ମଙ୍ଗଳର ଅଜବ ପଥର
ମଙ୍ଗଳଗ୍ରହର ଏକ ପଥରକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଆଳୁ ଚିପ୍ସ ଭଳି ଦେଖାଯାଉଥିବା ଏହି ଅସ୍ୱାଭାବିକ ପଥର ଗଠନ ଉପରେ ନାସା ବୈଜ୍ଞାନିକମାନେ ଗବେଷଣା ଚଳାଇଛନ୍ତି । ଯାହାର ମୋଡ଼ି ହୋଇଥିବା ଏବଂ ଅସମାନ ଆକୃତି ଗ୍ରହର ମୂଳ ଶିଳାସ୍ତର ବା ବେଡରକ୍ ମଧ୍ୟରେ ଖଚିତ ହୋଇ ରହିଥିବା ପରି ମନେହେଉଛି । ଏକ ରିପୋର୍ଟ ଅନୁଯାୟୀ, ଏହି ଗଠନଗୁଡ଼ିକ କିପରି ସୃଷ୍ଟି ହେଲା ଏବଂ ଏଗୁଡ଼ିକ କେଉଁ ପଦାର୍ଥରେ ତିଆରି, ତାହା ବୁଝିବା ପାଇଁ ଗବେଷକମାନେ ଉଦ୍ୟମ କରୁଛନ୍ତି । ନଭେମ୍ବର ୧୧ ତାରିଖରେ ନାସାର ‘କ୍ୟୁରିଓସିଟି’ ବ୍ଲଗ୍ରେ ଏହି ତଥ୍ୟ ପ୍ରକାଶ ପାଇଥିଲା । ୨୦୧୨ ମସିହାରୁ ମଙ୍ଗଳ ପୃଷ୍ଠରେ ଅନ୍ୱେଷଣ ଚଳାଇଥିବା ନାସାର କ୍ୟୁରିଓସିଟି ରୋଭର ଗତ ସପ୍ତାହରେ ‘ନାଜକା’ ନାମକ ଏକ ସ୍ଥାନରେ ଖନନ ଅଭିଯାନ ଚଳାଇବା ସମୟରେ ଏହି ଗଠନଗୁଡ଼ିକର ପରୀକ୍ଷଣ କରିଥିଲା । ନାସାର ସୂଚନା ମୁତାବକ, ନାଜକା ସ୍ଥାନଟି ମଙ୍ଗଳ ଗ୍ରହର ଏପରି ଏକ ଅଞ୍ଚଳରେ ଅବସ୍ଥିତ ଯେଉଁଠାରେ ବୈଜ୍ଞାନିକମାନେ ଶିଳାସ୍ତର ଭିତରେ ଡିସ୍କ ଆକୃତିର ଅସାଧାରଣ ସଂରଚନା ଚିହ୍ନଟ କରିଛନ୍ତି । ଏହାସହ ନାସା ବ୍ଲଗ୍ରେ ଏହି ଅଞ୍ଚଳକୁ ଡିସ୍କ ଆକୃତିର କିମ୍ବା ସହଜ ଭାଷାରେ କହିଲେ ଆଳୁ-ଚିପ୍ସ ଆକୃତିର ସ୍ଫଟିକ ଗଠନ ଥିବା ଶିଳାସ୍ତର ଭାବେ ବର୍ଣ୍ଣନା କରାଯାଇଛି । ମଙ୍ଗଳ ପୃଷ୍ଠରୁ ନିଆଯାଇଥିବା ଚିତ୍ରଗୁଡ଼ିକରେ ଅନିୟମିତ ତଥା ମୋଡ଼ି ହୋଇଥିବା ସଂରଚନା ଦେଖିବାକୁ ମିଳିଛି । ଯାହା ଚାରିପାଖର ପଥରର ଏକ ଅଂଶ ପରି ଜଣାପଡ଼ୁଛି ଏବଂ ସେଥିମଧ୍ୟରୁ କେତେକର ଆକୃତି ଆଳୁ ଚିପ୍ସ ଭଳି ରହିଛି । ଏହି ଚିପ୍ସ ଆକୃତିର ବୈଶିଷ୍ଟ୍ୟଗୁଡ଼ିକୁ ଭଲ ଭାବେ ଚିହ୍ନଟ କରିବା ଏହି ଅନୁସନ୍ଧାନର ଅନ୍ୟତମ ମୁଖ୍ୟ ଲକ୍ଷ୍ୟ । ତେବେ ଅଧିକ ଅଧ୍ୟୟନ ପାଇଁ ନାଜକା ଖନନ ସ୍ଥଳରୁ ସଂଗୃହୀତ ନମୁନାଗୁଡ଼ିକୁ କ୍ୟୁରିଓସିଟିର ‘ସାମ୍ପଲ୍ ଆନାଲିସିସ୍ ଆଟ୍ ମାର୍ସ’ ଯନ୍ତ୍ରକୁ ପଠାଯାଇଛି, ଯାହା ମଙ୍ଗଳ ଗ୍ରହରୁ ସଂଗୃହୀତ ନମୁନାର ରାସାୟନିକ ଗଠନ ପରୀକ୍ଷା କରିବା ପାଇଁ ନିର୍ମିତ ହୋଇଛି । ଏହା ସହିତ, ‘କୋଲକା’ ନାମକ ଏକ ସ୍ଫଟିକ ଆକୃତିର ଗଠନର ରାସାୟନିକ ସଂରଚନା ବିଷୟରେ ଅଧିକ ଜାଣିବା ପାଇଁ ରୋଭର ନିଜର ଲେଜର-ଯୁକ୍ତ ‘କେମକ୍ୟାମ୍’ ଯନ୍ତ୍ର ବ୍ୟବହାର କରିବାକୁ ଯୋଜନା କରିଥିବା ଜଣାପଡିଛି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
