Choudwar jail escape case ଜେଲ୍ ଡିଜି ସୁଶାନ୍ତ ନାଥଙ୍କ ବିରୋଧରେ ଥାନାରେ ଏତଲା ଦେଲେ ସାଂସଦ ସୁଜିତ କୁମାର

Jun 25, 2026 - 22:02
Choudwar jail escape case ଜେଲ୍ ଡିଜି ସୁଶାନ୍ତ ନାଥଙ୍କ ବିରୋଧରେ ଥାନାରେ ଏତଲା ଦେଲେ ସାଂସଦ ସୁଜିତ କୁମାର

"ସରକାରୀ ଦସ୍ତାବିଜ ହେରଫେର୍, କଏଦୀଙ୍କୁ ଫେରାର୍‌ରେ ସହଯୋଗ ଅଭିଯୋଗ ଜେଲ୍ ଡିଜି, ଅଧୀକ୍ଷକଙ୍କୁ ତଦନ୍ତ ପରିସରଭୁକ୍ତ କରିବାକୁ ନିବେଦନ କଟକ: ଚୌଦ୍ବାର ସର୍କଲ ଜେଲ୍‌ରୁ ଦୁଇ ଦୁର୍ଦ୍ଦାନ୍ତ ଅପରାଧୀ ଫେରାର ଘଟଣା ନୂଆ ମୋଡ଼ ନେଇଛି।

ରାଜ୍ୟସଭା ସାଂସଦ ସୁଜିତ କୁମାର ଏହି ଘଟଣାରେ ସିଧାସଳଖ ଜେଲ୍ ଡିଜି ସୁଶାନ୍ତ କୁମାର ନାଥ ଓ ଚୌଦ୍ବାର ସର୍କଲ ଜେଲ୍‌ର ବରିଷ୍ଠ ଅଧୀକ୍ଷକ ସୁଜିତ କୁମାର ରାଉଳଙ୍କ ବିରୋଧରେ ସଙ୍ଗିନ ଅଭିଯୋଗ ଆଣିଛନ୍ତି।

ଦୁଇ ଦୁର୍ଦ୍ଦାନ୍ତ ଅପରାଧୀ ଜେଲ୍‌ରୁ ଫେରାର ହେବାରେ ସେମାନଙ୍କୁ ସହଯୋଗ କରିବା, ପରବର୍ତ୍ତୀ ସମୟରେ ସତ ଚାପିବାକୁ ଯାଇ ଜାଲ୍ ଦସ୍ତଖତ କରିବା, ସରକାରୀ ଦସ୍ତାବିଜ ହେରଫେର କରିବା, ସରକାରୀ ପଦର ଅପବ୍ୟବହାର ନେଇ ସୁଜିତ କୁମାର ଚୌଦ୍ବାର ଥାନାରେ ଲିଖିତ ଅଭିଯୋଗ ଦେଇଛନ୍ତି।୨୦୨୫ ଅକ୍ଟୋବର ୩ ତାରିଖରେ ଦଶହରା ଉତ୍ସବ ପାଳନ ଦିନ ଦୁଇ ଦୁର୍ଦ୍ଦାନ୍ତ ବିହାରୀ ଅପରାଧୀ ରାଜା ସାହାଣୀ ଓ ମଧୁକାନ୍ତ କୁମାର ଚୌଦ୍ବାର ସର୍କଲ୍‌ ଜେଲ୍‌ରୁ ଫେରାର ହୋଇଯାଇଥିଲେ।

ଏହି ଘଟଣାକୁ ନେଇ ଜେଲ୍‌ର ବରିଷ୍ଠ ଜେଲ୍ ଅଧୀକ୍ଷକ ସୁଜିତ କୁମାର ରାଉଳଙ୍କ ବିରୋଧରେ ସରକାରୀ ଦସ୍ତାବିଜ ଜାଲିଆତି କରିବା ନେଇ ତତ୍କାଳୀନ ଜେଲର୍‌ ସନ୍ତୋଷିନୀ ଦାଶ ଚୌଦ୍ବାର ଥାନାରେ ଲିଖିତ ଅଭିଯୋଗ କରିଥିଲେ।

ଅକ୍ଟୋବର ୩ ତାରିଖରେ ଜେଲ୍‌ରୁ ଦୁଇ କଏଦୀ ଫେରାର୍‌ ହୋଇଯିବା ପରେ ଏହାର ପରିଣାମ କ"ଣ ହେବ ତାହା ଜାଣିପାରି ରେକର୍ଡରେ ହେରଫେର କରିବାକୁ ଶ୍ରୀ ରାଉଳ ଏଭଳି ଉଦ୍ୟମ କରିଥିଲେ।

ଏହି ଘଟଣାର ତଦନ୍ତ ଚୌଦ୍ବାର ଥାନା ପୁଲିସ କରୁଥିବା ବେଳେ ୨୪ ତାରିଖରେ ସୁଜିତ କୁମାର ଚୌଦ୍ବାର ଥାନାରେ ଲିଖିତ ଅଭିଯୋଗ କରିବା ପରେ ହଟଚମଟ ସୃଷ୍ଟି ହୋଇଛି।ଏଥିରେ ସେ ଦର୍ଶାଇଛନ୍ତି ଯେ ଜେଲ୍ ବିଭାଗର କିଛି ବରିଷ୍ଠ ଅଧିକାରୀ ଉକ୍ତ ଦୁର୍ଦ୍ଦାନ୍ତ ବିଚାରାଧୀନ କଏଦୀମାନଙ୍କୁ ଫେରାର କରାଇବାରେ ସାହାଯ୍ୟ କରିଥିଲେ।

ଘଟଣାର ନିରପେକ୍ଷ ତଦନ୍ତ ପରେ ହିଁ ସତ୍ୟାସତ୍ୟ ସ୍ପଷ୍ଟ ହୋଇପାରିବ।

ଜେଲ୍‌ର ବରିଷ୍ଠ ଅଧୀକ୍ଷକ ଶ୍ରୀ ରାଉଳ ଚୌଦ୍ଵାର ସର୍କଲ୍‌ ଜେଲ୍‌ରୁ ଦୁଇଜଣ ଦୁର୍ଦ୍ଦାନ୍ତ ବିଚାରାଧୀନ କଏଦୀଙ୍କୁ ଫେରାର ହେବାରେ ସାହାଯ୍ୟ କରିବା, ଆପରାଧିକ ଷଡ୍‌ଯନ୍ତ୍ର, ସତ୍ୟ ଗୋପନ କରିବା, ଜାଲ୍ ଦସ୍ତଖତ କରିବା, ନଥିପତ୍ରରେ ହେରଫେର କରିବା, ସରକାରୀ ପଦର ଅପବ୍ୟବହାର କରିବା ଅଭିଯୋଗ ରହିଛି।

ସେହିଭଳି ଜେଲ୍‌ର ବରିଷ୍ଠ ଅଧୀକ୍ଷକ ଶ୍ରୀ ରାଉଳ ଏବଂ ଅନ୍ୟ ଅଧିକାରୀଙ୍କ ଦ୍ବାରା ଉପରୋକ୍ତ ଅପରାଧ ଘଟାଇବା ପାଇଁ ଜେଲ୍ ଡିଜି ସୁଶାନ୍ତ କୁମାର ନାଥ ଷଡ୍‌ଯନ୍ତ୍ର କରିବା ଏବଂ ଜାଣିଶୁଣି ଅନୁମତି ଦେଇଥିବା ଅଭିଯୋଗରେ ଦାୟୀ ରହିବେ ବୋଲି ସେ ଦର୍ଶାଇଛନ୍ତି।

ଅଭିଯୋଗଗୁଡ଼ିକର ଗୁରୁତ୍ବ ଏବଂ ଏଥିରେ ଜଡ଼ିତ ବୃହତ୍‌ ଜନସ୍ଵାର୍ଥ, ବିଶେଷ କରି ଜେଲ୍ ପ୍ରଶାସନ, ଜେଲ୍ କର୍ମଚାରୀ ଓ ଅନ୍ତେବାସୀଙ୍କ ସୁରକ୍ଷା ଏବଂ ସର୍ବସାଧାରଣଙ୍କ ସୁରକ୍ଷା ସମ୍ବନ୍ଧୀୟ ବିଷୟକୁ ଦୃଷ୍ଟିରେ ରଖି ଏହି ଅଭିଯୋଗପତ୍ରକୁ ପଞ୍ଜୀକୃତ କରିବାକୁ ସେ ଏତଲାରେ ଦର୍ଶାଇଛନ୍ତି।

ସମସ୍ତ ସମ୍ପୃକ୍ତ ରେକର୍ଡ, ଚିଠିପତ୍ର, ଇଲେକ୍ଟ୍ରୋନିକ୍ସ ପ୍ରମାଣ ଏବଂ ସାକ୍ଷୀମାନଙ୍କୁ ଯାଞ୍ଚ କରି ନିରପେକ୍ଷ ତଦନ୍ତ କରିବାକୁ ସେ ଉଲ୍ଲେଖ କରିଛନ୍ତି।

ନିଜର ବୟାନ ରେକର୍ଡ କରିବାକୁ ମଧ୍ୟ ସେ ପୁଲିସକୁ ଅନୁରୋଧ କରିଛନ୍ତି।Advertisment "