It only becomes: ପାଠକୀୟ ଶ୍ରଦ୍ଧା ମିଳିଲେ ହିଁ ସାର୍ଥକ ଲାଗେ

Jun 15, 2026 - 07:15
It only becomes: ପାଠକୀୟ ଶ୍ରଦ୍ଧା ମିଳିଲେ ହିଁ ସାର୍ଥକ ଲାଗେ

""ନୈମିଷାରଣ୍ୟ"ରୁ ତାଙ୍କ କବିତାର "ଶୁଭ୍ର ଧାରା" ଆରମ୍ଭ ହୁଏ। "ଉଜ୍ଜ୍ବଳ ଉପବନ" ଦେଇ ସେ ପହଞ୍ଚନ୍ତି "ମାୟାନ୍ଧକାର" ଭିତରେ। "ରାଗ ଲଳିତ" ପରି କୋମଳ ତାଙ୍କର ଶବ୍ଦ। "ଭୂମିସ୍ପର୍ଶ" ପରେ ବି ଅଟକି ନାହାନ୍ତି ସିଏ।

ନିବିଡ଼ ପ୍ରେମ ଓ ନିଃସର୍ତ୍ତ ମୃତ୍ୟୁର ଇଲାକା ଭିତରେ "ଅନ୍ୟଜଗତର ସକାଳ" ଭୋଗୁଥାନ୍ତି ସିଏ। "ପଦ୍ମପୁରୁଷ"ଙ୍କୁ ଖୋଜୁଥାନ୍ତି "କେହି ଜଣେ ବିଶାଖା"।

ବିପୁଳ ପାଠକୀୟତା ଓ ପୁରସ୍କାରର ଭିଡ଼ ଭିତରୁ ବାରି ହୋଇପଡ଼େ କବି ମମତା ଦାଶଙ୍କ ପରିଚିତ ସ୍ବର।

କବିଙ୍କ ଜୀବନ ଓ ସୃଜନ ବିଷୟରେ ଆଳାପ କରିଛନ୍ତି ଡ.

ଶୁଭଶ୍ରୀ ଲେଙ୍କା।Advertisment  ସ୍ବାଧୀନତା ପ୍ରାପ୍ତିର ଗୌରବମୟ ବର୍ଷରେ ଆପଣଙ୍କର ଜନ୍ମ।

ପିଲାଦିନେ ସ୍ବାଧୀନତାକୁ ନେଇ କିଛି ସ୍ମରଣୀୟ ଅନୁଭବ ମନେ ଅଛି କି?

ମୁଁ ସ୍ୱାଧୀନ ଭାରତରେ ଜନ୍ମ ହୋଇଛି ଏକଥା ଭାବିଲେ ମୋତେ ଗର୍ବ ଲାଗେ।

କିନ୍ତୁ ସାତ ଆଠ ବର୍ଷ ହେବା ଯାଏ ମୁଁ ଜାଣି ନଥିଲି ଆମ ଦେଶ ପରାଧୀନ ଥିଲା, ୧୯୪୭ରେ ସ୍ୱାଧୀନ ହେଲା।

ହୁଏତ ନଅ ଦଶ ବର୍ଷ ହେଲାବେଳେ ବୋଉଙ୍କଠାରୁ ଶୁଣିଥିଲି ବ୍ରିଟିସ୍‌ମାନେ ଦେଶ ଛାଡ଼ି ଗଲାପରେ ରାଜାମାନଙ୍କର ଭାରି ଅସୁବିଧା ହେଲା।

ମୋର ଅଜା, ମାନେ ବୋଉଙ୍କ ବାପା ଧରାକୋଟ ଓ ପାରଳାଖେମୁଣ୍ଡି ରାଜାଙ୍କ ପାଖରେ ଦେବାନ୍ ଥିଲେ।

ବୋଉ ରାଜାମାନଙ୍କ ପ୍ରାଚୁର୍ଯ୍ୟ କଥା କହନ୍ତି।

ଶୁଣିବାକୁ ଭାରି ଭଲଲାଗେ, ଅନେକ ସେତେବେଳେ କହୁଥିଲେ ଯେ ବ୍ରିଟିସ ଥିଲେ ଭଲ ଥିଲା।

ଏବେ ଲୋକେ ଗରିବ ହୋଇଗଲେ।

ମୋର ଏତିକି ମନେଅଛି।

ମୋ ଦେଶର ଅନୁଭବ ବହୁତ ପରେ ଆସିଲା।  "ନୈମିଷାରଣ୍ୟ" ନାମରେ ଆପଣଙ୍କର ପ୍ରଥମ କବିତା ସଂକଳନ ୧୯୮୧ରେ ପ୍ରକାଶିତ ହୋଇଥିଲା।

ନିଜକୁ ଜଣେ କବି ଭାବରେ କେବେ ଆବିଷ୍କାର କଲେ?

ସେ ପୁଲକ କେମିତି ଥିଲା?

ମୁଁ ପିଲାଦିନୁ କବିତା ଲେଖୁଥିଲି।

କିନ୍ତୁ ନିଜକୁ କବି ବୋଲି ଜାଣି ନଥିଲି।

ହୁଏତ କଲେଜ ଆରମ୍ଭରେ ମୋର କବିତା ପ୍ରଜାତନ୍ତ୍ର ସାହିତ୍ୟ ପୃଷ୍ଠାରେ ବାହାରିଲା।

ସେତେବେଳେ ଖୁବ୍ ଖୁସି ହୋଇଥିଲି।

କିନ୍ତୁ ନିଜକୁ ଜଣେ କବି ବୋଲି କହିବାକୁ ଲାଜ ଲାଗିଛି ସଦାବେଳେ।

ବିବାହ ପରେ ବିଶେଷତଃ ମୋର ପ୍ରଥମ ପୁଅ ଚାଲିଗଲା ପରେ ୧୯୬୯ ମସିହାରୁ ୧୯୭୫ ଯାଏ ଆଉ ଲେଖି ନଥିଲି।

ତା"ପରେ ଯେତେବେଳେ ମୋର କବିତା ଝଙ୍କାରରେ ବାହାରିଲା, ମୁଁ ଖୁସିରେ କାନ୍ଦି ପକାଇଥିଲି, ଭାବିଲି ସତରେ କ"ଣ ମୁଁ କବି?

କବିତା ଲେଖିବି ପୁଣିଥରେ?

ଏବେ ନିଜକୁ କବି ବୋଲି କହୁଛି, ପଚାଶ ବର୍ଷ ହେଲା କବିତା ଲେଖିଲିଣି, ନିଶ୍ଚୟ ନିଜକୁ କବି କହିହେବ ବୋଲି ହୃଦ୍‌ବୋଧ ହେଉଛି।  ଆଧ୍ୟାତ୍ମିକ ଉପଲବ୍ଧି ସାଂସାରିକ ଜୀବନପଥକୁ ଅଧିକ ସାବଲୀଳ କରେ କି?

ପଣ୍ଡିଚେରୀରେ ଆପଣଙ୍କ ଦୀର୍ଘବର୍ଷ ରହଣି ଆପଣଙ୍କ ଜୀବନକୁ କିପରି ପ୍ରଭାବିତ କରିଛି?

ନା, ଆଧ୍ୟାତ୍ମିକ ଜୀବନ ସାଂସାରିକ ଜୀବନକୁ ସାବଲୀଳ କରିବ ଏମିତି କୁହା ଯାଇପାରିବ ନାହିଁ।

ସାଧାରଣତଃ ସାଂସାରିକ ଜୀବନକୁ ତ୍ୟାଗ କରି ଆଧ୍ୟାତ୍ମିକ ଜୀବନକୁ ଗ୍ରହଣ କରାଯାଏ ଅନେକ ଧାରାରେ।

ଅନ୍ତତଃ ସଂସାର ସହିତ ଆସକ୍ତି ତ ନିଶ୍ଚୟ ଛାଡ଼ିବାକୁ ହୁଏ।

ସଂସାରକୁ ଈଶ୍ୱରଙ୍କ କର୍ମ ଭାବରେ ଗ୍ରହଣ କରାଯାଏ।

ନିଜର କତୃତ୍ବବୋଧ ଛାଡ଼ିବାକୁ ପଡ଼େ।

ଈଶ୍ୱରଙ୍କୁ ଅଭିପ୍ସା କଲାବେଳେ ସଂସାରର ଦୁଃଖସୁଖ ତାଙ୍କୁ ଅର୍ପଣ କରାହୁଏ।

ସାଂସାରିକ  ଜୀବନ ସାବଲୀଳ ହେବ ଏମିତି କୌଣସି ସର୍ତ୍ତ ଆଧ୍ୟାତ୍ମିକତାରେ ନାହିଁ।

ମୁଁ ୧୫ବର୍ଷ ବୟସରୁ ମା" ଶ୍ରୀ ଅରବିନ୍ଦଙ୍କୁ ଭଲପାଇଛି ତାଙ୍କୁ ଅନୁସରଣ କରିବାକୁ ଚେଷ୍ଟା କରିଛି।

ତେଣୁ ମୋର ସ୍ୱାମୀଙ୍କ ଚାକିରି ପାଇଁ ପଣ୍ଡିଚେରୀରେ ରହିବା ଆମ ପାଇଁ ତାଙ୍କରି ବରଦାନ।

ସେତେବେଳେ ଆମର ଅନେକ ସାଂସାରିକ ସମସ୍ୟା ଥିଲା।

ପଣ୍ଡିଚେରୀରେ ଥିଲୁ ବୋଲି ସବୁ ସହିନେଲୁ ସହଜରେ, ତାପରେ ଦୀର୍ଘ ତେରବର୍ଷ ସେ ବାତାବରଣରେ ନିଃଶ୍ୱାସ ନେବାର ଅନୁଭୂତି ଅବର୍ଣ୍ଣନୀୟ।

ଆମ ଚେତନାରେ ତା"ର ପ୍ରଭାବ ବହୁତ କିଛି ପରିବର୍ତ୍ତିତ କଲା ନିଶ୍ଚୟ।  ଶ୍ରୀମା" ଓ ଶ୍ରୀଅରବିନ୍ଦଙ୍କ ଉପରେ ଲିଖିତ ଦଶଗୋଟି ଇଂରାଜୀ ପୁସ୍ତକକୁ ଆପଣ ଓଡ଼ିଆରେ ଅନୁବାଦ କରିଛନ୍ତି।

ଆପଣ ଜଣେ ସୃଜନଶୀଳ କବି, ଅନୁବାଦ କରିବା ପାଇଁ କେମିତି ଚିନ୍ତା କଲେ?

ଏଇ କାମରେ ଆପଣ ସନ୍ତୁଷ୍ଟ ଅନୁଭବ କରନ୍ତି କି?

ମହାପାତ୍ର ନୀଳମଣି ସାହୁ ପ୍ରଥମେ ମୋତେ "ତୀର୍ଥଙ୍କର" ବୋଲି ଗୋଟିଏ ବଙ୍ଗଳା ବହି (ଦିଲୀପ ରାୟ) ଅନୁବାଦ କରିବାକୁ କହିଲେ।

ତା"ପରେ ମୁଁ ସତ୍‌ ପ୍ରେମଙ୍କର A dventure if consciousness ବୋଲି ବହିଟିଏ ପଢ଼ିଲି।

ସେ ବହିଟି ମୋତେ ଏତେ ଭଲ ଲାଗିଲା ଯେ ମୁଁ ଚାହିଲି ଓଡ଼ିଆ ସାଧକମାନେ ଏହାକୁ ପଢ଼ନ୍ତୁ।

ମୁଁ ଅନୁମତି ଆଣି ବହିଟି ଅନୁବାଦ କଲି।

ଏସବୁ ବହିର ଡିଷ୍ଟ୍ରିବ୍ୟୁଟର୍‌ ମୀରା ଅଦିତି ସେଣ୍ଟର୍‌ ତା"ପରେ ମୋତେ ଅନ୍ୟ ବହିସବୁ ଅନୁବାଦ କରିବାକୁ ଦେଲେ।

ମୁଁ କେବଳ ଶ୍ରୀମା ଶ୍ରୀ ଅରବିନ୍ଦଙ୍କ ବହି ଇଂରାଜୀରୁ ଅନୁବାଦ କରିଛି।

ନିଜ ଖୁସିରେ ବଙ୍ଗଳାରୁ ସୁନୀଲ ଗଙ୍ଗୋପାଧ୍ୟାୟଙ୍କ "ପ୍ରଥମ ଆଲୋ"ର ଆଉ ରବୀନ୍ଦ୍ର ନାଥଙ୍କ "ବୋହୂ ଠାକୁରାଣୀର ହାଟ" ବହି ଅନୁବାଦ କରିଛି।

ଏ ଅନୁବାଦ ସବୁ ମୋତେ ସର୍ଜନଶୀଳ ଆନନ୍ଦ ଦେଇଛି।  ଆଜିକାର ସମାଜ ବ୍ୟବସ୍ଥା, ସାରସ୍ବତ ପରିମଣ୍ଡଳ ଭିତରେ ଫେମିନିଜମ୍‌କୁ ନେଇ ଆପଣଙ୍କ ବ୍ୟକ୍ତିଗତ ଅବଧାରଣା କ"ଣ?

ଫେମିନିଜିମ୍‌ ଏକ ବିପ୍ଳବ ଯାହା ୧୯୦୦ ଶତାବ୍ଦୀର ଶେଷ ଓ ବିଂଶ ଶତାବ୍ଦୀର ଆରମ୍ଭରେ ଘଟିଥିଲା।

ଏହାର ଭିତ୍ତି ହେଉଛି ଜେଣ୍ଡର୍‌ ଇକ୍ବାଲିଟି ବା ଲିଙ୍ଗଗତ ବୈଷମ୍ୟକୁ ଦୂର କରିବା, ଆର୍ଥିକ, ଆଇନଗତ ସାମାଜିକ ଧାର୍ମିକ ପାରମ୍ପରିକ ସବୁକ୍ଷେତ୍ରରେ ନାରୀ ପୁରୁଷ ସମାନ ଏହାକୁ ପ୍ରତିଷ୍ଠିତ କରିବା ପାଇଁ ଏ ବିପ୍ଳବ ଆରମ୍ଭ ହୋଇଥିଲା ଓ ଏଯାଏ ଚାଲିଛି।

କାରଣ ଆଇନ ବିଭିନ୍ନପ୍ରକାର ନିୟମ ପ୍ରଣୟନ କଲେବି ଏହାର ପ୍ରୟୋଗ ଖୁବ୍ ସୀମାବଦ୍ଧ ହୋଇ ରହିଛି।

ମୁଁ ଜଣେ ମଣିଷ ଭାବରେ ଏହି ସମସ୍ୟା ବିଷୟରେ ସଚେତନ ଏବଂ ଯେତିକି ପାରେ ଏହାର ପ୍ରୟୋଗ ପାଇଁ ମୋର ବ୍ୟକ୍ତିଗତ କ୍ଷେତ୍ରରେ ଚେଷ୍ଟା କରେ।

ଏଥିପାଇଁ ମୁଁ ପୁରୁଷ ବିରୋଧୀ ନୁହେଁ।

ଏହି ପାର୍ଥକ୍ୟ ପ୍ରକୃତି ଦ୍ୱାରା ହୋଇଛି ଓ ତାପରେ ପୁରୁଷ ତାନ୍ତ୍ରିକ ସମାଜ ନାରୀକୁ ଦୁର୍ବଳ କରି ଦେଇଛି, ତାର ମାତୃତ୍ବ ତାକୁ ବହୁତ ସୀମାବଦ୍ଧ କରିଦେଇଛି ଏହାର ସୁଯୋଗ ନେଇଛି ସମାଜ ଯାହାକି ପୁରୁଷଙ୍କ ଦ୍ୱାରା ପରିଚାଳିତ।

ଅବସ୍ଥା ନିଶ୍ଚେ ସୁଧୁରୁଚି ଆହୁରି ସୁଧୁରିବ ନିଶ୍ଚୟ, ମୁଁ ନାରୀର ଏ ଅସୁବିଧାକୁ ସ୍ୱୀକାର କରେ କିନ୍ତୁ ନିଜକୁ ଫେମିନିଷ୍ଟ ବୋଲି ମୁଁ କହେନାହିଁ, ଏହି ବାଦ ସବୁ ଆପେକ୍ଷିକ କିନ୍ତୁ ନାରୀର କଷ୍ଟ ସତ୍ୟ, ଏଥିପାଇଁ ପ୍ରଗାଢ଼ ସଚେତନତା ଓ ପରିଶ୍ରମ ଆବଶ୍ୟକ ବୋଲି ମୁଁ ମନେକରେ।  ଆପଣଙ୍କ ଅନେକ କବିତାରେ ପ୍ରେମଭାବ ସହିତ ସାନ୍ଦ୍ର ଭାବରେ ମୃତ୍ୟୁ ଚେତନାକୁ ଅନୁଭବ କରିହୁଏ।

ଏ ବିଷୟରେ ଆପଣ ସ୍ବୟଂ କ"ଣ କହିବେ?

ମୋର ଅଧିକାଂଶ କବିତା ପ୍ରେମ କବିତା ବୋଲି ଅନେକ କହନ୍ତି।

ସେଥିରେ ସତ୍ୟତା ରହିଛି।

କିନ୍ତୁ ମୋ କବିତାରେ ମୃତ୍ୟୁ ଚେତନା ରହିଛି ବୋଲି ମୁଁ ଜାଣିନାହିଁ।

ପ୍ରେମକୁ ପାଇବା ହରାଇବା ବିଚ୍ଛେଦ ଭୋଗିବା ଏସବୁ ରହିଛି।

କିନ୍ତୁ ମୋ କବିତାରେ ମୃତ୍ୟୁକୁ ମୁଁ ନେଗେଟିଭ୍‌ ଚରିତ୍ର ଭାବେ ନେଇନାହିଁ କେବେ।

ମୋ ଜୀବନରେ ମୁଁ ମୃତ୍ୟୁକୁ ବହୁ ଭାବରେ ଦେଖିଚି।

ମୋ ନିଜର ମୃତ୍ୟୁକୁ ମୋର ଭୟ ନାହିଁ କିନ୍ତୁ ମୃତ୍ୟୁ ଯୋଗ୍ୟ ହେଇ ନଥିବା ମଣିଷ ଚାଲିଗଲେ କଷ୍ଟ ହୁଏ।

କିନ୍ତୁ ଯଦି ମୋ ଚେତନାରେ ତାହା ଆସିଯାଇଚି ତା"ହେଲେ ପାଠକ ଜାଣିଥିବେ।

ମୁଁ ବିଶେଷ ଜାଣି ପାରିନାହିଁ।  ଜଣେ କବି ହେବା ସହିତ ଆପଣ ପ୍ରବନ୍ଧ, ଉପନ୍ୟାସ, ଅନୁବାଦ କରନ୍ତି।

ତେବେ କେଉଁ ସୃଜନକର୍ମଟି ଆପଣଙ୍କୁ ଅଧିକ ଆନନ୍ଦ ଦିଏ, ପୁରସ୍କାର ନା ପାଠକୀୟତା କେଉଁଟି ଅଧିକ କାମ୍ୟ?

ମୁଁ ମୁଖ୍ୟତଃ କବିତା ଲେଖେ।

ମୋତେ ଗପ ଓ ଉପନ୍ୟାସ ମଧ୍ୟ ଭଲ ଲାଗେ।

ମୋତେ ଯାହା ଇଚ୍ଛା ହୁଏ ମୁଁ ଅନୁବାଦ କରେ।

କିନ୍ତୁ କବିତା ଲେଖିବା ମୋ ପାଇଁ ଏକ ସହଜ ସୃଜନ କର୍ମ।

ପାଠକ ମୋର କବିତାକୁ ଭଲ ପାଇଲେ ମୋତେ ଅତ୍ୟନ୍ତ ଆନନ୍ଦ ମିଳେ।ପୁରସ୍କାର ତ ଗୋଟିଏ ଆନୁଷ୍ଠାନିକ ସ୍ୱୀକୃତି, ତାହା ବି ଆନନ୍ଦ ଦିଏ।

କିନ୍ତୁ ପାଠକକୁ ଯେମିତି କବି ବାଧ୍ୟ କରିପାରିବ ନାହିଁ ତା"ର କବିତାକୁ ଭଲ ପାଇବାକୁ, ସେମିତି ପୁରସ୍କାର ଦେବାକୁ ବାଧ୍ୟ କରିହେବ ନାହିଁ କୌଣସି ସଂସ୍ଥାକୁ।

କିନ୍ତୁ ପୁରସ୍କାର ପାଏ ବା ନ ପାଏ ମୋତେ ପାଠକୀୟ ଶ୍ରଦ୍ଧା ମିଳିଲେ ହିଁ ସାର୍ଥକ ଲାଗେ।  ଆପଣଙ୍କ ଦୃଷ୍ଟି‌େର ନାରୀର ଆଧୁନିକତା କ"ଣ?

ମନ ଓ ଚେତନାକୁ ସମ୍ପୂର୍ଣ୍ଣ ମୁକ୍ତ ରଖିବା ହିଁ ଆଧୁନିକତା।

ଆଧୁନିକ ମାନସିକତା ସୀମାବଦ୍ଧ ନୁହେଁ।

ପୃଥିବୀରେ କେତେ ଦେଶ ଅଛି, କେତେ ପରମ୍ପରା ଅଛି କେତେ ଧର୍ମ ଅଛି।

କିନ୍ତୁ ଆଧୁନିକ ମଣିଷ ସବୁକିଛିକୁ ବୁଝେ ଗ୍ରହଣ କରେ, ବିଶ୍ଲେଷଣ କରେ ଓ ଆଗକୁ ଯାଏ।

ଆଧୁନିକତା ପୋଷାକରେ, କଥା କହିବାର ଠାଣିରେ କି ତଥାକଥିତ ବୋଲ୍‌ଡ ବ୍ୟବହାରରେ ନଥାଏ।

ଆଧୁନିକତା ସ୍ଥିର ନୁହେଁ, ଏହା ବିବର୍ତ୍ତିତ ହେଉଥାଏ।

ଆଧୁନିକ ନାରୀ ସବୁପ୍ରକାର ସୀମାରୁ ବାହାରି ନିଜକୁ ଏକ ମଣିଷ ଭାବରେ ପ୍ରତିଷ୍ଠିତ କରିବ, ଏହାହିଁ ତା"ର ଲକ୍ଷ୍ୟ ହେବା ଉଚିତ।  ଭବିଷ୍ୟତର ଯୋଜନା ସବୁ କ"ଣ ରହିଛି?

ମୁଁ ଏବେ ଗୋଟିଏ ବହି ଲେଖୁଚି ଯାହା ମୋର ଅନ୍ତରାତ୍ମାର ଯାତ୍ରାପଥକୁ ଚିହ୍ନିତ କରିବ।

ତାକୁ କାବ୍ୟିକ ଶୈଳୀରେ ଲେଖିବାକୁ ଚାହୁଛି।

ଶେଷ ହୋଇନାହିଁ।

ମୋର ତିନିଟି ଗପ ବହି ବାହାରିଛି, ଗୋଟିଏ ସମଗ୍ର ଗଳ୍ପ ସଂକଳନ ବି ପ୍ରକାଶ ପାଇଛି।

ଆଉ କେତୋଟି ଗପ ରହିଛି।

ମୁଁ ଯଦି ଆଉ ଚାରିଟି ଗପ ଲେଖି ଦିଅନ୍ତି ତେବେ ବହିଟିଏ ହୁଅନ୍ତା।

ସେ ଯୋଜନା ବି ମନରେ ରହିଛି।

ମୋର ଉପନ୍ୟାସ ଟି ଇଂରାଜୀ ଅନୁବାଦ ହେଉଛି; ତା"ରପ୍ରକାଶ ବିଷୟରେ ଭାବିବାକୁ ହେବ।

ଆଉ ଏମିତି ତ କବିତା ଲେଖୁଚି ପ୍ରାୟ।

ତେବେ ଶୀଘ୍ର ମୋର ଅନ୍ତରାତ୍ମା ଯାତ୍ରାକୁ ନେଇ ଲେଖୁଥିବା ବହିଟି ପ୍ରକାଶିତ ହୋଇଯାଉ ବୋଲି ମୁଁ ଚାହେ।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।