Lord Jagannath: ଝାରସୁଗୁଡ଼ା ଜିଲ୍ଲାର ସମସ୍ତ ଜଗନ୍ନାଥ ମନ୍ଦିରରେ ଦେବସ୍ନାନ ପୂର୍ଣ୍ଣିମା
"ଝାରସୁଗୁଡ଼ା (ଜ୍ଞାନବ୍ରତ ଭୋଇ): ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅବସରରେ ସୋମବାର ଝାରସୁଗୁଡ଼ା ଜିଲ୍ଲାର ସମସ୍ତ ଜଗନ୍ନାଥ ମନ୍ଦିରରେ ମହାସମାରୋହରେ ତିନି ବିଗ୍ରହଙ୍କ ମହାସ୍ନାନ ନୀତି ସଂପନ୍ନ ହୋଇଛି।
ଏଥିପାଇଁ ସବୁଠି ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିବା ବେଳେ ମହାସ୍ନାନ ପରେ ତିନି ଠାକୁର ଅଣସର ଘରକୁ ବିଜେ କରିଛନ୍ତି।Advertisment ସ୍ଥାନୀୟ ସରବାହାଲସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିର ପରିସରରେ ମହାପ୍ରଭୁଙ୍କ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ମହୋତ୍ସବ ଅତ୍ୟନ୍ତ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି।
ଚଳିତ ଜ୍ୟେଷ୍ଠ ଶୁକ୍ଳ ପୂର୍ଣ୍ଣିମା ତିଥି ଅବସରରେ ଆଜି ସକାଳ ୯ଟା ସମୟରେ ଶ୍ରୀଜିଉମାନଙ୍କର ପୂଜାର୍ଚ୍ଚନା ଏବଂ ମହାସ୍ନାନ ନୀତି ସମ୍ପନ୍ନ ହୋଇଥିଲା।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ କର୍ତ୍ତା ଭାବେ ରାଜେଶ ପାଢ଼ୀ ଦାୟିତ୍ୱ ନିର୍ବାହ କରିଥିବା ବେଳେ ମୁଖ୍ୟ ପୂଜକ ପଣ୍ଡିତ ଅଜୟ ମିଶ୍ରଙ୍କ ସଂଯୋଜନାରେ ସମସ୍ତ ପୂଜା ନୀତିକାନ୍ତି ପରିଚାଳିତ ହୋଇଥିଲା।
ମନ୍ଦିର କମିଟି ସଭାପତି ହୃଷୀକେଶ ମିଶ୍ରଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି ଉତ୍ସବରେ କମିଟିର ସଭ୍ୟ ବାସୁଦେବ ମିଶ୍ର, ରବୀନ୍ଦ୍ର ଦୀକ୍ଷିତ, ସରୋଜ ପାଢ଼ୀ, ଗଙ୍ଗା ମିଶ୍ର, କିଶୋର ପାଢ଼ୀ, ପିଣ୍ଟୁ ପାଢ଼ୀ ଏବଂ ସରୋଜ ମିଶ୍ରଙ୍କ ସମେତ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଉପସ୍ଥିତଥିଲେ।
ସେହିପରି ଝାରସୁଗୁଡ଼ା ନୂତନ ବସଷ୍ଟାଣ୍ଡସ୍ଥିତ ମୁକ୍ତେଶ୍ଵର ଧାମରେ ଶ୍ରୀ ପତିତପାବନଙ୍କ ସ୍ନାନ ନୀତି ସମ୍ପନ୍ନ ହୋଇଥିଲା।
ରତ୍ନବେଦୀରୁ ସ୍ନାନମଣ୍ଡପକୁ ତିନି ବିଗ୍ରହଙ୍କୁ ଅଣାଯାଇ ୧୦୮ଗରା ସୁବାସିତ ଜଳରେ ସ୍ନାନ କରାଯାଇଥିଲା।
ପରେ ପ୍ରଭୁଙ୍କ ହାତୀବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥିଲେ।
ସକାଳେ ଚକ୍ରରାଜ ସୁଦର୍ଶନଙ୍କ ସହ ପ୍ରଭୁ ପତିତପାବନ ସ୍ନାନମଣ୍ଡପକୁ ବିଜେ କରିଥିଲେ।
ଶ୍ରୀଜିଉଙ୍କୁ କୂଅରୁ ଅଣାଯାଇଥିବା ସୁବାସିତ ଓ ଔଷଧୀୟ ଜଳରେ ସ୍ନାନ କରାଯାଇଥିଲା।
ଆଜିର ସ୍ନାନ ପୂର୍ଣ୍ଣିମାରେ ବେହେରାମାଲ ନିବାସୀ ଲକ୍ଷ୍ମଣ ସାହୁ କର୍ତ୍ତା ଓ ପଣ୍ଡିତ ରଘୁନାଥ ପାଢ଼ୀ, ବିଚିତ୍ର ପଣ୍ଡା, ବରୁଣ ତ୍ରିପାଠୀ, ଜିତେନ୍ଦ୍ରିୟ ମହାପାତ୍ର ପୂଜା କର୍ମ କରିଥିଲେ।
ବେଲପାହାଡ଼ର ମହିଳା କୀର୍ତନ ମଣ୍ଡଳୀ ଓ ରାଉରକେଲାର ଭଜନ ମଣ୍ଡଳୀ ପରିବେଶକୁ ଭକ୍ତିମୟ କରିଥିଲେ।
ସେହିପରି ସହରର ଅନ୍ୟ ସମସ୍ତ ଜଗନ୍ନାଥ ମନ୍ଦିର ସମେତ ଅନ୍ୟତମ ପୁରାତନ ପଲସଦାସ୍ଥିତ ଜଗନ୍ନାଥ ମନ୍ଦିରରେ ଅତ୍ୟନ୍ତ ଭକ୍ତିମୟ ପରିବେଶରେ ଦେବସ୍ନାନ ପୂର୍ଣ୍ଣିମା ନୀତି ସଂପନ୍ନ ହୋଇଥିଲା।
ବନ୍ଧବାହାଲ ଦୀନବାନ୍ଧବ କ୍ଷେତ୍ରରେ ସୋମବାର ଦେବସ୍ନାନ ପୂର୍ଣ୍ଣିମା ପାଳନ କରାଯାଇଛି।
ସକାଳ ୫ଟାରେ ପହଣ୍ଡି ଭଙ୍ଗ, ମଙ୍ଗଳ ଆରତି, ଠାକୁରଙ୍କ ଦୈନନ୍ଦିନ ନୀତି, ୯ଟାରେ ସ୍ନାନ ମଣ୍ଡପକୁ ପହଣ୍ଡିବିଜେ ଓ ୧୦ଟାରେ ୧୦୮ କଳସ ଦ୍ଵାରା ମହାସ୍ନାନ ନୀତି ଅନୁଷ୍ଠିତ ହୋଇଥିଲା।
ମହାସ୍ନାନ ନୀତି ପରେ ସିଙ୍ଗାର, ପୂଜା ହୋମ, ଭୋଗ, ଆଳତି, ପୁଷ୍ପାଞ୍ଜଳି, ଗଜାନନ ବେଶ ଅନୁଷ୍ଠିତ ହୋଇଥିଲା।
ଏମ୍ସିଏଲ୍ ଲଖନପୁର ଏରିଆ ମହାପ୍ରବନ୍ଧକ ଏ.
କେ.
ପାଣ୍ଡେ ସପତ୍ନିକ ସମସ୍ତ ନୀତି, ମହାସ୍ନାନ, ହୋମ କାର୍ଯ୍ୟ ତୁଲାଇଥିଲେ।
ବେଲପାହାଡ଼, ବ୍ରଜରାଜନଗର ସମେତ ଜିଲ୍ଲାର ସବୁ ବ୍ଲକ୍ର ସମସ୍ତ ଜଗନ୍ନାଥ ମନ୍ଦିରରେ ଦେବସ୍ନାନ ପୂର୍ଣ୍ଣିମା ଭକ୍ତିଭାବର ସହ ପାଳନ କରାଯାଇଥିଲା।
"