Japanese Couple Hindu Wedding: ୩ ସନ୍ତାନର ଦମ୍ପତି ହୋଇଥିଲେ ଅଲଗା, ୪ ବର୍ଷ ପରେ ବଦଳିଲା ମନ ପୁଣି ପିନ୍ଧିଲେ ବରଣମାଳା
ପ୍ରେମ କେବେ କାହାକୁ ଯେ ପୁଣି ଏକାଠି କରିଦିଏ, ତାହା କହିବା ମୁସ୍କିଲ।
ଛାଡ଼ପତ୍ର ପରେ ଅଲଗା ହୋଇଯାଇଥିବା ଦୁଇଟି ହୃଦୟ ପୁଣିଥରେ ମିଶିଛି।
ଆଉ ଏହି ପ୍ରେମର ନୂଆ ଅଧ୍ୟାୟ ଲେଖା ହୋଇଛି ଭାରତରେ।
ଜାପାନର ଏକ ଦମ୍ପତି ଲକ୍ଷ୍ନୌରେ ହିନ୍ଦୁ ରୀତିନୀତିରେ ପୁଣିଥରେ ବିବାହ କରି ଏବେ ଚର୍ଚ୍ଚାରେ।
Advertisment କୁହାଯାଏ, ପ୍ରେମ ଯଦି ସତ ହୋଇଥାଏ ତେବେ ଦୂରତା ଓ ସମୟ ମଧ୍ୟ ତାକୁ ଅଲଗା କରିପାରେନି।
ଏହାର ଏକ ନିଆରା ଉଦାହରଣ ହେଉଛନ୍ତି ଜାପାନର ହିରୋ ଚିହାରା ଓ ଶିଜୁ।
୨୦୨୨ରେ ଉଭୟଙ୍କ ଛାଡ଼ପତ୍ର ହୋଇଥିଲା।
କିନ୍ତୁ ଭାଗ୍ୟର ଖେଳ ଏମିତି ଯେ, ୨୦୨୩ରେ ପୁଣିଥରେ ଏକାଠି ହୋଇଥିଲେ ଏହି ଦମ୍ପତି।
ଶେଷରେ ନିଜ ସମ୍ପର୍କକୁ ଆଉ ଏକ ସୁଯୋଗ ଦେଇ ଦ୍ୱିତୀୟ ଥର ପାଇଁ ବିବାହ କରିଛନ୍ତି।
ନଭେମ୍ବର ୨୩ ତାରିଖରେ ଉତ୍ତରପ୍ରଦେଶର ଲକ୍ଷ୍ନୌସ୍ଥିତ ଗୋମତୀ ନଗରର ରାଧାକୃଷ୍ଣ ମନ୍ଦିରରେ ଏହି ନିଆରା ବିବାହ ଅନୁଷ୍ଠିତ ହୋଇଥିଲା।
ତିନି ସନ୍ତାନ, ପରିବାର ଓ ବନ୍ଧୁବାନ୍ଧବଙ୍କ ଉପସ୍ଥିତିରେ ଉଭୟ ପୁଣିଥରେ ପରସ୍ପରର ହାତ ଧରିଥିଲେ।
Advertisment ବିବାହ ଉତ୍ସବରେ ହିରୋ କୁର୍ତ୍ତା-ପାଇଜାମା ପିନ୍ଧିଥିବା ବେଳେ ଶିଜୁ ପିନ୍ଧିଥିଲେ ସାଲୱାର-କୁର୍ତ୍ତା।
ଭାରତୀୟ ପରମ୍ପରା ଅନୁସାରେ ଉଭୟ ପରସ୍ପରକୁ ଫୁଲମାଳ ପିନ୍ଧାଇଥିଲେ।
ମଥାରେ ସିନ୍ଦୂର ଓ ପବିତ୍ର ଅଗ୍ନିକୁ ସାକ୍ଷୀ ରଖି ସାତଫେରା ନେଇଥିଲେ।
ଏହି ସମୟରେ ସେମାନଙ୍କ ତିନି ସନ୍ତାନ ମଧ୍ୟ ନିଜ ବାପାମାଆଙ୍କ ଏହି ଖୁସିର ମୁହୂର୍ତ୍ତର ସାକ୍ଷୀ ହୋଇଥିଲେ।
ହିରୋ ଏହି ବିବାହକୁ ନିଜ ଜୀବନର ଏକ ଅମୂଲ୍ୟ ଅନୁଭୂତି ବୋଲି କହିଛନ୍ତି।
ଭାରତ ପ୍ରତି ଉଭୟଙ୍କର ଗଭୀର ଭଲପାଇବା ରହିଥିବାରୁ ଏଠାରେ ବିବାହ କରିବାକୁ ଚାହିଁଥିବା ମଧ୍ୟ ସେ କହିଥିଲେ।
ତେବେ ଏହି ନିଆରା ପ୍ରେମ କାହାଣୀର ଆଉ ଏକ ରୋଚକ ଦିଗ ରହିଛି।
ନଭେମ୍ବର ୨୧ ତାରିଖରେ ନିଜ ବନ୍ଧୁ ପଙ୍କଜ ଯୋଶୀଙ୍କ ବିବାହରେ ଯୋଗଦେବା ପାଇଁ ହିରୋ ଓ ଶିଜୁ ନିଜ ପରିବାର ସହ ଲକ୍ଷ୍ନୌ ଆସିଥିଲେ।
ଭାରତୀୟ ବିବାହର ରୀତିନୀତି ଓ ପରମ୍ପରାରେ ଏତେ ପ୍ରଭାବିତ ହୋଇଥିଲେ ଯେ, ନିଜେ ମଧ୍ୟ ଏହି ଢଙ୍ଗରେ ବିବାହ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ।
ଏହାପରେ ରାଧାକୃଷ୍ଣ ମନ୍ଦିରରେ ସେମାନଙ୍କ ବିବାହର ବ୍ୟବସ୍ଥା କରାଯାଇଥିଲା।
୨୦୨୨ରେ ଛାଡ଼ପତ୍ର, ୨୦୨୩ରେ ପୁନର୍ମିଳନ ଏବଂ ୨୦୨୬ରେ ଭାରତରେ ହିନ୍ଦୁ ରୀତିନୀତିରେ ଦ୍ୱିତୀୟ ବିବାହ।
ହିରୋ ଓ ଶିଜୁଙ୍କ ଏହି କାହାଣୀ ଏବେ ଅନେକଙ୍କ ହୃଦୟ ଜିତୁଛି।
ସତରେ, କିଛି ସମ୍ପର୍କରେ ଦ୍ୱିତୀୟ ସୁଯୋଗ ହିଁ ନୂଆ ଜୀବନର ଆରମ୍ଭ ହୋଇଥାଏ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
