JK: ଜମ୍ମୁ କାଶ୍ମୀର ଥାନାରେ ପଶି ପୁଲିସ ଉପରେ ଆକ୍ରମଣ କଲେ ସେନା ଯବାନ

Jun 25, 2026 - 23:21
JK: ଜମ୍ମୁ କାଶ୍ମୀର ଥାନାରେ ପଶି ପୁଲିସ ଉପରେ ଆକ୍ରମଣ କଲେ ସେନା ଯବାନ

ଶ୍ରୀନଗର: ଜମ୍ମୁ କାଶ୍ମୀର କିସ୍ତୱଡ଼ ଜିଲ୍ଲା ଅଧୀନସ୍ଥ ଏକ ଥାନାରେ ଭଙ୍ଗାରୁଜା ଘଟଣା ଏବଂ ପୁଲିସ ଉପରେ ଆକ୍ରମଣ କରିଥିବା ଅଭିଯୋଗରେ ଜଣେ କମାଣ୍ଡିଙ୍ଗ ଅଫିସର ଏବଂ ଜଣେ ମେଜରଙ୍କ ସମେତ ୪୦ ଯବାନଙ୍କ ବିରୋଧରେ ଏତଲା ରୁଜୁ ହୋଇଛି। ପୁଲିସ ରୁଜୁ କରିଥିବା ଏତଲାରେ ୧୭ ରାଷ୍ଟ୍ରୀୟ ରାଇଫଲ୍ସର ଜଣେ କମାଣ୍ଡିଙ୍ଗ ଅଫିସର କର୍ନେଲ୍‌ ଏନ୍‌ ଅରୁଣ ଗାନ୍ଧୀ, ମେଜର ବିକାଶ ଶର୍ମା, ନାଏବ ସୁବେଦାର ଶଙ୍କର ଗୁର୍ଖେ ଏବଂ ଅନ୍ୟ ୩୦-୪୦ ଜଣଙ୍କ ନାଁ ରହିଛି। ସେମାନେ ଥାନାରେ ପଶି ସରକାରୀ ଅଧିକାରୀ ଏବଂ ପୁଲିସ ଉପରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।

ସନ୍ଦିଗ୍ଧଙ୍କ ବିରୋଧରେ ହତ୍ୟା ଉଦ୍ୟମ ମାମଲା ଏବଂ ସରକାରୀ ସମ୍ପତ୍ତି ନଷ୍ଟ କରିଥିବା ନେଇ ମାମଲା ରୁଜୁ ହୋଇଛି। ସେନା ଏହି ଘଟଣାରେ ତଦନ୍ତ ପାଇଁ ପୂର୍ଣ୍ଣ ସହଯୋଗ କରିବ ବୋଲି ଜଣେ ପ୍ରତିରକ୍ଷା ମୁଖପାତ୍ର କହିଛନ୍ତି। ସେନା ଯବାନଙ୍କ ଦ୍ବାରା ଆକ୍ରମଣର ଶିକାର ହୋଇଥିବା ପୁଲିସମାନେ ହେଉଛନ୍ତି ଡିଏସ୍‌ପି ବିଜୟ କୁମାର ଭଗତ ଏବଂ ଅଥୋଲି ଥାନା ଏସ୍‌ଏଚଓ ଅମୃତ କାଟୋଚ। ଏସଏଚ୍‌ଓ ରୁଜୁ କରିଥିବା ଏତଲାରେ ଦର୍ଶାଇଛନ୍ତି ଯେ ଜିଲ୍ଲା କମିସନରଙ୍କ ଅଧ୍ୟକ୍ଷତାରେ ପଦ୍ଦର ବିଡିଓ ଅଫିସରେ ଅନୁଷ୍ଠିତ ଏକ ସରକାରୀ କାର୍ଯ୍ୟକ୍ରମରେ ସେ ଯୋଗ ଦେବାପାଇଁ ଯାଇଥିବାବେଳେ ଏହି ସମୟରେ ସେନା ଯବାନମାନେ ଆସି ଥାନାରେ ଭଙ୍ଗାରୁଜା କରିଥିଲେ।

Maoist Material Recovered: ଡିଭିଏଫ ଯବାନଙ୍କ ସଫଳତା: ବିପୁଳ ମାଓ ସାମଗ୍ରୀ ଠାବ

ଖବର ପାଇବାପରେ ସେ ଏବଂ ତାଙ୍କ ଟିମ୍‌ ତୁରନ୍ତ ଥାନାରେ ପହଞ୍ଚିଥିଲେ। କିନ୍ତୁ ମେଜର ବିକାଶ ଶର୍ମାଙ୍କ ନେତୃତ୍ବରେ ସେନା ଦଳ ସେମାନଙ୍କ ଉପରେ ଆକ୍ରମଣ କରିଥିଲେ। ଏହି ସମୟରେ ସେମାନେ କିଛି ପୁଲିସଙ୍କର ସାର୍ଟ ଟଣାଓଟରା କରି ଚିରି ‌ଦେଇଥିଲେ। ଅ‌ଥୋଲି ଏସ୍‌ଡିପିଓ ଶ୍ରୀ ବିଜୟ କୁମାର ଭଗତଙ୍କ ଉପରେ ମଧ୍ୟ ସେମାନେ ଆକ୍ରମଣ କରିଥିଲେ। ଏତଲାରେ ପୁଲିସ ଅଭିଯୋଗ କରିଛି ଯେ ଏହି ଆକ୍ରମଣ ପୂର୍ବ ଯୋଜନାବଦ୍ଧ ଏବଂ ଅନେକ ପୁଲିସ ଏଥିରେ ଆହତ ହୋଇଛନ୍ତି।

ଯବାନମାନେ ଲାଠି, ଆଇରନ ରଡ୍‌ ଏବଂ ଅସ୍ତ୍ରଶସ୍ତ୍ର ଧରି ଥାନାରେ ପଶିଥିଲେ। ଏଆରଟିଓ ( ଆସିଷ୍ଟାଣ୍ଡ ରେଜିଓନାଲ ଟ୍ରାନ୍ସପୋର୍ଟ ଅଫିସର୍‌) ସେନାର ଏକ ଗାଡ଼ି ଜବତ କରିବାପରେ ସେମାନେ ଥାନାରେ ଭଙ୍ଗାରୁଜା କରିଥିଲେ ଏବଂ ଥାନା ଭିତରେ ପଶି ପୁଲିସ ଉପରେ ଆକ୍ରମଣ କରିଥିଲେ। ସେମାନେ ସରକାରୀ ସମ୍ପତ୍ତି ଭଙ୍ଗାରୁଜା କରିଛନ୍ତି। ଏହି ସମୟରେ ଥାନରେ ଉପସ୍ଥିତ ଥିବା କିସ୍ତୱଡ଼ ଏଆରଟିଓ ଏବଂ ତାଙ୍କ ବ୍ୟକ୍ତିଗତ ସୁରକ୍ଷାକର୍ମୀଙ୍କ ଉପରେ ସେମାନେ ଆକ୍ରମଣ କରିଛନ୍ତି। ଏଆର୍‌ଟିଓ ଏବଂ ଅଥୋଲି ଥାନା ଏସଏଚ୍‌ଓ ଏବଂ ଅଥୋଲି ଏସ୍‌ଡିପିଓଙ୍କ ଗାଡ଼ି ଭଙ୍ଗାରୁଜା କରିବା ସହ ଥାନାର ମୁଖ୍ୟ ଗେଟ୍‌ ଭାଙ୍ଗି ଭିତରକୁ ପଶିଥିଲେ। ପୁଲିସ ଅଭିଯୋଗ କରିଛି ଯେ ଏହି ଆକ୍ରମଣ ଯୋଜନାବଦ୍ଧ ଥିଲା ଏବଂ ସେନା ଯବାନମାନେ ଡ୍ୟୁଟିରେ ଥିବା ପୁଲିସଙ୍କୁ ହତ୍ୟା କରିବାକୁ ଚାହୁଥିଲେ।