31 OCTOBER 2026

Welcome!

Unlock your personalized experience.
Sign Up

Editorial: ବିଡ଼ମ୍ବନା!

Oct 31, 2026 - 02:44
Editorial: ବିଡ଼ମ୍ବନା!

ଏକ ଐତିହାସିକ ବିଡ଼ମ୍ବନା ହେଲା ଯେଉଁ ରାଷ୍ଟ୍ର ଦ୍ବୟ ମଧ୍ୟରେ ହିମାଳୟ ବଣ୍ଟିତ, ସେ ଦ୍ବୟ ଶତ୍ରୁଭାବାପନ୍ନ ଏବଂ ଅନେକ ଦୃଷ୍ଟିରୁୁ ପ୍ରତିସ୍ପର୍ଦ୍ଧୀ ମଧ୍ୟ! ଦ୍ବିତୀୟ ବିଡ଼ମ୍ବନା ହେଲା, ତହିଁରୁ ଗୋଟିଏ ଏକଛତ୍ରବାଦୀ ହୋଇଥିଲାବେଳେ ଅନ୍ୟଟି ଗଣତାନ୍ତ୍ରିକ! ତେଣୁ ସୀମା ରେଖାର ଗୋଟିଏ ପ‌େଟ ପ୍ରତିବାଦ ବା ବିବେଚନାବୋଧକୁ ଭ୍ରୂ‌େକ୍ଷପ ନ କରି ସମର-ସଜ୍ଜା କରାଯାଉଥିବାବେଳେ ଅନ୍ୟ ପଟରେ ପ୍ରତିକାରର ବାଧ୍ୟବାଧକତା ମଧ୍ୟ ପ୍ରତିବାଦର ସମ୍ମୁଖୀନ ହୋଇପାରେ।

ଅରୁଣାଚଳ ପ୍ରଦେଶର ସୀମାନ୍ତରେ ଚୀନ ଓ ଭାରତର ସୀମା ସୁରକ୍ଷା ବାହିନୀର ସଦସ୍ୟମାନେ ପରସ୍ପର ସହିତ ମୁହାଁମୁହିଁ ହେଉଥିବା ଭଳି ଅପ୍ରୀତିକର ଘଟଣା କିଛି ଦିନ ପୂର୍ବେ ଜଣାପଡ଼ି ସମଗ୍ର ଦେଶରେ ବିଶେଷ ଚର୍ଚ୍ଚାର ବିଷୟବସ୍ତୁ ହୋଇଥିବାବେଳେ ସଂପ୍ରତି ସେଠାରେ ଘଟୁଥିବା ଆଉ ଏକ ଘଟଣାକ୍ରମ ପୁନର୍ବାର ସେହି ମନୋରମ ହିମାଳୟୀ ରାଜ୍ୟକୁ ଆଲୋଚନାର କେନ୍ଦ୍ରକୁ ଘେନି ଆଣିଛି। ଘଟଣାଟି ହେଲା ସେଠାରେ, ସିଆଙ୍ଗ ନଦୀ ଉପରେ ଭାରତ ପକ୍ଷରୁ ୧୧,୨୦୦ ମେଗାୱାଟ କ୍ଷମତା ବିଶିଷ୍ଟ ବିଶାଳ ଜଳ ବିଦ୍ୟୁତ୍‌ କେନ୍ଦ୍ରର ପ୍ରତିଷ୍ଠା ସକାଶେ ପ୍ରସ୍ତୁତିର ପ୍ରାରମ୍ଭ; ଯାହା ବିରୋଧରେ ସ୍ଥାନୀୟ ‘ଆଦି’ ଜନଜାତି ସଂପ୍ରଦାୟ ପକ୍ଷରୁ ତୀବ୍ର ପ୍ରତିବାଦର ସ୍ବର ଉଠିଛି। କିନ୍ତୁ, କେବଳ ସେତିକି ନୁହେଁ, ବିଭିନ୍ନ କାରଣରୁ, ବିବାଦର ଜଟିଳ ଜାଲରେ ଏହି ପ୍ରକଳ୍ପ ଛନ୍ଦି ହୋଇପଡ଼ିବା ସୁନିଶ୍ଚିତ, ଯାହାକୁ ନେଇ ଏକ କ୍ଷୁଦ୍ର ଆଲୋଚନା ଏଠାରେ ପ୍ରାସଙ୍ଗିକ ଭଳି ମନେ ହୋଇଥାଏ।
ତେବେ, ପ୍ରଥମେ ଘଟଣାର ପୃଷ୍ଠଭୂମି ଉପରେ ଏକ କ୍ଷିପ୍ର ଦୃଷ୍ଟିପାତ କରାଯାଉ। ଗଲା ଜୁଲାଇ ୧୯, ୨୦୨୫ ମସିହାରୁ, ଚୀନ ସରକାରଙ୍କ ଦ୍ବାରା ‘ଏଲ.ଏ.ସି.’ (ବାସ୍ତବ ନିୟନ୍ତ୍ରଣ ରେଖା) ସନ୍ନିକଟ ମେଡଙ୍ଗ ଅଞ୍ଚଳରେ, ‘ୟାରଲଙ୍ଗ ସାଙ୍ଗପୋ’ ନଦୀ ଉପରେ, ୬୦,୦୦୦ ମେଗାୱାଟ କ୍ଷମତା ବିଶିଷ୍ଟ ପୃଥିବୀର ସର୍ବବୃହତ୍‌ ଜଳ ବିଦ୍ୟୁତ୍‌ ପ୍ରକଳ୍ପ ନିର୍ମାଣ କରାଯାଉଛି। ପ୍ରକାଶ ଥାଉ କି ତିବ୍ବତରୁ ଉତ୍ପନ୍ନ ‘ୟାରଲଙ୍ଗ ସାଙ୍ଗପୋ’ ନଦୀ ଅରୁଣାଚଳ ପ୍ରଦେଶରେ ପ୍ରବେଶ କରି ‘ସିଆଙ୍ଗ’ ନାମ ବହନ କରି ନିମ୍ନଗାମୀ ହୋଇ ଅବଲୀଳା କ୍ରମେ ଅତିକାୟ ବ୍ରହ୍ମପୁତ୍ରରେ ପରିଣତ ହୋଇଥାଏ। ଏଭଳି ଏକ ସ୍ଥିତିରେ ଭାରତ ସକାଶେ ଉତ୍ପନ୍ନ ହେଉଥିବା ଯଥାର୍ଥ ଭୟଟି ହେଲା ଚୀନ ପକ୍ଷରୁ ଏହି ପ୍ରକଳ୍ପକୁ ଏକ ଅସ୍ତ୍ର ରୂପେ ବ୍ୟବହାର କରାଯିବାର ଅଭିସନ୍ଧି, ଯହିଁରେ ବିନା କୌଣସି ଭୂମିକାରେ ଜଳ ପ୍ରବାହକୁ ରୋକି ବ୍ରହ୍ମପୁତ୍ରକୁ ଶୁଷ୍କ ବା କ୍ଷୀଣ ଧାର କରିଦିଆଯାଇପାରେ ଅଥବା ସହସା ବିପୁଳ ପରିମାଣର ଜଳ ନିଷ୍କାସନ କରି ଆସାମ ପର୍ଯ୍ୟନ୍ତ ଉତ୍ତର-ପୂର୍ବୀୟ ରାଜ୍ୟରେ ଅକଥନୀୟ ବନ୍ୟାର ତାଣ୍ଡବ ରଚନା କରାଯାଇପାରେ! ଏହି ଦୃଷ୍ଟିରୁ ଭାରତର ସିଆଙ୍ଗ ନଦୀ ବନ୍ଧ ପ୍ରକଳ୍ପ ହେଉଛି ଏକ ଢାଲ ସଦୃଶ; ଅର୍ଥାତ୍‌ ଅଚାନକ ଜଳ ନିଷ୍କାସନ କ୍ଷେତ୍ରରେ ସିଆଙ୍ଗ ବନ୍ଧ ତାହାକୁ ରୋକି ତଳ ମୁଣ୍ଡରେ ବନ୍ୟା ହେବାକୁ ଦେବ ନାହିଁ ଏବଂ ଯଦି ଜଳ ପ୍ରବାହକୁ ରୋକାଯାଏ, ତେବେ ସିଆଙ୍ଗ ଜଳଭଣ୍ଡାରର ପାଣି ବ୍ରହ୍ମପୁତ୍ରକୁ ଶୁଷ୍କ ହେବାକୁ ଦେବ ନାହିଁ। ସୁତରାଂ, ସରକାରଙ୍କ ପକ୍ଷରୁ ଏହି ପ୍ରକଳ୍ପକୁ ଜାତୀୟ ସୁରକ୍ଷାର ଏକ ପ୍ରଶ୍ନ ରୂପେ ପ୍ରଦର୍ଶନ କରାଯାଉଛି। ଏହା ମଧ୍ୟ ସତ ଯେ ଏଥିରୁ ଉତ୍ପନ୍ନ ହେବାକୁ ଥିବା ବିପୁଳ ପରିମାଣର ନିର୍ମଳ ବିଜୁଳି ଶକ୍ତି ଦେଶର ଉର୍ଜା ଅଭାବକୁ ପୂରଣ କରିବା ସହିତ ଉତ୍ତର-ପୂର୍ବୀୟ ରାଜ୍ୟଗୁଡ଼ିକରେ ବିକାଶର ନୂଆ କାହାଣୀ ରଚନା କରିବ। 
କିନ୍ତୁ, ଅରୁଣାଚଳ ପ୍ରଦେଶର ‘ଆଦି’ ନାମଧାରୀ ଜନଜାତି ସଂପ୍ରଦାୟ ଏହି ପ୍ରକଳ୍ପକୁ ସେମାନଙ୍କ ସଂସ୍କୃତି ଓ ପରଂପରା ଉପରେ ଆକ୍ରମଣ ଏବଂ ସିଆଙ୍ଗର ‘ଅପବିତ୍ରୀକରଣ’ ରୂପେ ଦେଖନ୍ତି। ଆବହମାନ କାଳରୁ ଏହି ଜନଜାତି ପକ୍ଷରୁ ‘ସିଆଙ୍ଗ’ ନଦୀକୁ ‘ଦେବୀ’ ଓ ‘ମାଆ’ ରୂପେ ବିଚାର କରିଥାଆନ୍ତି। ସୁତରାଂ, ଏହି ବନ୍ଧ ନିର୍ମାଣ ପ୍ରସଙ୍ଗ ଏଭଳି ଏକ ଅନ୍ତରଙ୍ଗ ଆବେଗର ବିଷୟବସ୍ତୁ ଯେ ଏହା ଦ୍ବାରା କ୍ଷତାକ୍ତ ‘ଜନ ଚେତନା’ ବିଦ୍ରୋହକୁ ମଧ୍ୟ ଜନ୍ମ ଦେଇପାରେ! 
ସରକାରଙ୍କ ଯୁକ୍ତିକୁ ପ୍ରତିହତ କରି ପ୍ରତିବାଦକାରୀମାନେ କହିଥାଆନ୍ତି ଯେ ତିବ୍ବତର ‘ୟାରଲଙ୍ଗ ସାଙ୍ଗପୋ’ ବା ଅରୁଣାଚଳ ପ୍ରଦେଶର ‘ସିଆଙ୍ଗ’ ନଦୀରେ ସୁବନଶିରି, ଲୋହିତ ଏବଂ ଦିବଙ୍ଗ ଭଳି ଉପନଦୀମାନ ମିଶି ଜଳଧାରକୁ ସ୍ଫୀତ କରିଥାଆନ୍ତି; ସୁତରାଂ, ‘ୟାରଲଙ୍ଗ ସାଙ୍ଗପୋ’ର ପ୍ରବାହକୁ ସଂପୂର୍ଣ୍ଣ ଅବରୋଧ କରି ଦିଆଗଲେ ମଧ୍ୟ ବ୍ରହ୍ମପୁତ୍ର ଶୁଷ୍କ ହୋଇଯିବାର ସମ୍ଭାବନା କ୍ଷୀଣ। ଦ୍ବିତୀୟତଃ, କୌଣସି ଦୁର୍ବିପାକ ହେତୁ ହେଉ ବା ଦୁରଭିସନ୍ଧି କାରଣରୁ ହେଉ, ଉପର ମୁଣ୍ଡରୁ ପ୍ରବାହିତ ବିପୁଳ ଜଳରାଶି ଯଦି ସିଆଙ୍ଗ ବନ୍ଧକୁ ଭାଙ୍ଗି ପକାଏ, ତେବେ ପରିସ୍ଥିତି କିଭଳି ଭୟାବହ ହେବ, ତାହା ଅନୁମାନ କରିବା କଷ୍ଟକର। ତୃତୀୟତଃ, ୨୦୨୩ ମସିହାରେ, ପରିବେଶ ଆଇନରେ ଅଣାଯାଇଥିବା ସେହି ସଂଶୋଧନକୁ ପ୍ରତିବାଦକାରୀମାନେ ପ୍ରଶ୍ନ କରନ୍ତି, ଯାହା ଏଲ.ଏ.ସି. ଠାରୁ ୧୦୦ କିଲୋମିଟର ଦୂରତା ପର୍ଯ୍ୟନ୍ତ ଅଞ୍ଚଳରେ କୌଣସି ନିର୍ମାଣ ଲାଗି ପରିବେଶ ମଂଜୁରି ବା ଜନମତ ଆବଶ୍ୟକ କରି ନ ଥାଏ, ଯଦ୍ଦ୍ବାରା ଗ୍ରାମ ସଭା ଭଳି ତୃଣମୂଳସ୍ତରୀୟ ଲୋକତାନ୍ତ୍ରିକ ବ୍ୟବସ୍ଥା ଅର୍ଥହୀନ ହୋଇଯାଏ। 
ଉଲ୍ଲେଖଯୋଗ୍ୟ ଯେ ସିଆଙ୍ଗ ନଦୀବନ୍ଧ ପ୍ରକଳ୍ପ ସକାଶେ ପୂର୍ବବର୍ତ୍ତୀ ସରକାରଗୁଡ଼ିକ ଅମଳରୁ ମଧ୍ୟ ପ୍ରଚେଷ୍ଟା କରାଯାଇଛି, ଯାହା ତୀବ୍ର ଜନ ପ୍ରତିବାଦ ହେତୁ ସ୍ଥଗିତ ରହି ଆସିଛି। କିନ୍ତୁ, ଏବର ସରକାର ଏହି ପ୍ରକଳ୍ପ ଲାଗି ଦୃଢ଼ ପ୍ରତିଜ୍ଞ। ତାହା ହୋଇ ନ ଥିଲେ ପ୍ରକଳ୍ପର ସର୍ବେକ୍ଷଣ କାର୍ଯ୍ୟକୁ ସୁରୁଖୁରୁରେ ସଂପାଦନ କରିବା ଲାଗି ସଶସ୍ତ୍ର ଆର.ଏ.ଏଫ. ବାହିନୀକୁ ଦିଲ୍ଲୀରୁ ଅଣାଯାଇ ଏଠାରେ ମୁତୟନ କରାଯାଇ ନ ଥାଆନ୍ତା କି କେତେକ ପ୍ରତିବାଦକାରୀଙ୍କୁ ଗିରଫ କରାଯାଇ ନ ଥାଆନ୍ତା। ସୁତରାଂ, ସମସ୍ୟା ଆଗକୁ ଉତ୍କଟ ରୂପ ଧାରଣ କରିବାର ଆଶଙ୍କା ରହିଛି। ଏହି ପରିପ୍ରେକ୍ଷୀରେ ପ୍ରକୃତ ଭୟଟି ହେଲା, ସେଠାରେ ସରକାର ବିରୋଧୀ ମନୋଭାବ ଉଗ୍ର ହେଲେ ସୀମା ଅତିକ୍ରମଣ ଲାଗି ଉଦ୍‌ଗ୍ରୀବ ଚୀନର ଦୁରାଶା ଇନ୍ଧନ ପାଇବ, ଯାହା ଆଉ ଏକ ଜାତୀୟ ସୁରକ୍ଷା ସମସ୍ୟା ସୃଷ୍ଟି କରିପାରେ!
କହିବା ବାହୁଲ୍ୟ, ହିମାଳୟ କ୍ରୋଡ଼ରେ ଏଭଳି ବିଶାଳ ଜଳଭଣ୍ଡାରକୁ ପରିବେଶ ବିଜ୍ଞାନୀମାନେ ଆଦୌ ସ୍ବୀକୃତି ଦେଇ ନ ଥାଆନ୍ତି। କାରଣ, ହିମାଳୟ ହେଉଛି ଏକ ଅତ୍ୟନ୍ତ ଭୂକଂପ ପ୍ରବଣ ଅଞ୍ଚଳ, ଯେଉଁଠି ଭୂ-ପୃଷ୍ଠ ତଳେ ‘ଇଣ୍ଡିଆନ ପ୍ଲେଟ’ ସହିତ ‘ୟୁରେସିଆନ ପ୍ଲେଟ’ର ଅନବରତ ଘର୍ଷଣ ଚାଲିଥାଏ। ପୁଣି, ଉଦ୍‌ବେଗର ବିଷୟ ହେଲା, ମେଡଙ୍ଗ ତଳେ ‘ପାଇଝେନ ତ୍ରୁଟି ରେଖା’ ବିଦ୍ୟମାନ ଥିବାବେଳେ ସିଆଙ୍ଗ ତଳେ ରହିଛି ଅତ୍ୟନ୍ତ ସଂବେଦନଶୀଳ ‘ହିମାଳୟାନ ଟେକଟୋନିକ ଫଲ୍‌ଟ ଜୋନ୍‌’। ପରିବେଶବିତ୍‌ମାନେ କହନ୍ତି ଯେ ଉଭୟ ଜଳ ଭଣ୍ଡାରର ଚାପ ହେତୁ ଭୂମିକଂପର ଭୟ ଅଧିକ ହୋଇଥାଏ। କେବଳ ସେତିକି ନୁହେଁ, ଜଳବାୟୁ ପରିବର୍ତ୍ତନ ହେତୁ ବାଦଲଫଟା ବର୍ଷା, ହିମବାହର ତରଳୀକରଣ, ହିମବାହ ହ୍ରଦର ପ୍ରାଚୀର ଭୁଶୁଡ଼ିବା ଭଳି ସ୍ଥିତି ସୃଷ୍ଟି ହୋଇ ଇତିମଧ୍ୟରେ ଅନେକ ଅକଳ୍ପନୀୟ ବନ୍ୟା ବିଭୀଷିକା ସୃଷ୍ଟି କଲାଣି। ଭୁଲିଗଲେ ହେବ ନାହିଁ ଯେ ହିମାଳୟ ଏକ କର୍ଦ୍ଦମ ପର୍ବତମାଳା, ଯାହା ଏବେ ତା’ର ଅସ୍ଥିର କୈଶୋରରେ; ଯେଉଁ କାରଣରୁ ଓଜନଦାର ନିର୍ମାଣ ହିମାଳୟ ସକାଶେ ଅସହନୀୟ ହୋଇପାରେ! 
ଏକ ଐତିହାସିକ ବିଡ଼ମ୍ବନା ହେଲା ଯେଉଁ ରାଷ୍ଟ୍ର ଦ୍ବୟ ମଧ୍ୟରେ ହିମାଳୟ ବଣ୍ଟିତ, ସେ ଦ୍ବୟ ଶତ୍ରୁଭାବାପନ୍ନ ଏବଂ ଅନେକ ଦୃଷ୍ଟିରୁୁ ପ୍ରତିସ୍ପର୍ଦ୍ଧୀ ମଧ୍ୟ! ଦ୍ବିତୀୟ ବିଡ଼ମ୍ବନା ହେଲା, ତହିଁରୁ ଗୋଟିଏ ଏକଛତ୍ରବାଦୀ ହୋଇଥିଲାବେଳେ ଅନ୍ୟଟି ଗଣତାନ୍ତ୍ରିକ! ତେଣୁ ସୀମା ରେଖାର ଗୋଟିଏ ପ‌େଟ ପ୍ରତିବାଦ ବା ବିବେଚନାବୋଧକୁ ଭ୍ରୂ‌େକ୍ଷପ ନ କରି ସମର-ସଜ୍ଜା କରାଯାଉଥିବାବେଳେ ଅନ୍ୟ ପଟରେ ପ୍ରତିକାରର ବାଧ୍ୟବାଧକତା ମଧ୍ୟ ପ୍ରତିବାଦର ସମ୍ମୁଖୀନ ହୋଇପାରେ। ଏଭଳି ସ୍ଥଳେ ଖୁବ୍‌ ସମ୍ଭବ ଯେ ‘କ’ଣ କରାଯିବା ଉଚିତ ବା ଅନୁଚିତ’ ଭଳି ଅସରନ୍ତି ଦ୍ବନ୍ଦ୍ବର ଆବର୍ତ୍ତ ମଧ୍ୟକୁ ଭାରତ ନିକ୍ଷେପିତ ହୋଇଯାଇପାରେ! ଏହା ହେଉଛି ତୃତୀୟ ବିଡ଼ମ୍ବନା!

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)