Ganja: ଅନ୍ତଃରାଜ୍ୟ ଗଞ୍ଜେଇ ବେପାରୀଙ୍କୁ ଗୋଡ଼ାଇ ଧରିଲା ପୁଲିସ; ୮୯ କେଜି ଗଞ୍ଜେଇ ସହ କାର୍ ଜବତ
ସୁନ୍ଦରଗଡ଼/ରାଉରକେଲା: ସୁନ୍ଦରଗଡ଼ ସଦରଥାନା ପୁଲିସ ଏକ ୨ ଅନ୍ତଃରାଜ୍ୟ ଗଞ୍ଜେଇ ବେପାରୀଙ୍କୁ ଧରିବାରେ ସକ୍ଷମ ହୋଇଛି। ସେମାନଙ୍କଠାରୁ ୮୯ କେଜି ୮୦୦ ଗ୍ରାମ ଗଞ୍ଜେଇ ସହ କାରବାରରେ ବ୍ୟବହୃତ କାର୍ ଜବତ ହୋଇଛି। ଉତ୍ତରପ୍ରଦେଶର ଦୁଇ ଗଞ୍ଜେଇ ବେପାରୀ କାର୍ରେ ଭୁବନେଶ୍ବରର ଏକ ଜାଲ୍ ନମ୍ବର ଲଗାଇ ଗଞ୍ଜେଇ ଚାଲାଣ କରୁଥିବା ସଦରଥାନା ଅଧିକାରୀ ସୌଦାମିନୀ ନାଗଙ୍କୁ ସୂଚନା ମିଳିଥିଲା। ସେ ସୁନ୍ଦରଗଡ଼ ଆରକ୍ଷୀ ଅଧୀକ୍ଷକଙ୍କ ଜଣାଇଥିଲେ। ଏହା ପରେ ଗଞ୍ଜେଇ ବେପାରୀଙ୍କୁ ଧରିବାକୁ ତୁରନ୍ତ ଅଭିଯାନ ଆରମ୍ଭ ହୋଇଥିଲା। ସୁନ୍ଦରଗଡ଼ରୁ କରମଡିହି ରାସ୍ତାରେ ପୁଲିସ କାର୍କୁ ଗୋଡ଼ାଇଥିବା ସାମ୍ନା ପଟୁ ମଧ୍ୟ ପୁଲିସ ଘେରି ଯାଇଥିଲେ। ପୁଲିସର ଘେରାବନ୍ଦୀ ଦେଖି ମାଫିଆମାନେ କରମଡିହିରୁ ମୁଖ୍ୟ ରାସ୍ତା ଛାଡ଼ି ବାଗବନ୍ଧା ଗାଁ ରାସ୍ତା ଦେଇ ଖସିଯିବାକୁ ଉଦ୍ୟମ କରିଥିଲେ। ପୁଲିିସ ଗୋଡ଼ାଇ ସେମାନଙ୍କୁ ଧରିଥିଲା। କାର୍ରୁ ମାଜିଷ୍ଟ୍ରେଟ୍ଙ୍କ ଉପସ୍ଥିତିରେ ଗଞ୍ଜେଇ ବସ୍ତାକୁ ଜବତ କରିଛି। ଏ ନେଇ ଏକ ମାମଲା ରୁଜୁ କରି ପୁଲିସ ତଦନ୍ତ ଆରମ୍ଭ କରିଛି। ଗଞ୍ଜେଇ ବେପାରୀଙ୍କ ପରିଚୟ ହସ୍ତଗତ ହୋଇନାହିଁ।
ଦୁଇଦିନରେ ୬୩୪ ଲିଟର ମଦ ଜବତ
ବେଆଇନ ଦେଶୀ ମଦ ପ୍ରସ୍ତୁତି ଓ ବିକ୍ରି ଉପରେ ରାଉରକେଲା ଅବକାରୀ ପୁଲିସର ଧରିପଗଡ଼ ଜାରି ରହିଛି। ଦୁଇ ଦିନ ଭିତରେ ଅବକାରୀ ପୁଲିସ ମୋଟ୍ ୬୩୪ ଲିଟର ଦେଶୀ ମଦ ଓ ୪୦ କ୍ବିଣ୍ଟାଲ ମହୁଲପୋଚ ଜବତ ହୋଇଛି। ଏହାସହ ୨୨ ଜଣ ମଦବେପାରୀଙ୍କୁ ଗିରଫକରି କୋର୍ଟଚାଲାଣ କରାଯାଇଛି। ଅବକାରୀ ପୁଲିସ ଆଜି ରାଉରକେଲା ସହରର ବିଭିନ୍ନ ଅଞ୍ଚଳ ତଥା ବିଶ୍ରା, ବନ୍ଧମୁଣ୍ଡା, ଖଇରବନ୍ଧରେ ଚଢଉ କରିଥିଲା। ଚଢଉବେଳେ ୪୨୩ ଲିଟର ବେଆଇନ ମହୁଲି ମଦ ଓ ୪୦ କ୍ବିଣ୍ଟାଲ ମହୁଲପୋଚ ଜବତ ହୋଇଛି। ଏହାସହ ୧୧ ଜଣ ଅଭିଯୁକ୍ତ ଗ୍ଲୋରିଆ ଡାଙ୍ଗ, ଜିଦାନ ଡାଙ୍ଗ, ସୁମିତ୍ରା ମାହାଲି, ସୀତା ଲୋହାର, ରୁପାନୀ ଓରାମ, ରଶ୍ମି ମିଞ୍ଜ, ସାନିକା ତିର୍କି, ରୀତା ତିର୍କି, ଚାମି ମୁଣ୍ଡାରୀ, ମାଳତୀ କୁଜୁର ଓ ଶାନ୍ତି ଓରାମଙ୍କୁ ଗିରଫକରି କୋର୍ଟଚାଲାଣ କରାଯାଇଛି।
ଆହୁରି ପଢ଼ନ୍ତୁ: Wine: ବିପୁଳ ପରିମାଣ ନକଲି ବିଦେଶୀ ମଦ ଜବତ, ୨ଜଣ ମାଫିଆ ଗିରଫ
ଉଲ୍ଲେଖଯୋଗ୍ୟ, ଗତକାଲି ଅବକାରୀ ପୁଲିସ ବେଦବ୍ୟାସ, ଚିକଟମାଟି ଓ ବାଗବୁଡ଼ି ଅଞ୍ଚଳରେ ଚଢ଼ଉକରି ୧୬୬ ଲିଟର ମହୁଲି ଓ ୪୫ ଲିଟର ଭାଟି ମଦ, ମୋଟ୍ ୨୧୧ ଲିଟର ଦେଶୀମଦ ଜବତ କରିଥିଲା। ଏହି ଘଟଣାରେ ୧୧ଟି ମାମଲା ରୁଜୁ କରି ୧୧ ଜଣଙ୍କୁ ଗିରଫ କରିଥିଲା। ଅଭିଯୁକ୍ତମାନେ ହେଲେ ରବି ଲୋହାର, ରାଧିକା ଲୋହାର, ଇନ୍ଦୁଆ ବେକ୍, ରାହୁଲ ସିଂହ, ସୁନିତା ବରୁଆ, ମସ୍ତୁ କୁମ୍ଭାର, ସରୋଜିନୀ କିଷାନ, କର୍ମୀ ଲାକ୍ରା ଓ ରାମି ଲାକ୍ରା। ଚଢ଼ଉରେ ଅବକାରୀ ଥାନାଧିକାରୀ ମୋହନ ପଧାନ, ହେମନ୍ତ ମହାନନ୍ଦିଆ, ଏଏସ୍ଆଇ ବିନୋଦିନୀ ବେହେରା, ବିଦ୍ୟୁତ୍ ଭୂଷଣ ଦାଶ, ଆଲୋକ ପ୍ରଧାନ, ଯୁବରାଜ ବାଗ, ହେମାମଞ୍ଜରୀ ବିଶ୍ୱାଳ, ଗୋବର୍ଦ୍ଧନ ବିଶି, ସୌମ୍ୟରଞ୍ଜନ ସାହୁ, ଆୟେଶା ମିଞ୍ଜ, ତ୍ରିଲୋଚନ ପାଢ଼ୀ, ଆକାଶ ପଟେଲ, ନବୀନ ଭୂୟାଁ, ପ୍ରଦୀପ ଲୁଗୁନ, ବବୁଲ ସ୍ୱାଇଁ, ଭିକ୍ଟୋରିଆ ଡୁଙ୍ଗଡୁଙ୍ଗ, ଟେରେସା ବାର୍ଲା, ଲିଲିମା ଭୋଇ, ସୂର୍ଯ୍ୟକାନ୍ତ ସ୍ୱାଇଁ, ନିରଞ୍ଜନ ରାଉତ, ଜଗନ୍ନାଥ ମୁଣ୍ଡାରୀ ପ୍ରମୁଖ ସାମିଲ ଥିଲେ।
ଆହୁରି ଦେଖନ୍ତୁ...
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।