଯାଇଛି। ଏହି ଉଦଘାଟନ ଉତ୍ସବରେ ବିଭିନ୍ନ ରାଜ୍ୟର EMRS ଅନୁଷ୍ଠାନର ଛାତ୍ରଛାତ୍ରୀ, ଶିକ୍ଷକ ଏବଂ ବରିଷ୍ଠ ଅଧିକାରୀମାନେ ଭର୍ଚୁଆଲ୍ ମାଧ୍ୟମରେ ଯୋଡ଼ି ହୋଇଥିଲେ।

ଆହୁରି ପଢ଼ନ୍ତୁ: Education: ଏକଲବ୍ୟ ଆଦର୍ଶ ବିଦ୍ୟାଳୟ: ଚୁକ୍ତିକୁ ବିତିଲାଣି ବର୍ଷେ, ଆରମ୍ଭ ହୋଇନି ନିର୍ମାଣ କାର୍ଯ୍ୟ

ଏହି ପ୍ରକ୍ରିୟା ମାଧ୍ୟମରେ ପିଲାମାନେ ମହାକାଶ ବିଜ୍ଞାନ, ରୋବୋଟିକ୍ସ, ସାଟେଲାଇଟ୍ ପ୍ରଯୁକ୍ତିବିଦ୍ୟା ଏବଂ ନବସୃଜନ-ଚାଳିତ ଶିକ୍ଷା ଭଳି ଅତ୍ୟାଧୁନିକ କ୍ଷେତ୍ର ବିଷୟରେ ବ୍ୟବହାରିକ ଅଭିଜ୍ଞତା ହାସଲ କରିପାରିବେ। ଏହା ସାରା ଦେଶର ଆଦିବାସୀ ବହୁଳ ଅଞ୍ଚଳରେ ଡିଜିଟାଲ୍ ଶିକ୍ଷା ଓ ଉନ୍ନତ ବୈଜ୍ଞାନିକ ସୁଯୋଗ ବିସ୍ତାର କରିବା ପାଇଁ ଭାରତ ସରକାରଙ୍କ ପ୍ରତିବଦ୍ଧତାକୁ ଦର୍ଶାଉଛି।

ନୂତନ ଭାବେ ପ୍ରତିଷ୍ଠିତ ଏହି ସ୍ପେସ୍ ଲ୍ୟାବ୍ ଗୁଡ଼ିକ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବୈଜ୍ଞାନିକ ମନୋଭାବକୁ ବଢ଼ାଇବ ଏବଂ ଭବିଷ୍ୟତରେ ବିଜ୍ଞାନ, ଇଞ୍ଜିନିୟରିଂ ଓ ମହାକାଶ ଗବେଷଣା ଭଳି କ୍ଷେତ୍ରରେ କ୍ୟାରିଅର୍ ଗଢ଼ିବାକୁ ପ୍ରେରଣା ଦେବ। ଆଧୁନିକ ଓ ସମାବେଶୀ ଶିକ୍ଷା ଦ୍ୱାରା ଆଦିବାସୀ ଯୁବପିଢ଼ିଙ୍କୁ ସଶକ୍ତ କରିବା ପାଇଁ ଏହା ଏକ ଅଭିନବ ପ୍ରୟାସ।

ଆହୁରି ଦେଖନ୍ତୁ...

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।