lPG: ବାଣିଜ୍ୟିକ ଏଲ୍‌ପିଜି ଯୋଗାଣ କଟକଣା ହଟିଲା

Jun 25, 2026 - 22:42
lPG: ବାଣିଜ୍ୟିକ ଏଲ୍‌ପିଜି ଯୋଗାଣ କଟକଣା ହଟିଲା

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟ ଯୁଦ୍ଧ ପରେ ଦେଶରେ ବାଣିଜ୍ୟିକ ଏଲ୍‌ପିଜି ଯୋଗାଣ ଉପରେ ଲଗାଯାଇଥିବା କଟକଣାକୁ ଆଜି ପେଟ୍ରୋଲିୟମ ମନ୍ତ୍ରାଳୟ ହଟାଇ ଦେଇଛି। ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ମୁଖ୍ୟ ସଚିବମାନଙ୍କୁ ଏ ସଂପର୍କରେ ଅବଗତ କରାଯାଇଛି। ବିଭିନ୍ନ କ୍ଷେତ୍ର ପାଇଁ ଅଣଘରୋଇ ପ୍ୟାକ୍‌ଡ ଏଲ୍‌ପିଜି ଯୋଗାଣ ଉପରେ ଲଗାଯାଇଥିବା କଟକଣାକୁ ପ୍ରତ୍ୟାହାର କରାଯାଇ ଯୁଦ୍ଧ-ପୂର୍ବ ସ୍ଥିତିକୁ କାର୍ଯ୍ୟକାରୀ କରିବା ପାଇଁ କୁହାଯାଇଛି। ଏଥିସହିତ ଯୁଦ୍ଧ ପୂର୍ବରୁ ବଲ୍‌କ ଏଲ୍‌ପିଜି ଯୋଗାଣ ସ୍ତର ଯାହା ଥିଲା ତାହାର ୫୦ ପ୍ରତିଶତ ପୁନଃସ୍ଥାପିତ କରାଯାଇଛି।

କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ଫଳରେ ବାଣିଜ୍ୟିକ ସଂସ୍ଥା ଓ ଶିଳ୍ପ ପ୍ରତିଷ୍ଠାନଗୁଡ଼ିକୁ ଅନେକ ପରିମାଣରେ ଆଶ୍ବସ୍ତି ମିଳିଛି। ଏଲ୍‌ପିଜି ଯୋଗାଣ ସ୍ଥିତିରେ ଉନ୍ନତି ଆସିବା ପରେ ସରକାର ଏଭଳି ପଦକ୍ଷେପ ନେଇଛନ୍ତି। ସେହିଭଳି ମଧ୍ୟପ୍ରାଚ୍ୟ ଯୁଦ୍ଧ ପରେ ଦେଶରେ ଏଲ୍‌ପିଜି ଉତ୍ପାଦନକୁ ଅଗ୍ରାଧିକାର ଦେବା ଲାଗି ଅନ୍ୟାନ୍ୟ ଗ୍ୟାସ ଉତ୍ପାଦନ ଉପରେ ଅଙ୍କୁଶ ଲଗାଯାଇଥିଲା। କିନ୍ତୁ ବର୍ତ୍ତମାନ ଅଣଏଲ୍‌ପିଜି ଗ୍ୟାସ ଉତ୍ପାଦନକୁ ସ୍ବାଭାବିକ କରିବା ଲାଗି ନିଷ୍ପତ୍ତି ନିଆଯାଇଛି।

Price hike: ଡିଜେଲ-ପେଟ୍ରୋଲ ପରେ ବାଣିଜ୍ୟିକ ଏଲପିଜି ସିଲିଣ୍ଡର ମୂଲ୍ୟ ବୃଦ୍ଧି

ତେବେ ଘରୋଇ ଏଲ୍‌ପିଜି ଯୋଗାଣ ଯେଭଳି ପ୍ରଭାବିତ ହେବ ନାହିଁ ଏବଂ ଦେଶ ଭିତରେ ମୋଟ ଏଲ୍‌ପିଜି ଉତ୍ପାଦନ ଦୈନିକ ୪୦ ହଜାର ମେଟ୍ରିକ ଟନ୍‌ରୁ କମ୍‌ ହେବ ନାହିଁ ତାହାକୁ ଧ୍ୟାନ ଦେବା ପାଇଁ ମନ୍ତ୍ରାଳୟ କହିଛି। ଦେଶରେ ପିଏନ୍‌ଜି ସଂଯୋଗ ବୃଦ୍ଧି ପାଇଁ ସରକାର ଯେଉଁ ଉଦ୍ୟମ ଆରମ୍ଭ କରିଛନ୍ତି ସେଥିପ୍ରତି ପ୍ରତିବଦ୍ଧ ଥିବା କହିଛନ୍ତି। ବାଣିଜ୍ୟିକ ସଂସ୍ଥା ଏବଂ ଶିଳ୍ପ ସଂସ୍ଥାଗୁଡ଼ିକ ଯେଉଁମାନେ ପିଏନ୍‌ଜିକୁ ସ୍ଥାନାନ୍ତରିତ ହୋଇସାରିଛନ୍ତି ସେମାନେ ପିଏନ୍‌ଜି ବ୍ୟବହାର ଜାରି ରଖିବେ। ଯେଉଁମାନଙ୍କ ପାଇଁ ପିଏନ୍‌ଜି ସଂଯୋଗ ନେବା ସୁବିଧା ରହିଛି ସେମାନଙ୍କୁ ଏହି ବ୍ୟବସ୍ଥାକୁ ଯିବା ପାଇଁ କୁହାଯାଇଛି। ମଧ୍ୟପ୍ରାଚ୍ୟ ଯୁଦ୍ଧ ପରେ ସାମୟିକ ଭାବେ ଲଗାଯାଇଥିବା ଏଲ୍‌ପିଜି ଯୋଗାଣ କଟକଣାର ସମୀକ୍ଷା ଭାରତ ସରକାର କରିବା ପରେ ଏହି ନିଷ୍ପତ୍ତି ନେଇଛନ୍ତି।