ମ୍ୟୁଜିୟମରେ ଆଉ ଦେଖିବାକୁ ମିଳିବନି ‘ମମି’ !
ନନ୍ଦିଘୋଷ ବ୍ୟୁରୋ: ମ୍ୟୁଜିୟମ୍ ରୁ ହଟିଲା ‘ମମି’ । ମରିବା ପୂର୍ବରୁ ଅନୁମତି ଦେଇନଥିବାରୁ ପ୍ରଦର୍ଶନୀରୁ ହଟାଇ ଦିଆଗଲା । ସ୍କଟଲ୍ୟାଣ୍ଡର ଏକ ମ୍ୟୁଜିୟମ୍ ଏବେ ଏଭଳି ନିଷ୍ପତ୍ତି ନେଇଛି । ଏଠାରେ ଥିବା ମିଶ୍ରର ମମିକୁ ପ୍ରଦର୍ଶନୀରୁ ହଟାଇ ଦେଇଛି । କାରଣ ସେମାନଙ୍କ ପାଖରେ ଯାହାର ମମି ଥିଲା, ସେହି ମୃତ ବ୍ୟକ୍ତିଙ୍କର ସମ୍ମତି ନଥିଲା । ଦି ଟେଲିଗ୍ରାଫର ରିପୋର୍ଟ ମୁତାବକ, ସ୍କଟଲାଣ୍ଡର ଗ୍ଲାସଗୋରେ ଥିବା କେଲଭିନଗ୍ରୋଭ ଆର୍ଟ ଗ୍ୟାଲେରୀ ଏବଂ ସଂଗ୍ରହାୟକୁ ଆସୁଥିବା ଲୋକଙ୍କୁ ଏଭଳି ଏକ ନୋଟିସ ମିଳିଥିଲା । ଯେଉଁଥିରେ କୁହାଯାଇଥିଲା ଯେ, ମ୍ୟଜିୟମର ମ୍ୟାନେଜମେଣ୍ଟ ସମ୍ମାନ ସ୍ବରୂପ ଏହି ପ୍ରଦର୍ଶନୀରୁ ମାନବ ଅବଶେଷକୁ ହଟାଇ ଦେଇଛି ।
ତେବେ ଅପସାରିତ ଜିନିଷଗୁଡିକ ଭିତରେ ଏକ କଫିନ୍ ରହିଥିଲା, ଯେଉଁଥିରେ ଜଣେ ପୂଜାରୀଙ୍କ ଶରୀରର ଅବଶେଷ ଥିଲା । ଏହାସହ ମିଶ୍ରର ଲକ୍ସରରେ ଥିବା କିଙ୍ଗ୍ସ ଘାଟିରୁ ମିଳିଥିବା ମମି ହୋଇଥିବା ଡାହାଣ ହାତ, ସେହିପରି ମମି ହୋଇଥିବା ପୁରୁଷ ମୁଣ୍ଡ ଏବଂ ଡାହଣ ପାଦ ବି ରହିଥିଲା । ସେପଟେ ଡେଲି ମେଲ୍ ର ରିପୋର୍ଟ ଅନୂସାରେ, SNP ନେତୃତ୍ବାଧୀନ ଗ୍ଲାସଗୋ ସିଟି କାଉନସିଲ ଦ୍ବାରା ପାଣ୍ଠି ଯୋଗାଇ ଦିଆଯାଉଥିବା ଏକ ଚାରିଟେବଲ୍ ସଂସ୍ଥା ‘ଗ୍ଲାସଗୋ ଲାଇଫ’ କହିଛି ଯେ କେଲଭିନଗ୍ରୋଭ୍ ଏବଂ ସେଣ୍ଟ ମୁଙ୍ଗୋ ସଂଗ୍ରହାଳୟରୁ ଆହୁରି ମଧ୍ୟ ମାନବ ଅବଶେଷ ହଟାଇବାକୁ ଯୋଜନା କରୁଛି । ସୁଚନା ମୁତାବକ, କେଲଭିନଗ୍ରୋଭ ଆର୍ଟ ଗ୍ୟାଲେରୀ ଏବଂ ସଂଗ୍ରହାୟ ୧୯୦୧ ମସିହାରେ ଖୋଲା ଯାଇଥିଲା । କେବଳ ମମିକୁ ଦେଖିବା ପାଇଁ ପ୍ରତିବର୍ଷ ଏଠାକୁ ୧୩ ଲକ୍ଷରୁ ଅଧିକ ଲୋକ ଆସିଥାନ୍ତି । ସେଠାକାର ପ୍ରାଚୀନ ମିଶ୍ର ଗ୍ୟାଲେରୀରେ ଦୀର୍ଘ ସମୟରୁ ମିଶ୍ରର ମମି ଏବଂ ଅନ୍ୟାନ୍ୟ ଅବଶେଷକୁ ସ୍ଥାନିତ କରାଯାଇଛି । ଏହି ମମିଗୁଡିକ ସଂଗ୍ରହାଳୟର ସବୁଠାରୁ ଲୋକପ୍ରିୟ ଆକର୍ଷଣ ମଧ୍ୟରୁ ଗୋଟିଏ । ଏହା ପଛର କାରଣ ହେଉଛି, ପ୍ରାଚୀନ ମିଶ୍ରର ଲୋକମାନେ ‘ମମିଫିକେସନ୍’ ମାଧ୍ୟମର ସେମାନଙ୍କର ପ୍ରିୟଜନକଙ୍କ ମୃତ ଶରୀରକୁ ସଂରକ୍ଷଣ କରି ରଖୁଥିଲେ । ତାଙ୍କ ବିଶ୍ବାସ ରହିଥିଲା ଯେ ପରଲୋକ ପାଇଁ ଶରୀର ଠିକ ଭାବରେ ରହିବା ଦରକାର । ଆଉ ସେବେଠାରୁ ନେଇ ଏବେ ପର୍ଯ୍ୟନ୍ତ ବିଶ୍ବର ବିଭିନ୍ନ ମ୍ୟୁଜିୟମରେ ମମିକୁ ପ୍ରଦର୍ଶନ କରାଯାଉଛି।
କହିରଖୁଛୁ ଯେ, କୌଣସି ମଣିଷ କିମ୍ବା ପଶୁର ମୃତ୍ୟୁ ପରେ ତାର ମରଶରୀରକୁ ଔଷଧ ଏବଂ ପଟି ଳଗାଇ ହଜାର ହଜାର ବର୍ଷ ପର୍ଯ୍ୟନ୍ତ କ୍ଷୟ ହେବାକୁ ରୋକା ଯାଇଥାଏ, ତାହାକୁ ମମି କୁହାଯାଏ । ଏହି ମମି ଭିତରେ ସବୁଠାରୁ ଫେମସ୍ ହେଉଛି ମିଶ୍ରର ମମି, ଯେଉଁଠାରେ ରାଜାମାନଙ୍କୁ ମମି କରି ପିରାମିଡରେ ରଖାଯାଇଥାଏ ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
