Water Problem: ଗରା, ବାଲ୍ଟି ଧରି ଆର୍ଡବ୍ଲୁଏସ୍ଏସ୍ କାର୍ଯ୍ୟାଳୟ ଘେରିଲେ ମହିଳା
ଦେବଗଡ଼ (ଶକ୍ତି ସୌରଭ ନନ୍ଦ): ଦେବଗଡ଼ ଜିଲ୍ଲା ତିଲେଇବଣି ବ୍ଲକ୍ ନୂଆଭୂଇଁ ଗ୍ରାମରେ ପିଇବା ପାଣିର ସମସ୍ୟା ରହିଛି। ଫଳରେ ଗୁରୁବାର ଗ୍ରାମବାସୀ ଗରା, ବାଲ୍ଟି ଧରି ଆର୍ଡବ୍ଲୁଏସ୍ଏସ୍ ଅଧୀକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଘେରାଉ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।
ନୂଆଭୂଇଁ ଗ୍ରାମରେ ବସୁଧା ଯୋଜନାରେ ପିଇବା ପାଣି ଯୋଗାଇ ଦିଆଯାଉଥିବା ବେଳେ ପମ୍ପ ଖରାପ ଥିବା ଯୋଗୁଁ ଏହା ବାରମ୍ବାର ବନ୍ଦ ରହୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ସେହିଭଳି ଗ୍ରାମରେ ଦୁଇଟି ନଳକୂଅ ରହିଥିବା ବେଳେ ସେଗୁଡ଼ିକ ମଧ୍ୟ ଅଚଳ ହୋଇ ପଡ଼ିରହିଛି। ମାସେ ହେବ ପାନୀୟଜଳ ଜଳଯୋଗାଣ ବନ୍ଦ ରହିଥିବା ବେଳେ ବିଭାଗୀୟ ଅଧିକାରୀମାନଙ୍କୁ ଜଣାଇବା ପରେ ମଧ୍ୟ କୌଣସି ପଦକ୍ଷେପ ନେଇ ନଥିଲେ। ଫଳରେ ଗ୍ରାମବାସୀମାନେ ଗରା, ବାଲ୍ଟି ଧରି ଆସି ଆର୍ଡବ୍ଲୁଏସ୍ଏସ୍ ଅଧୀକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ। ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ଗ୍ରହଣ କରାଯିବ ବୋଲି ବିଭାଗୀୟ ଅଧିକାରୀ ପ୍ରତିଶ୍ରୁତି ଦେବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା।