Uttar Pradesh Politics: ବିଜେପିର ବଡ଼ ସାଂଗଠନିକ ପରିବର୍ତ୍ତନ
ଲକ୍ଷ୍ନୌ: ୨୦୨୭ ବିଧାନସଭା ନିର୍ବାଚନର ଅବ୍ୟବହିତ ପୂର୍ବରୁ ବିଜେପି ଗୁରୁବାର ଉତ୍ତରପ୍ରଦେଶରେ ଏକ ବଡ଼ ଧରଣର ସାଂଗଠନିକ ପରିବର୍ତ୍ତନ ଘୋଷଣା କରିଛି। ବିଜେପିର ନୂଆ ଟିମ୍ରେ ୧୯ ଉପସଭାପତି, ୮ ସାଧାରଣ ସମ୍ପାଦକ ଏବଂ ୧୯ ସମ୍ପାଦକ ଅଛନ୍ତି। ଗତ ବର୍ଷ ଡିସେମ୍ବରରେ କେନ୍ଦ୍ର ମନ୍ତ୍ରୀ ପଙ୍କଜ ଚୌଧାରୀ ଉତ୍ତରପ୍ରଦେଶ ବିଜେପି ମୁଖ୍ୟ ଭାବେ ଦାୟିତ୍ବ ନେବାର ପ୍ରାୟ ୬ ମାସ ପରେ ଏହି ସାଂଗଠନିକ ପରିବର୍ତ୍ତନ ଘୋଷଣା କରାଯାଇଛି।
ବିଜେପିର ନୂଆ ଟିମ୍ରେ ୪୮ ସଦସ୍ୟ ଅଛନ୍ତି। ପୂର୍ବ ଟିମ୍ରେ ୪୩ ସଦସ୍ୟ ଥିବାବେଳେ ପୂର୍ବ ଟିମ୍ ତୁଳନାରେ ନୂଆ ଟିମ୍ ଅଧିକ ବଡ଼। ଉପସଭାପତିଙ୍କ ମଧ୍ୟରେ ଦଳ କେବଳ ୪ ଜଣ ପୁରୁଣା ସଦସ୍ୟଙ୍କୁ ନୂଆ ଟିମ୍ରେ ରଖିଛି ଏବଂ ସେମାନେ ହେଉଛନ୍ତି ବ୍ରଜ ବାହାଦୁର, ମୋହିତ ବେନିୱାଲ, ଧର୍ମେନ୍ଦ୍ର ସିଂହ ଏବଂ ଦେବେଶ କୁମାର କୋରି। ବିଜେପିର ଏହି ନୂଆ ଟିମ୍ରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ସାନ ପୁଅ ନିରଜ ସିଂହ ସାମିଲ ହେବାକୁ ଖୁବ୍ ଗୁରୁତ୍ବପୂର୍ଣ୍ଣ ମନେ କରାଯାଉଛି। ସେ ତାଙ୍କ ବଡ଼ ଭାଇ ତଥା ଦଳର ବିଧାୟକ ପଙ୍କଜ ସିଂହଙ୍କ ସ୍ଥାନରେ ନିଯୁକ୍ତ ହୋଇଛନ୍ତି। ଦଳ ମଧ୍ୟ ବିଦ୍ରୋହୀ ସମାଜବାଦୀ ପାର୍ଟି ବିଧାୟକ ପୂଜା ପାଲ୍ଙ୍କୁ ଉପସଭାପତି ନିଯୁକ୍ତ କରିଛି।
NEET: ଉତ୍ତରପ୍ରଦେଶରେ ଜୀବନ ହାରିଲେ ନିଟ୍ ଆଶାୟୀ
ତେବେ ବିଧାନସଭା ରେକର୍ଡ ଅନୁଯାୟୀ ପାଲ୍ ଏବେ ବି ସମାଜବାଦୀ ପାର୍ଟିର ଜଣେ ସଦସ୍ୟ ଅଛନ୍ତି। ଅନ୍ୟ ଜଣେ ପୂର୍ବତନ ଉତ୍ତରପ୍ରଦେଶ ମନ୍ତ୍ରୀ ସୁରେଶ ରାଣା ମଧ୍ୟ ନୂଆ ଟିମ୍ରେ ସ୍ଥାନ ପାଇଛନ୍ତି। ରାଜ୍ୟ ସାଧାରଣ ସମ୍ପାଦକଙ୍କ ମଧ୍ୟରେ କେବଳ ୨ ଜଣ ତଥା ରାମ ପ୍ରତାପ ସିଂହ ଚୌହାନ ଏବଂ ସଞ୍ଜୟ ରାୟ ନିଜ ଆସନ ବଜାୟ ରଖିଛନ୍ତି। ଅନ୍ୟପକ୍ଷେ ପ୍ରିୟଙ୍କ ସିଂହ ରାୱତଙ୍କୁ ରାଜ୍ୟ ଉପସଭାପତି ନିଯୁକ୍ତ କରାଯାଇଛି। ଦଳ ମଧ୍ୟ ରାଜ୍ୟ ସମ୍ପାଦକ ଅଭିଜାତ ମିଶ୍ରଙ୍କୁ ରାଜ୍ୟ ସାଧାରଣ ସମ୍ପାଦକ ଭାବେ ପଦୋନ୍ନତି ଦେଇଛି। ନୂଆ ଟିମ୍ରେ ବିଭିନ୍ନ ଜାତିର ପ୍ରତିନିଧିତ୍ବକୁ ସୁନିଶ୍ଚିତ କରିବାପାଇଁ ବିଜେପି ଏକ ସନ୍ତୁଳନ ରକ୍ଷା କରିଛି।
ଗୁରୁତ୍ବପୂର୍ଣ୍ଣ ଓବିସି ସମ୍ପ୍ରଦାୟକୁ ବିଜେପିର ନୂଆ ଟିମ୍ରେ ସିଂହ ଭାଗ ମିଳିଛି। ୪୬ ନବ ନିଯୁକ୍ତ ସଦସ୍ୟମାନଙ୍କ ମଧ୍ୟରୁ ୨୦ ଜଣ ଓବିସିର। ଉଲ୍ଲେଖଯୋଗ୍ୟ ୨୦୨୭ ବିଧାନସଭା ନିର୍ବାଚନ ପୂର୍ବରୁ ସଂଗଠନକୁ ସୁଦୃଢ଼ କରିବାପାଇଁ ବିଜେପି ଏବେଠାରୁ ପ୍ରସ୍ତୁତି ଆରମ୍ଭ କଲାଣି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଅନ୍ୟ ବରିଷ୍ଠ ନେତା ଏବଂ କେନ୍ଦ୍ରୀୟ ନେତୃବୃନ୍ଦଙ୍କ ସହ ଅନେକ ରାଉଣ୍ଡ ବିଚାରବିମର୍ଶ ଏବଂ ଆଲୋଚନା ପରେ ତାଲିକା ଜାରି ହୋଇଛି। ବିଜେପିର ସମସ୍ତ ୬ ଆଞ୍ଚଳିକ ସଭାପତି ବଦଳିଛନ୍ତି। ବିଜେପି ମନୀଷ ଦିକ୍ଷିତଙ୍କୁ ରାଜ୍ୟ ଗଣମାଧ୍ୟମ ସଂଯୋଜକ ଭାବେ ବଜାୟ ରଖିଛି। ଉକ୍ତ ପଦରେ ମନୀଷ ଦିକ୍ଷିତଙ୍କର ଏହା ଲଗାତାର ଚତୁର୍ଥ କାର୍ଯ୍ୟକାଳ। ଦିନେଶ ପ୍ରତାପ ସିଂହଙ୍କୁ ମୁଖ୍ୟ ମୁଖପାତ୍ର ନିଯୁକ୍ତ କରାଯାଇଥିବାବେଳେ ହିମାଂଶୁ ରାଜ୍ ପଣ୍ଡିତଙ୍କୁ ରାଜ୍ୟ ସାମାଜିକ ଗଣମାଧ୍ୟମ ସଂଯୋଜକ ନିଯୁକ୍ତ କରାଯାଇଛି।