poverty in Odisha ୩ ସନ୍ତାନଙ୍କୁ ସିଡ୍ଲୁସି ହାତରେ ଟେକିଦେବା ଘଟଣା, ମିଳିଲା ରାସନକାର୍ଡ

Jun 25, 2026 - 23:21
poverty in Odisha  ୩ ସନ୍ତାନଙ୍କୁ ସିଡ୍ଲୁସି ହାତରେ ଟେକିଦେବା ଘଟଣା, ମିଳିଲା ରାସନକାର୍ଡ

"ଉପଜିଲ୍ଲାପାଳଙ୍କ ଗୁରୁତ୍ବପୂର୍ଣ୍ଣ ବୈଠକ ଆଧାର ପରେ ଘର, ଶ୍ରମିକ କାର୍ଡ ସୁନ୍ଦରଗଡ଼( ଡମ୍ବରୁଧର ନାୟକ):  ଠିକ୍‌ ଭାବେ ଲାଳନପାଳନ କରିବା ଓ ଦୁଇମୁଠା ଖାଦ୍ୟ ଯୋଗାଇବାରେ ସକ୍ଷମ ନଥିବା ବାପା ସୁନ୍ଦରଗଡ଼ ଜିଲ୍ଲା କିଞ୍ଜିରକେଲା ଥାନା କିନକିବନ୍ଧ ଗାଁର ରାହୁଲ କମାର ନିଜ ୩ କୁନି ପୁଅଝିଅଙ୍କୁ ଶିଶୁ କଲ୍ୟାଣ କମିଟି ହାତରେ ଟେକି ଦେବା ଘଟଣା ସାରା ରାଜ୍ୟରେ ହଇଚଇ ଖେଳାଇ ଦେଇଥିଲା।

ଖଣିଜ ସମ୍ପଦଭରା ଜିଲ୍ଲାରେ ଗରିବୀର ଏଭଳି ଦାରୁଣ ଚିତ୍ର ପ୍ରଶାସନକୁ ପ୍ରଶ୍ନର କାଠଗଡ଼ାରେ ଛିଡ଼ା କରି ଦେଇଥିବାବେଳେ ବୁଧବାର ଉପଜିଲ୍ଲାପାଳ ତେଜସ୍ବିନୀ ବେହେରାଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ, ବାଲିଶଙ୍କରା ସମନ୍ବିତ ଶିଶୁ ବିକାଶ ଅଧିକାରୀ, ଶିଶୁ କଲ୍ୟାଣ କମିଟି, ଶ୍ରମ ଅଧିକାରୀଙ୍କୁ ନେଇ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି।

ଦାରିଦ୍ର୍ୟ ଯୋଗୁ ରାହୁଲ ଏଭଳି ନିଷ୍ପତ୍ତି ନେଇଥିବା ସ୍ବୀକାର କରିଛି ପ୍ରଶାସନ।

ବର୍ଷ ବର୍ଷ ଧରି ତିଆରି ହୋଇପାରୁ ନଥିବା ଆଧାରକାର୍ଡ ତୁରନ୍ତ ପ୍ରସ୍ତୁତ କରି ରାସନ, ଘର, ଶ୍ରମିକ କାର୍ଡ ଯୋଗାଇଦେବାକୁ ନିର୍ଦେଶ ଦେଇଥିଲେ ଉପଜିଲ୍ଲାପାଳ।

ଏସବୁ ସୁବିଧା ମିଳିବା ପରେ ଛୁଆମାନଙ୍କୁ ପୁଣି ଫେରାଇ ଆଣିବାକୁ କାଉନସେଲିଂ କରାଯିବ ବୋଲି କହିଛନ୍ତି ଉପଜିଲ୍ଲାପାଳ ତେଜସ୍ବିନୀ ବେହେରା।

ଏହା ପରେ ଗୁରୁବାର ବନ୍ଧବାହାଲ ସରପଞ୍ଚ ସୁବାସିନୀ ଦଣ୍ତସେନା ଓ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ସୁନୀଲ ପଟେଲ କିନକିବନ୍ଧ ଯାଇ ରାହୁଲଙ୍କ ରାସନକାର୍ଡ ଓ କିଛି ଟଙ୍କା ଦେଇଛନ୍ତି।Advertisment poverty in Odisha ପାଳିପାରିଲେନି ବାପା, ସିଡବ୍ଲୁସି ହାତରେ ଟେକିଦେଲେ ତିନି ସନ୍ତାନ କିନକିବନ୍ଧରେ ଥିଲା ୪ ପିଲା ଓ ପତ୍ନୀଙ୍କୁ ନେଇ ରାହୁଲଙ୍କ ସଂସାର।

ଜମି କହି‌ଲେ ଅଜାଙ୍କ ନାମରେ ଥିବା ଘରଡିହ ଖଣ୍ଡେ।

ଯେଉଁଠି ସେ ବିଜୁ ପକ୍କା ଘରଟେ ବନାଇଥିଲେ।

ପ୍ରାୟ ସମୟରେ ସେ ବାହାରକୁ କାମ କରିବାକୁ ଯାଉଥିବାବେଳେ ତାଙ୍କୁ ରାସନ କି ଅନ୍ୟ ସରକାରୀ ସହାୟତା ମିଳୁ ନଥିଲା।

ଦିନ ମଜୁରି କରି ଯାହା ଆଣୁଥିଲେ ଢୋକେ ପିଇ, ଦଣ୍ତେ ଜିଇଁବା ଭଳି ଅବସ୍ଥାରେ ରହୁଥିଲେ।

ଏସ୍ଥିତିରେ ୪ ବର୍ଷ ତଳେ ତାଙ୍କ ପତ୍ନୀ ପୁଅ ଝିଅଙ୍କୁ ଛାଡ଼ି କେଉଁଆଡ଼େ ଚାଲିଗଲେ।

ଭାଙ୍ଗି ପଡ଼ିଥିଲେ ସେ।

ପିଲାଙ୍କୁ ଛାଡ଼ି କାମକୁ ଯାଇ ପାରୁ ନଥିଲେ।

ତେଣୁ ପିଲାଙ୍କ ଦେଖାଶୁଣା କରିବ ଭାବି ଦ୍ବିତୀୟ ବିବାହ କରିନେଲେ।

ସବୁ ଠିକ୍‌ଠାକ୍‌ ଚାଲୁଥିବାବେଳେ ଦ୍ବିତୀୟ ପତ୍ନୀଙ୍କ ଗର୍ଭରୁ ଏକ ପୁଅ ଜନ୍ମନେବା ପରେ ପ୍ରଥମ ପତ୍ନୀଙ୍କ ୪ ଶିଶୁ ଅସହାୟ ‌ହୋଇପଡ଼ିଲେ।

ପ୍ରାୟ ଦିନ ଭାତଲୁଣ ଖାଇ ଶୋଇ ପଡ଼ୁଥିଲେ।

ଅଧା ଉପାସ ଓ ଭାତଲୁଣ ଖାଇ ପୁଅଝିଅ ଅପପୁଷ୍ଟିର ଶିକାର ହୋଇଥିବାବେଳେ ବିଚଳିତ ହୋଇ ପଡ଼ିଥିଲେ ବାପା।

ଏ ଖବର ସୁନ୍ଦରଗଡ଼ ଚାଇଲ୍ଡ ଲାଇନ ପାଖରେ ପହଞ୍ଚିବା ପରେ ୨୩ ତାରିଖରେ ଜିଲ୍ଲା ସଂଯୋଜକ ଜିତୁ ପଟେଲ ଓ ପରିଦର୍ଶକ ମଧୁସୂଦନ ଭୋଏ ତାଙ୍କ ଘରକୁ ଯାଇ ଶିଶୁମାନଙ୍କ ଥଇଥାନ ପାଇଁ ପରାମର୍ଶ ଦେଇଥିଲେ।

ଏମିତି ଭୋକ ଉପାସରେ ତ ରହିବାକୁ ପଡ଼ିବ ନାହିଁ, ପାଠ ଦି" ଅକ୍ଷର ପଢ଼ି ଏମିତି ଗରିବୀ ଜୀବନରୁ ମୁକ୍ତି ପାଇବେ ଭାବି ରାହୁଲ ସରକାରଙ୍କୁ ହାତରେ ଲାଳନପାଳନ ଭାର ଦେବାକୁ ହଁ କରିଦେଲେ।

ଶେଷକୁ ଚାଇଲ୍ଡ ଲାଇନ୍‌ ଆବଶ୍ୟକ କାଗଜପତ୍ର ପ୍ରସ୍ତୁତି ପରେ ପ୍ରଥମ ପତ୍ନୀଙ୍କ ଠାରୁ ଜାତ ୪ ଶିଶୁ ମଧ୍ୟରୁ ୩ ଜଣକୁ ଆଣି ଶିଶୁ କଲ୍ୟାଣ କମିଟିକୁ ହସ୍ତାନ୍ତର କରିଥିଲେ।

ଏବେ ୩ ଶିଶୁ ରାଉରକେଲା ଏସ୍‌ଓଏସ୍‌ ଭିଲେଜ‌ରେ।

"