ଉଚ୍ଚ, ଭଙ୍ଗା ଓ କଳଙ୍କି ହୋର୍ଡିଂ ବିପଦ: ୪୦ ଫୁଟ କଟକଣା କଲେ, କାର୍ଯ୍ୟାନୁଷ୍ଠାନ ନାହିଁ
ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ଲୋକଙ୍କ ପାଇଁ ବିପଦ ସାଜିଛି ସୁଉଚ୍ଚ ଭଙ୍ଗା ଓ କଳଙ୍କିଲଗା ହୋର୍ଡିଂ। ଉଭୟ ଡିଜିଟାଲ୍ ଓ ଫ୍ଲେକ୍ସର ସମାନ ସ୍ଥିତି। ବାତ୍ୟା ‘ଅର୍ଣ୍ଣବ’ ପରେ ଏହି ଭୟ ଆହୁରି ବଢ଼ିଛି। କେଉଁଠି ଛିଣ୍ଡା ଫ୍ଲେକ୍ସ ଝୁଲି ରହିଛି ତ କେଉଁଠି ଡିଜିଟାଲ୍ ହୋର୍ଡିଂର ପ୍ଲାଷ୍ଟିକ ଓ ଲୌହ ଅଂଶ ସବୁ ବିପଦପୂର୍ଣ୍ଣ ଅବସ୍ଥାରେ ଝୁଲି ରହିଛି। ସହର ଭିତର ହେଉ କି ଉପକଣ୍ଠ ସବୁଠି ସ୍ଥିତି ସମାନ। ଯାହାର ପରିଣାମ ଆଜି ସହରର ସ୍ମାର୍ଟ ଓ ଜନଗହଳିପୂର୍ଣ୍ଣ ରାସ୍ତା ଜନପଥରେ ଏଭଳି ଅଘଟଣ ଦେଖିବାକୁ ମିଳିଛି। ଗତକାଲି ଜଣେ ମହିଳା ବିଏମ୍ସି ମୁଖ୍ୟାଳୟ ସମ୍ମୁଖ ଦେଇ ଯାଉଥିବା ବେଳେ ଏକ ବଡ଼ ଡିଜିଟାଲ୍ ହୋର୍ଡିଂର ବଡ଼ ପ୍ଲାଷ୍ଟିକ ଖଣ୍ଡ ଉଡ଼ି ଆସି ତଳେ ପଡ଼ିଥିଲା। ସୌଭାଗ୍ୟକୁ ମହିଳା ଜଣକ ଜାଣିପାରି ସାମାନ୍ୟ ଘୁଞ୍ଚିଯିବାରୁ ଏକ ବଡ଼ ଅଘଟଣରୁ ସେ ରକ୍ଷା ପାଇଯାଇଛନ୍ତି। ସେପଟେ ଏବେ ବି ଅନ୍ୟ ବଡ଼ ବଡ଼ ପ୍ଲାଷ୍ଟିକ ଖଣ୍ଡ ସବୁ ଏହି ଡିଜିଟାଲ୍ ହୋର୍ଡିଂରୁ ଝୁଲି ରହିଛି। କେଉଁ ମୁହୂର୍ତ୍ତରେ ବି ଏହା ଲୋକଙ୍କ ଉପରେ ପଡ଼ିବାର ଆଶଙ୍କା ରହିଛି। ଏ ସଂପର୍କରେ ସଂପୃକ୍ତ ଅଞ୍ଚଳବାସୀ ବିଏମ୍ସି କର୍ତ୍ତୃପକ୍ଷଙ୍କୁ ଅଭିଯୋଗ କରିଛନ୍ତି। ଦୁଇଦିନ ତଳେ ରସୁଲଗଡ଼ ଛକରେ ବାଣିବିହାର ରେଳଷ୍ଟେସନ୍ ପାର୍ଶ୍ବକୁ ଲାଗିଥିବା ହୋର୍ଡିଂରୁ ଫ୍ଲେକ୍ସ ଛିଣ୍ଡି ଆସି ରାସ୍ତା ଉପରେ ପଡ଼ିଥିଲା। ଏହା କାହାରି ଉପରେ ପଡ଼ି ନଥିଲେ ବି ଏଭଳି ଘଟଣା ସତର୍କଘଣ୍ଟି ସାଜିବା ସହ ଗତବର୍ଷର ଆଇଗିଣିଆ ଘଟଣାକୁ ମନେ ପକାଇ ଦେଉଛି। ଗତ ଫେବ୍ରୁଆରି ୨୫ରେ ଆଇଗିଣିଆଠାରେ କାଳବୈଶାଖୀ ବର୍ଷାରୁ ବର୍ତ୍ତିବା ପାଇଁ ଏକ ଦୋକାନ ଘରେ ଆଶ୍ରୟ ନେଇଥିବା ଲୋକଙ୍କ ପ୍ରାଣ ନେଇଯାଇଥିଲା କଳଙ୍କିଲଗା ହୋର୍ଡିଂ।
୪୦ ଫୁଟ କଟକଣା କଲେ, କାର୍ଯ୍ୟାନୁଷ୍ଠାନ ନାହିଁ
ଜନପଥରେ ଅଳ୍ପକେ ବର୍ତ୍ତିଲେ ମହିଳା
ଅର୍ଣ୍ଣବ ପରେ ସହରସାରା ଛିଣ୍ଡା ଫ୍ଲେକ୍ସର ଭୟ
ଏକ ବିରାଟ ହୋର୍ଡିଂ ଭାଙ୍ଗି ପଡ଼ିବାରୁ ଏହା ତଳେ ଚାପି ହୋଇ ୨ଜଣଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ଉଦ୍ବେଗ ପ୍ରକାଶ କରିବା ପରେ ବିଏମ୍ସି ସଂପୃକ୍ତ ହୋର୍ଡିଂକୁ ବେଆଇନ୍ ଘୋଷଣା କରିବା ସହ ହୋର୍ଡିଂ ଲଗାଇଥିବା ସଂସ୍ଥା ନାଁରେ ଖଣ୍ଡଗିରି ଥାନାରେ ଏତଲା ଦେଇଥିଲା। ତତ୍କାଳ ହୋର୍ଡିଂ ପରିଚାଳନା କମିଟି ସହ ହୋର୍ଡିଂ ବିଜ୍ଞାପନ ଏଜେନ୍ସିଙ୍କ ଜରୁରୀ ବୈଠକ ଡାକି ପ୍ରତ୍ୟେକ ହୋର୍ଡିଂର ତୃତୀୟ ପକ୍ଷ ବୀମା କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏଜେନ୍ସିଙ୍କୁ ହୋର୍ଡିଂଗୁଡ଼ିକର ସ୍ଥାୟିତ୍ବ ପ୍ରମାଣପତ୍ର ଦେବାକୁ କୁହାଯାଇଥିଲା। ସମସ୍ତ ହୋର୍ଡିଂର ଷ୍ଟ୍ରକଚର କିପରି ପରିଚାଳନା ଓ ସୁରକ୍ଷିତ ରହିବ, ତାର ପ୍ରାମାଣିକ ବିବରଣୀ ଦେବାକୁ କୁହାଯାଇଥିଲା। ନିଜ ନିଜର ହୋର୍ଡିଂଗୁଡ଼ିକର ସ୍ଥିତି ସଂପର୍କିତ ରିପୋର୍ଟ ଦେବା ସହ ଏଥିରେ ନିଜ ସଂସ୍ଥାର ନାମ ଲେଖିବାକୁ କୁହାଯାଇଥିଲା। ଜନସାଧାରଣଙ୍କ ସୁରକ୍ଷା ଦୃଷ୍ଟିରୁ କଳଙ୍କିଲଗା, ଛିଣ୍ଡା ଅବା ଚିରା ହୋର୍ଡିଂ ତତ୍କାଳ କାଟି ବାହାର କରିବା, ଆବଶ୍ୟକସ୍ଥଳେ ସଂପୂର୍ଣ୍ଣ ହୋର୍ଡିଂକୁ ହଟାଇବାକୁ ନିର୍ଦ୍ଦେଶ ଦିଆଯାଇଥିଲା। କିନ୍ତୁ ଏହା କେବଳ ନିର୍ଦ୍ଦେଶରେ ସୀମିତ ରହିଛି। ଏବେ ବି ବରମୁଣ୍ଡ, ଲିଙ୍ଗିପୁର, ପଳାଶୁଣୀ, ମାଷ୍ଟରକ୍ୟାଣ୍ଟିନ, ସବୁଠି ମାଳ ମାଳ ହୋର୍ଡିଂ ଛିଣ୍ଡା ଅବସ୍ଥାରେ ଝୁଲିଛି। ଗତ ମାସ ବିଏମ୍ସି କର୍ପୋରେସନ୍ ବୈଠକରେ ବି ୪୦ ଫୁଟରୁ ଅଧିକ ଉଚ୍ଚ ହୋର୍ଡିଂକୁ ହଟାଇବାକୁ ନିଷ୍ପତ୍ତି ହୋଇଥିଲା। ଏହି ନିଷ୍ପତ୍ତି ବି ଝୁଲି ରହିଛି। ବିଏମ୍ସି ଡେପୁଟି କମିସନର ଅଜୟ କୁମାର ମହାନ୍ତି କହିଛନ୍ତି, ବାତ୍ୟା ପୂର୍ବରୁ ସବୁ ଫ୍ଲେକ୍ସ ଖୋଲି ଦିଆଯାଇଥିଲା। ଯାହା ଖୋଲି ହୋଇ ନଥିଲା, କାଟି ଦିଆଯାଇଥିଲା। କିନ୍ତୁ ଡିଜିଟାଲ୍ ହୋର୍ଡିଂ ଏକ ସ୍ଥାୟୀ ବ୍ୟବସ୍ଥା। ଏହା ଖୋଲିବା ବା କାଟିବା ସମ୍ଭବ ନୁହେଁ। ତଥାପି କେଉଁଠି ଏଭଳି ସ୍ଥିତି ରହିଛି, ଯାଞ୍ଚ କରି ଆବଶ୍ୟକ ପଦକ୍ଷେପ ନେବୁ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
