Tofan Nayak death ବାଣପୁରରେ ପୁଲିସ ଅବହେଳାରୁ ଯୁବକଙ୍କ ମୃତ୍ୟୁ ଅଭିଯୋଗ, ପୁଲିସର ଖଣ୍ଡନ

Jun 29, 2026 - 23:01
Tofan Nayak death ବାଣପୁରରେ ପୁଲିସ ଅବହେଳାରୁ ଯୁବକଙ୍କ ମୃତ୍ୟୁ ଅଭିଯୋଗ, ପୁଲିସର ଖଣ୍ଡନ

"ବାଣପୁର:  ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଗାଲୁଆ ପଞ୍ଚାୟତ ଭୀମପୁର ଗାଁର ଯୁବକ ତୋଫାନ ନାୟକ (୩୨) ଙ୍କର ଆକସ୍ମିକ ମୃତ୍ୟୁ ଘଟଣାକୁ ନେଇ ତମ୍ବିତୁଫାନ ଉଠିଛି।

କେତେକ ଏହାକୁ ହାଜତ ମୃତ୍ୟୁ କିମ୍ବା ପୁଲିସର ଅବହେଳାରୁ ମୃତ୍ୟୁ ଘଟିଥିବା ଅଭିଯୋଗ କରିଥିବା ବେଳେ ପୁଲିସ ଏହାକୁ ଖଣ୍ଡନ କରିଛି।

ତୋଫାନ୍‌ ସକୁଶଳ ପରିବାର ସଦସ୍ୟଙ୍କ ସହ ଘରକୁ ଫେରିଥିବା ସିସିଟିଭି ଫୁଟେଜ୍‌ ରହିଛି ବୋଲି କହିଛି।

ତେବେ ପଡ଼ୋଶୀ ଗାଁର କିଛି ଲୋକଙ୍କ ମାଡ଼ରେ ତୋଫାନଙ୍କର ମୃତ୍ୟୁ ହୋଇଥିବା ପରିବାର ଲୋକେ ଆଶଙ୍କା କରିଥିବା ବେଳେ ଏ ଘଟଣାରେ ପୁଲିସ୍‌ର ଭୂମିକା ମଧ୍ୟ ସନ୍ଦେହ ଘେରକୁ ଆସିଛି।

Advertisment ସୂଚନା ମୁତାବକ, ଏ ଘଟଣା ଗତକାଲି (ରବିବାର) ଅପରାହ୍‌ଣ ପ୍ରାୟ ସାଢ଼େ ଚାରିଟା ବେଳେ ଘଟିଥିଲା ।

ବାଣପୁର ଥାନା ଅଧିକାରୀ ଜୟପ୍ରକାଶ ପରିଡ଼ାଙ୍କର କହିବା ମୁତାବକ, ରବିବାର ଆମ ନିକଟକୁ ୧୧୨ରୁ ଏକ ଫୋନ୍‌ କଲ୍‌ ଆସିଥିଲା।

ଭୀମପୁର ଗାଁର ପଡ଼ୋଶୀ ଗାଁ ଖଣତ ଗାଁର ପୂର୍ବତନ ସରପଞ୍ଚ ଶେଷଦେବ ପ୍ରଧାନ ଫୋନ୍‌ କରିଥିଲେ।

ତୋଫାନ କୁଆଡ଼େ ଚୋରି ସନ୍ଦେହରେ ଧରାପଡ଼ିଥିଲେ।

ଗାଁର କିଛି ଲୋକ ତୋଫାନଙ୍କୁ ମାଡ଼ମାରି ଏକ ଖୁଣ୍ଟରେ ବାନ୍ଧି କରି ରଖିଥିଲେ।

ଖବର ପାଇ ବାଣପୁର ଥାନା ପୁଲିସଠାରୁ ଖଣତ ଗାଁରେ ପହଞ୍ଚି ତୋଫାନଙ୍କୁ ଉଦ୍ଧାର କରି ଥାନାକୁ ଆଣିଥିଲା।

କିନ୍ତୁ, ପୁଲିସ ତୋଫାନ୍‌ର ଡାକ୍ତରୀ ପରୀକ୍ଷା କଲା ନାହିଁ କି' ଏନେଇ ଥାନାରେ କୌଣସି ଏତଲା ରୁଜୁ କଲା ନାହିଁ।

ଥାନା ଅଧିକାରୀ ଶ୍ରୀ ପରିଡ଼ାଙ୍କର କହିବା ମୁତାବକ, ସନ୍ଧ୍ୟା ପ୍ରାୟ ୮ଟା ସମୟରେ ଆମେ ତୋଫାନଙ୍କର ପରିବାର ଲୋକଙ୍କୁ ଖବର ଦେଇଥିଲୁ।

ସେ ଥାନାକୁ ଆସିଲା ପରେ ଏ ସମ୍ପର୍କରେ ଥାନାରେ ଏତଲା ଦେବାକୁ କହିଥିଲୁ।

ସେମାନେ କିନ୍ତୁ ଏତଲା ଦେବାକୁ ମନା କଲେ।

ଫଳରେ ତୋଫାନଙ୍କୁ ପରିବାର ଲୋକଙ୍କର ଜିମା ଦେଇ ଛାଡ଼ିଥିଲୁ ବୋଲି ସେ ପ୍ରକାଶ କରିଛନ୍ତି।

ସମାନ କଥା ପୂର୍ବତନ ସରପଞ୍ଚ ଶ୍ରୀପ୍ରଧାନ ମଧ୍ୟ କହିଛନ୍ତି।

ସେ କହିଛନ୍ତି, ସେ ଘରେ ନଥିବା ବେଳେ ତୋଫାନ ତାଙ୍କ ଘର କବାଟ ବାଡ଼େଇଥିଲା।

ତାଙ୍କ ବୁଢ଼ୀ ମା' ଘରେ ଏକୁଟିଆ ଥିଲେ।

ଘଟଣା ସମ୍ପର୍କରେ ଖବର ପାଇବା ପରେ ସେ ୧୧୨କୁ ଫୋନ୍‌ କରିଥିଲେ।

ତୋଫାନଙ୍କୁ ପରିବାର ହେପାଜତରେ ପୁଲିସ ଛାଡ଼ିବା ପରେ ଆଜି (ସୋମବାର) ସକାଳୁ ଦେଖିଲା ବେଳକୁ ତୋଫାନ୍‌ ହଠାତ୍‌ ଅସୁସ୍ଥ ହୋଇପଡ଼ିଥିଲେ।

ତୋଫାନ ରକ୍ତବାନ୍ତି କରିବା ସହିତ ରକ୍ତଝାଡ଼ା ବି କରିଥିଲେ।

ତେଣୁ, ପରିବାର ଲୋକେ ତୁରନ୍ତ ତାଙ୍କୁ ବାଣପୁର ଡାକ୍ତରଖାନାକୁ ନେଇଥିଲେ।

ଅବସ୍ଥା ସଂକଟାପନ୍ନ ଥିବାରୁ ତୁରନ୍ତ ତାଙ୍କୁ କ୍ୟାପିଟାଲ୍‌ ହସ୍ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଥିଲା।

ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଚୋରି ସନ୍ଦେହରେ ଗତକାଲି ଗାଁ ଲୋକେ ପୁଅକୁ ଯେଉଁ ଖୁଣ୍ଟରେ ବାନ୍ଧି ରଖିଥିଲେ, ସେ ସମୟରେ ତାଙ୍କୁ ମାଡ଼ପିଟ୍‌ କରାଯାଇଛି।

ଯେଉଁଥିପାଇଁ ପୁଅର ଏ ପ୍ରକାର ଅବସ୍ଥା ହୋଇଛି ବୋଲି ମୃତ ତପନଙ୍କର ମା' କୁନ୍ତଳା ନାୟକ ଆଶଙ୍କା ପ୍ରକଟ କରିଛନ୍ତି।

ଏ ସମ୍ପର୍କ ବାଣପୁର ଥାନା ଅଧିକାରୀ ଶ୍ରୀ ପରିଡ଼ା କହିଛନ୍ତି, ଗତକାଲି ଏନେଇ କୌଣସି ଅଭିଯୋଗ ହୋଇନଥିଲା।

ତେଣୁ, ଗତକାଲି ପରିବାର ଲୋକଙ୍କର ଜିମା ଦେଇ ତୋଫାନଙ୍କୁ ଛାଡ଼ି ଦେଇଥିଲୁ।

ତୋଫାନଙ୍କର ମୃତ୍ୟୁକୁ ନେଇ ଏଯାବତ୍‌ ମଧ୍ୟ କୌଣସି ଅଭିଯୋଗ ହୋଇନାହିଁ।

ତଥାପି, ଗତକାଲି ଖଣତ ଗାଁରେ କ'ଣ ସବୁ ଘଟିଥିଲା?

ସ୍ଥାନୀୟ ଅଞ୍ଚଳର ସିସିଟିଭି ଯାଞ୍ଚ ହେବ ବୋଲି ଶ୍ରୀ ପରିଡ଼ା ପ୍ରକାଶ କରିଛନ୍ତି।

କିନ୍ତୁ, ତୋଫାନଙ୍କ ନାଁରେ କୌଣସି ମାମଲା ରୁଜୁ ହୋଇନାହିଁ କି' ଥାନାରେ ଗତକାଲି ଏତଲା ହୋଇନଥିଲା ବୋଲି ସେ ପ୍ରକାଶ କରିଛନ୍ତି।

"