President Droupadi Murmu Inaugurates Historic Cuttack Bali Jatra: ଐତିହାସିକ କଟକ ବାଲିଯାତ୍ରା ଉଦଘାଟିତ, ବୋଇତ ଭସାଇଲେ ରାଷ୍ଟ୍ରପତି
ଐତିହାସିକ ବାଲିଯାତ୍ରା, ଗୌରବମୟ ତା ଐତିହ୍ୟ।
ବିଶ୍ବପ୍ରସିଦ୍ଧ କଟକ ବାଲିଯାତ୍ରାରେ ଦେଶର ପ୍ରଥମ ନାଗରିକ।
ମହାନଦୀ ତଟରେ ସୁସଜ୍ଜିତ ସ୍ବତନ୍ତ୍ର ନୌକା କଳିଙ୍ଗ ତରଙ୍ଗିଣୀ, ଯେଉଁଥିରେ ବାଲିଯାତ୍ରା ସ୍ଥଳରେ ପହଁଚିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।
ସାଙ୍ଗରେ ଥିଲେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ।
ମହାନଦୀରେ ଭସାଇଥିଲେ ଉତ୍କଳୀୟ ନୌବାଣିଜ୍ୟ ପରମ୍ପରାର ପ୍ରତୀକ ବୋଇତ।
ପରେ ଗାଡିରେ ବୁଲି ଦେଖିଥିଲେ ବାଲିଯାତ୍ରାର ବର୍ଣ୍ଣାଢ୍ୟ ଆୟୋଜନ ଓ ଓରମାସ ଷ୍ଟଲ।
ଏହାପରେ ଲକ୍ଷାଧିକ ଦର୍ଶକଙ୍କ ଗହଣରେ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ ଐତିହ୍ୟ, ପରମ୍ପରା ଓ ମନୋରଞ୍ଜନର ମହାସମାଗମ ବାଲିଯାତ୍ରାର।
Advertisment 'ଆ କା ମା ବୈ, ପାନ ଗୁଆ ଥୋଇ, ପାନ ଗୁଆ ତୋର, ମାସକ ଧରମ ମୋର'।
ଉତ୍କଳୀୟ ନୌବାଣିଜ୍ୟ ପରମ୍ପରା ଓ ଓଡ଼ିଆ ସଂସ୍କୃତିର ଗୌରବମୟ ଇତିହାସକୁ ମନେ ପକାଇ ସାରା ରାଜ୍ୟରେ ଅନୁଷ୍ଠିତ ହୋଇଛି ବୋଇତ ବନ୍ଦାଣ।
ପୁଷ୍କରିଣୀରୁ ନଦୀ ଆଉ ମହୋଦଧି, ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ ସବୁଠି ଭସାଯାଇଛି ଡଙ୍ଗା।
ବଡି ଭୋରରୁ ବୁଡ ପକାଇ, କଦଳୀ ପାଟୁକାରେ ପାନ, ଗୁଆ ଓ ଦୀପ ଥୋଇ ଭସାଇବା ସହ ପାଳିଛନ୍ତି ପରମ୍ପରା।
ପାରାଦୀପ ବନ୍ଦରରେ ଆୟୋଜିତ ବୋଇତ ବନ୍ଦାଣ ଉତ୍ସବରେ ସାମିଲ ହୋଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ।
ସୁସଜ୍ଜିତ ବୋଇତରେ ସାତ ସାଧବପୁଅଙ୍କୁ ଦେଇଥିଲେ ମେଲାଣି।
ଅତୀତର ଗୌରବକୁ ମନେପକାଇଥିଲେ, ରାଜ୍ୟକୁ ସମୃଦ୍ଧ କରିବା ଦିଗରେ ବଖାଣିଥିଲେ ସରକାରଙ୍କ ପଦକ୍ଷେପ।..
ସେପଟେ ଓଡିଶା ଓ ଇଣ୍ଡୋନେସିଆ ସରକାରଙ୍କ ମିଳିତ ସହଯୋଗରେ ବାଲିରେ ଆୟୋଜିତ ହୋଇଛି ବୋଇତ ବନ୍ଦାଣ ଉତ୍ସବ "ଓଡିଶା ପରବ"।
ଉତ୍ସବରେ ଉପସ୍ଥିତ ଥିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଏବଂ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ।
Advertisment ଦୟା ନଦୀରୁ ମହାନଦୀ, ଗୋପାଳପୁରରୁ ପୁରୀ।
ରାତି ନପାହୁଣୁ ଜମିଥିଲା ଶ୍ରଦ୍ଧାଳୁଙ୍କ ଭିଡ।
ଡଙ୍ଗା ଭସାଇ, ଓଡ଼ିଶାର ସଂସ୍କୃତି ଓ ଐତିହ୍ୟକୁ ମନେ ପକାଇଥିଲେ ସମସ୍ତେ।
ସାଧବ ପୁଅ-ବୋହୁ ବେଶରେ ଦେଖିବାକୁ ମିଳିଥିଲା ଉତ୍କଳୀୟ ପରମ୍ପରାର ନିଦର୍ଶନ।
କେନ୍ଦ୍ରାପଡ଼ା କଳପଡାରେ ଜିଲ୍ଲାସ୍ତରୀୟ ବୋଇତ ବନ୍ଦାଣ ଉତ୍ସବରେ ସାମିଲ ହୋଇ ଉତ୍କଳୀୟ ନୌବାଣିଜ୍ୟ ପରମ୍ପରା ବଖାଣିଥିଲେ ସ୍ଥାନୀୟ ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା।
ଏପଟେ ଶ୍ରୀକ୍ଷେତ୍ରରେ ମହୋଦଧି ଓ ତୀର୍ଥ ପୁଷ୍କରିଣୀରେ ବୁଡ ପକାଇ, ପୂଣ୍ୟର ଡଙ୍ଗା ଭସାଇ କାର୍ତ୍ତିକ ବ୍ରତ ଉଦଯାପନ କରିଛନ୍ତି ହବିଷ୍ୟାଳି।
ପବିତ୍ର କାର୍ତ୍ତିକ ପୂର୍ଣ୍ଣମୀରେ ଶ୍ରୀମନ୍ଦିରରେ ରାଜରାଜେଶ୍ବର ବା ସୁନାବେଶରେ ଅଗଣିତ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଛନ୍ତି ଶ୍ରୀଜିଉ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
