US election: ଆମେରିକାର ପ୍ରଥମ ମୁସଲମାନ ସିନେଟର ଅବଦୁଲଙ୍କ ଭାରତୀୟ ସମ୍ପର୍କ
ନୂଆଦିଲ୍ଲୀ: ଆମେରିକାର ସିନେଟ୍କୁ ନିର୍ବାଚିତ ପ୍ରଥମ ମୁସଲମାନ ସଦସ୍ୟ ଅବଦୁଲ ଏଲ୍-ସୟଦଙ୍କ ଭାରତୀୟ ସମ୍ପର୍କ ଏବେ ଚର୍ଚ୍ଚାରେ। ତାଙ୍କ ପତ୍ନୀ ଡାକ୍ତର ସାରା ଜୁକାକୁଙ୍କ ପରିବାରର ମୂଳ ଭାରତର କର୍ଣ୍ଣାଟକ ରାଜ୍ୟର ଉତ୍ତର କନ୍ନଡ଼ ଜିଲ୍ଲାର ଉପକୂଳବର୍ତ୍ତୀ ଭାଟକଲ୍ ସହରରେ। ନିକଟରେ ଏକ ପୋଡ୍କାଷ୍ଟରେ ନିଜ ବୈବାହିକ ଜୀବନ ଓ ଭାରତୀୟ ସଂସ୍କୃତି ସହ ସମ୍ପର୍କ ବିଷୟରେ କହିବା ବେଳେ ଅବଦୁଲ ହାସ୍ୟରସରେ କହିଛନ୍ତି, ସେ ଆରବୀୟଙ୍କଠାରୁ ଅଧିକ ଭାରତୀୟ ହୋଇଗଲେଣି।
ମିସିଗାନ୍ରୁ ଡେମୋକ୍ରାଟିକ୍ ଦଳର ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ି ଅବଦୁଲ ରିପବ୍ଲିକାନ୍ ପ୍ରାର୍ଥୀ ମାଇକ୍ ରୋଜର୍ସଙ୍କୁ ପରାସ୍ତ କରିଥିଲେ। ନଭେମ୍ବର ୩ରେ ହୋଇଥିବା ମଧ୍ୟବର୍ତ୍ତିକାଳୀନ ନିର୍ବାଚନରେ ବିଜୟୀ ହୋଇ ସେ ଆମେରିକାର ସିନେଟ୍କୁ ନିର୍ବାଚିତ ପ୍ରଥମ ମୁସଲମାନ ହୋଇଛନ୍ତି। ମିସିଗାନ୍ରେ ତାଙ୍କ ବିଜୟ ପରେ ତାଙ୍କ ପତ୍ନୀଙ୍କ ଭାରତୀୟ ପାରିବାରିକ ପୃଷ୍ଠଭୂମି ମଧ୍ୟ ଚର୍ଚ୍ଚାକୁ ଆସିଛି। ଅଗଷ୍ଟରେ ପ୍ରସାରିତ ‘ମିଟ୍ ଦ ରିଅଲ୍ ଅବଦୁଲ ଏଲ୍-ସୟଦ’ ନାମକ ପୋଡ୍କାଷ୍ଟରେ ସେ କହିଥିଲେ, ଦକ୍ଷିଣ ଭାରତୀୟ ପରିବାରରେ ବିବାହ କରିବାର ୨୦ ବର୍ଷ ହୋଇଗଲାଣି। ସେ ନିଜକୁ ଆରବୀୟଙ୍କ ତୁଳନାରେ ଅଧିକ ଭାରତୀୟ ମନେ କରୁଛନ୍ତି।
ନିକି ହେଲିଙ୍କୁ ପରାସ୍ତ କରି ଦକ୍ଷିଣ କାରୋଲିନା ରିପବ୍ଲିକାନ୍ ପ୍ରାଇମେରିରେ ବିଜୟୀ ହେଲେ ଟ୍ରମ୍ପ୍
ଭାରତୀୟ ସଂସ୍କୃତିର ଧୈର୍ଯ୍ୟ ଓ ସହନଶୀଳତା ତାଙ୍କୁ ବେଶ୍ ପ୍ରଭାବିତ କରିଥିବା ସେ କହିଥିଲେ। ଭାରତ ଗସ୍ତ ସମୟର ଅନୁଭୂତି ବଖାଣି ସେ କହିଥିଲେ, ଏତେ ଜନସଂଖ୍ୟା ଥିବା ଦେଶରେ କୌଣସି କାମ ଶୀଘ୍ର ହୁଏ ନାହିଁ। ଏଥିପାଇଁ ଧୈର୍ଯ୍ୟ ରଖିବାକୁ ପଡ଼େ। ଅବଦୁଲଙ୍କ ପତ୍ନୀ ସାରାଙ୍କ ପିତା ଡାକ୍ତର ତାୟେବ ଜୁକାକୁ ଜଣେ ବୃକ୍କ ରୋଗ ବିଶେଷଜ୍ଞ। ସେ ବେଙ୍ଗାଲୁରୁରେ ଡାକ୍ତରୀ ପାଠପଢ଼ା ଶେଷ କରିବା ପରେ ୧୯୮୦ ଦଶକରେ ଆମେରିକା ଚାଲିଯାଇଥିଲେ। ସାରାଙ୍କ ଜେଜେବାପା ଜୁକାକୁ ଶମ୍ସୁଦ୍ଦିନ ତତ୍କାଳୀନ ମହୀଶୂର ରାଜ୍ୟ ସରକାରରେ ଉପଅର୍ଥମନ୍ତ୍ରୀ ଥିଲେ। ସେ ବି.ଡି. ଜତିଙ୍କ ମନ୍ତ୍ରିମଣ୍ଡଳରେ ୧୯୫୮ରୁ ୧୯୬୨ ମଧ୍ୟରେ ଦାୟିତ୍ୱ ତୁଲାଇଥିଲେ।
ସାରା ଓ ଅବଦୁଲଙ୍କ ସାକ୍ଷାତ ମିସିଗାନ୍ ବିଶ୍ୱବିଦ୍ୟାଳୟରେ ପାଠପଢ଼ିବା ସମୟରେ ହୋଇଥିଲା। ୨୦୦୬ ମେ ମାସରେ ସେମାନଙ୍କ ବିବାହ ହୋଇଥିଲା। ଏହି ଦମ୍ପତିଙ୍କ ଦୁଇ ଝିଅ ଅଛନ୍ତି। ସାରାଙ୍କ ପରିବାର ଭାରତୀୟ ମୂଳର ହୋଇଥିଲେ ମଧ୍ୟ ସେ ଆମେରିକାରେ ଜନ୍ମ ହୋଇ ବଢ଼ିଛନ୍ତି। ପୋଡ୍କାଷ୍ଟରେ ଅବଦୁଲ ନିଜ ବିବାହ ସମୟର ଏକ ମଜାଦାର ଘଟଣା ମଧ୍ୟ କହିଥିଲେ। ସାରାଙ୍କୁ ବିବାହ କରିବା କଥା ଜଣାଇବା ପରେ ଇଜିପ୍ଟରେ ରହୁଥିବା ତାଙ୍କର ଜଣେ ଦାଦା କହିଥିଲେ, ୮ କୋଟି ଇଜିପ୍ଟୀୟ ଥିବାବେଳେ ତୁମେ ଜଣେ ଭାରତୀୟ ମହିଳାଙ୍କୁ ହିଁ ବାଛିଲ! ଏହାର ଉତ୍ତରରେ ଅବଦୁଲ ମଜାକରେ କହିଥିଲେ, ଭାରତର ଜନସଂଖ୍ୟା ଏକ ଶହ କୋଟିରୁ ଅଧିକ, ତେଣୁ ପରିସଂଖ୍ୟାନ ଦୃଷ୍ଟିରୁ ଏହା ସ୍ୱାଭାବିକ। ସେ ନିଜ ଦୁଇ ଝିଅଙ୍କୁ ଅଧା ଭାରତୀୟ ଓ ଅଧା ଇଜିପ୍ଟୀୟ ବୋଲି କହିଥିଲେ ମଧ୍ୟ ସେମାନେ ଶତପ୍ରତିଶତ ଆମେରିକୀୟ ବୋଲି ଉଲ୍ଲେଖ କରିଥିଲେ। ତାଙ୍କର ଏହି ମନ୍ତବ୍ୟ ଆମେରିକାରେ ଭାରତୀୟ ମୂଳର ପରିବାର ସହ ତାଙ୍କର ଘନିଷ୍ଠ ସମ୍ପର୍କକୁ ଚର୍ଚ୍ଚାକୁ ଆଣିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
