ଆଜି ବାତ୍ୟା, ସୃଷ୍ଟି ହେଲା ଗଭୀର ଅବପାତ
ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ଘନୀଭୂତ ହୋଇ ଗଭୀର ଅବପାତ (Deep Depression) ର ରୂପ ନେଇଛି । ଆଜି ସନ୍ଧ୍ୟା ସୁଦ୍ଧା ଏହା ବାତ୍ୟା 'ଅକ୍ଭାନ୍' ର ପରିଣତ ହେବ । ଏନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ ଆଇଏମଡି । ଅବପାତ ଟି ୬ ଘଣ୍ଟାରେ ୮କି.ମି. ବେଗରେ ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି ଅଗ୍ରଗତି କରି ବର୍ତ୍ତମାନ ଏହା ବିଶାଖାପାଟଣାରୁ ୭୨୦କିମି. ଦୂରରେ ରହିଛି । ଆଜି ସକାଳ ସୁଦ୍ଧା ଏହା ଓଡ଼ିଶାର ଗୋପାଳପୁର ଠାରୁ ପ୍ରାୟ ୯୪୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ଥିଲା । ତେବେ ବାତ୍ୟା କେଉଁଠି ଲ୍ୟାଣ୍ଡଫଲ୍ କରିବ, ସେନେଇ ଏଯାଏଁ ସ୍ପଷ୍ଟ ଆକଳନ କରିନାହିଁ ଆଇଏମଡି।
ବାତ୍ୟା 'ଅକ୍ଭାନ୍' ଆସନ୍ତାକାଲି ଆହୁରି ଘନୀଭୂତ ହୋଇ ଭୀଷଣ ବାତ୍ୟାର ରୂପ ନେବ । ୧୯ ତାରିଖ ସନ୍ଧ୍ୟା ସୁଦ୍ଧା ଅତି ଭୀଷଣ ବାତ୍ୟାରେ ପରିଣତ ହେବାର ଆକଳନ କରାଯାଉଛି । ବାତ୍ୟା ପ୍ରଭାବରେ ନଭେମ୍ବର ୧୮ ତାରିଖରୁ ଓଡ଼ିଶାର ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ତେବେ ନଭେମ୍ବର ୧୯ ରୁ ୨୧ ତାରିଖ ପର୍ଯ୍ୟନ୍ତ ଦକ୍ଷିଣ ଓ ଉପକୂଳ ଓଡ଼ିଶାର କେତେକ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି । ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୪୦ରୁ ୫୦ କିମି ପବନ ବହିପାରେ ।
ସମ୍ଭାବ୍ୟ ବାତ୍ୟା ଓ ବର୍ଷାକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାର ଦକ୍ଷିଣ ଓଡ଼ିଶାର ଜିଲ୍ଲା ପ୍ରଶାସନକୁ ସତର୍କ କରାଇବା ସହ ତଳିଆ ଓ ବିପଦସଙ୍କୁଳ ଅଞ୍ଚଳରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ମତ୍ସ୍ୟଜୀବୀମାନଙ୍କୁ ଆଜି ସୁଦ୍ଧା କୂଳକୁ ଫେରିଆସିବାକୁ ଏବଂ ୨୧ତାରିଖ ଯାଏଁ ସମୁଦ୍ର ଭିତରକୁ ନ ଯିବାକୁ ପରାମର୍ଶ ଦିଆଯାଇଛି । ସେହିପରି ଉପକୂଳ ଜିଲ୍ଲା ର ଜିଲ୍ଲାପାଳ ମାନଙ୍କୁ ଚିଠି ଲେଖି ସତର୍କ କରାଇଛନ୍ତି ଏସଆରସି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
