Road Accident Victims: ବେପରୁଆ ଗାଡ଼ି ଚାଳନା ଉଜାଡ଼ୁଛି ସଂସାର! କାହା ମୁଣ୍ଡରୁ ହଟୁଛି ବାପାଙ୍କ ହାତ, କାହାର ମଥାରୁ ସିନ୍ଦୂର
ରାସ୍ତା ଉପରେ ଚାଲିଛି ମହା ସଂହାର।
ବୋହୁଛି ରକ୍ତ, ଗଡ଼ି ଚାଲିଛି ମୁଣ୍ଡ।
ଅକାଳରେ ଲିଭି ଯାଉଛି ଜୀବନ ଦୀପ।
ଗୋଟିଏ ପରେ ଗୋଟିଏ ପରିବାର ଉଚ୍ଛନ୍ନ କରିଚାଲିଛି ଏ ରାକ୍ଷସ।
ଅନ୍ଧାର କରିଦେଉଛି ଭବିଷ୍ୟତ।
ଏସବୁ ପଛରେ ଦାନବ ହୋଇ ଛିଡ଼ା ହୋଇଛି ଗୋଟିଏ କାରଣ, ନାଁ ତାର ସଡ଼କ ଦୁର୍ଘଟଣା।
ଯାହା କେବଳ ଜଣଙ୍କ ଜୀବନ ନେଉ ନାହିଁ, ବରଂ ପଛରେ ଛାଡ଼ିଯାଉଛି ଅନେକ ଅସହାୟ ପରିବାର।
କେଉଁଠି ବାପାଙ୍କୁ ହରାଇ ପୁଅ ଆଜି ନିଜେ ଯନ୍ତ୍ରଣାରେ, ତ ଆଉ କେଉଁଠି ସ୍ୱାମୀଙ୍କୁ ହରାଇ ସଂଘର୍ଷ କରୁଛନ୍ତି ସ୍ତ୍ରୀ।
ଏସବୁ ପଛରେ ରହିଛି ସଡ଼କ ଦୁର୍ଘଟଣାର କରୁଣ କାହାଣୀ।
Advertisment କେନ୍ଦ୍ରାପଡା ପୌରାଅଞ୍ଚଳ ଅନ୍ତର୍ଗତ କାକଟ ଗାଁର ଚନ୍ଦନ ବେହେରାଙ୍କ ଦୁଃଖଦ କାହାଣୀ।
ସଡକ ଦୁର୍ଘଟଣାରେ ବାପା ପ୍ରଦୀପ ଆର ପାରିକୁ ଚାଲି ଯାଇଛନ୍ତି ଆଉ ନିଜେ ଚନ୍ଦନ ଗତ ୩ ମାସ ହେବ ବିଛଣାରେ ପଡି ରହିଛନ୍ତି।
ସେହିପରି ବଗତା ଗାଁର ସନ୍ତୋଷ ରାଉତଙ୍କ ମଧ୍ୟ ସମାନ କାହାଣୀ।
ସେ ଚାଲିଯିବା ପରେ ଏବେ ଜୀବନ ପାଇଁ ସଂଘର୍ଷ କରୁଛନ୍ତି ବିଧବା ସ୍ତ୍ରୀ ଓ ମାଆ।
ଅନ୍ୟର ବେପରୁଆ ଗାଡି ଚାଳନା ଯୋଗୁଁ ଏହି ଦୁଇଟି ପରିବାର ଉଜୁଡି ଯାଇଛି ।
ଆରଟିଓ କାର୍ଯ୍ୟାଳୟର ତଥ୍ୟ କହୁଛି, ୨୦୨୫ରେ ୨୪୪ଟି ବଡ଼ ଦୁର୍ଘଟଣାରେ ୧୦୬ ଜଣଙ୍କ ଜୀବନ ଯାଇଛି ।
ଆଉ ଚଳିତବର୍ଷ ସେପ୍ଟେମ୍ବର ସୁଦ୍ଧା ୨୫୪ଟି ଦୁର୍ଘଟଣା ଘଟିଥିବା ବେଳେ ମୃତ୍ୟୁ ସଂଖ୍ୟା ଶହେ ଟପିଛି।
୫୩ ନମ୍ବର ଜାତୀୟ ରାଜପଥ ଏବଂ କଟକ-ଚାନ୍ଦବାଲି ରାଜ୍ୟ ରାଜପଥରେ ଅଧିକ ଦୁର୍ଘଟଣା ଘଟୁଛି ।
ବିଶେଷକରି ଡେରାବିଶ ଓ ସଦର ଥାନା ଅଞ୍ଚଳ ପାଲଟିଛି ଦୁର୍ଘଟଣାର ହଟ୍ସ୍ପଟ୍।
ଦୁର୍ଘଟଣାର କାରଣ ଖୋଜିଲେ ସାମ୍ନାକୁ ଆସୁଛି ଅନେକ ବେପରୁଆ କାର୍ଯ୍ୟ।
ନିଶାସକ୍ତ ହୋଇ ଗାଡ଼ି ଚଳାଇବା, ମୋବାଇଲରେ କଥା ହେବା, ଓଭରଲୋଡିଂ ଏବଂ ରାସ୍ତାକଡ଼ରେ ବେଆଇନ ପାର୍କିଂ।
ଏସବୁ ରୋକିବାକୁ ପରିବହନ ବିଭାଗ ପକ୍ଷରୁ ଜରିମାନା ସହ କଠୋର କାର୍ଯ୍ୟାନୁଷ୍ଠାନ ହେଉଛି ।
ଗତ ୩ ମାସରେ ୭ ଲକ୍ଷ ୨୦ ହଜାର ଟଙ୍କା ଫାଇନ୍ ଆଦାୟ ସହ ୨୬ଟି ଗାଡ଼ିର ପଞ୍ଜୀକରଣ ଓ ୩୪୬ ଜଣଙ୍କ ଡ୍ରାଇଭିଂ ଲାଇସେନ୍ସ ବାତିଲ ହୋଇଛି ।
ତଥାପି ଦୁର୍ଘଟଣା ଥମିବାର ନାଁ ନେଉନି ।
ଜରିମାନା ଆଦାୟ ହେଉଛି, ଲାଇସେନ୍ସ ବାତିଲ ହେଉଛି ।
ହେଲେ କେବେ ସୁଧୁରିବ ଗାଡ଼ି ଚାଳକଙ୍କ ମନୋଭାବ ?
କେବେ ଥମିବ ଦୁର୍ଘଟଣା, ଆଉ କେବେ ରାସ୍ତାରେ ସୁରକ୍ଷିତ ହେବ ଜୀବନ ?
ଏହା ହିଁ ଏବେ ବଡ଼ ପ୍ରଶ୍ନ ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
