Caste-Identifying Words Bans on Private Vehicle: ଗାଡ଼ିରେ ଜାତି ଲେଖିବା ମନା! ସରକାର ଆଣିଲେ ନୂଆ ନିୟମ
ଏଣିକି ଗୁଜରାଟରେ ଘରୋଇ ଗାଡ଼ିରେ ଜାତିସୂଚକ ଶବ୍ଦ, ଚିହ୍ନ, ପ୍ରତୀକ କିମ୍ବା ଲେଖା ଲଗାଇବା ନିଷିଦ୍ଧ ହୋଇଛି।
ଏନେଇ ରାଜ୍ୟ ସରକାର ମୋଟର ଯାନ ନିୟମରେ ସଂଶୋଧନ କରି ନୂଆ ନିୟମ ଲାଗୁ କରିଛନ୍ତି।
ନଭେମ୍ବର ୧୭ ତାରିଖରେ ଗୁଜରାଟର ବନ୍ଦର ଓ ପରିବହନ ବିଭାଗ ପକ୍ଷରୁ ଏ ସଂକ୍ରାନ୍ତୀୟ ବିଜ୍ଞପ୍ତି ପ୍ରକାଶ ପାଇଛି।
Advertisment ନୂଆ ନିୟମ ଅନୁଯାୟୀ, ଦୁଇଚକିଆ, ତିନିଚକିଆ ଯାନ, କାର୍, ବସ୍ ଓ ଟ୍ରକ୍ ଭଳି ଘରୋଇ ଯାନରେ କୌଣସି ପ୍ରକାରର ଜାତି ପରିଚୟ ସୂଚକ ଲେଖା, ଚିହ୍ନ କିମ୍ବା ପ୍ରତୀକ ପ୍ରଦର୍ଶନ କରାଯାଇପାରିବ ନାହିଁ।
ସରକାରଙ୍କ ସାଧାରଣ କିମ୍ବା ସ୍ୱତନ୍ତ୍ର ଅନୁମତି ଥିଲେ ହିଁ ଏଥିରେ ବ୍ୟତିକ୍ରମ ହୋଇପାରିବ।
ଗୁଜରାଟ ମୋଟର ଯାନ ନିୟମ, ୧୯୮୯ର ଧାରା ୧୩୮ର ଉପଧାରା (୨) ପରେ ନୂଆ ଉପଧାରା (୩) ଯୋଡ଼ାଯାଇଛି।
ଏହା ସହିତ ଧାରା ୧୨୫ର ଉପଧାରା (୧)ରେ ମଧ୍ୟ ସଂଶୋଧନ କରାଯାଇଛି।
ଏହି ସଂଶୋଧନ ଫଳରେ ଗାଡ଼ିରେ ଜାତିସୂଚକ ଚିହ୍ନ ଓ ଲେଖା ପ୍ରଦର୍ଶନ ଉପରେ ସ୍ପଷ୍ଟ ନିଷେଧାଦେଶ ଜାରି ହୋଇଛି।
Advertisment ସୂଚନାଯୋଗ୍ୟ, ଏହି ନିୟମର ଚିଠା ପ୍ରସ୍ତାବ ଚଳିତ ବର୍ଷ ଜୁନ୍ ୧୧ ତାରିଖରେ ଗୁଜରାଟ ସରକାରଙ୍କ ଅସାଧାରଣ ଗେଜେଟ୍ରେ ପ୍ରକାଶ ପାଇଥିଲା।
ଏହା ଉପରେ ଆପତ୍ତି ଓ ପରାମର୍ଶ ଦେବା ପାଇଁ ୩୦ ଦିନ ସମୟ ଦିଆଯାଇଥିଲା।
ତେବେ ନିର୍ଦ୍ଧାରିତ ସମୟ ମଧ୍ୟରେ କୌଣସି ଆପତ୍ତି କିମ୍ବା ପରାମର୍ଶ ମିଳିନଥିବାରୁ ସରକାର ଚୂଡ଼ାନ୍ତ ନିୟମ ଜାରି କରିଛନ୍ତି।
ଗୁଜରାଟରେ ଗାଡ଼ିରେ 'ପଟିଦାର', 'କ୍ଷତ୍ରିୟ' ଭଳି ଜାତିସୂଚକ ଶବ୍ଦ ଲେଖିବାର ପ୍ରଥା ଦୀର୍ଘଦିନରୁ ରହିଆସିଛି।
୨୦୧୫ ମସିହାରେ ରାଜକୋଟ ପୋଲିସ ଗାଡ଼ିର ନମ୍ବର ପ୍ଲେଟ୍ରୁ ଜାତିସୂଚକ ଲେଖା ହଟାଇବା ପାଇଁ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରିଥିଲା।
ସେହିପରି ୨୦୨୩ରେ ଉତ୍ତରପ୍ରଦେଶର ନୋଏଡା ଓ ଗାଜିଆବାଦରେ ଜାତି ଓ ଧର୍ମସୂଚକ ଷ୍ଟିକର୍ ଲଗାଇଥିବା ଗାଡ଼ି ବିରୋଧରେ ଅଭିଯାନ ଚାଲିଥିଲା।
ଏଥିରେ ୨,୩୦୦ରୁ ଅଧିକ ଚାଲାଣ କଟାଯାଇଥିଲା।
ତେବେ ଗୁଜରାଟ ସରକାରଙ୍କ ଏହି ନୂଆ ସଂଶୋଧନର ବିଶେଷତ୍ୱ ହେଉଛି, କେବଳ ନମ୍ବର ପ୍ଲେଟ୍ ନୁହେଁ, ଗାଡ଼ିର ଅନ୍ୟ ଯେକୌଣସି ସ୍ଥାନରେ ଜାତି ପରିଚୟ ସୂଚକ ଲେଖା, ଚିହ୍ନ କିମ୍ବା ପ୍ରତୀକ ପ୍ରଦର୍ଶନ ଉପରେ ମଧ୍ୟ କଟକଣା ଲଗାଯାଇଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
