ବିଶ୍ୱ ଶାନ୍ତିର ସବୁଠୁ ଶକ୍ତିଶାଳୀ ଗ୍ୟାରେଣ୍ଟି ସାଂସ୍କୃତିକ ସମ୍ପର୍କ: ଏସ୍ସିଓ ମଞ୍ଚରେ କହିଲେ ମୋଦୀ
ନୂଆଦିଲ୍ଲୀ : ବିଶ୍ୱରେ ଯୁଦ୍ଧ ଓ ଅଶାନ୍ତିର ଚର୍ଚ୍ଚା ଚାଲିଥିବାବେଳେ ସାଂସ୍କୃତିକ ସମ୍ପର୍କ ଓ ସଭ୍ୟତାଗତ ସଂଯୋଗ ହିଁ ବିଶ୍ୱ ଶାନ୍ତିର ସବୁଠୁ ଶକ୍ତିଶାଳୀ ଗ୍ୟାରେଣ୍ଟି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ ।
ଶୁକ୍ରବାର ନୂଆଦିଲ୍ଲୀର ପୁରୁଣା କିଲ୍ଲାରେ ପ୍ରଥମ ସାଂଘାଇ ସହଯୋଗ ସଂଗଠନ ( ଏସ୍ସିଓ ) ସଭ୍ୟତା ସଂଳାପ ମଞ୍ଚର ଉଦ୍ଘାଟନ କରି ସେ ଏହା କହିଛନ୍ତି ।
ସୁରକ୍ଷା, ଅର୍ଥନୀତି ଓ ଯୋଗାଯୋଗ କ୍ଷେତ୍ରରେ ଏସ୍ସିଓ ଦେଶଗୁଡ଼ିକ ମଧ୍ୟରେ ସହଯୋଗ ବଢ଼ିଥିବାବେଳେ ସାଂସ୍କୃତିକ ଓ ସଭ୍ୟତାଗତ ସମ୍ପର୍କ ଏହି ସହଯୋଗକୁ ଆହୁରି ମଜଭୁତ କରିବ ବୋଲି ସେ କହିଛନ୍ତି ।
Advertisment ମୋଦୀ କହିଛନ୍ତି, ସାରା ବିଶ୍ୱରେ ଯୁଦ୍ଧ ଓ ଅଶାନ୍ତିକୁ ନେଇ ଆଲୋଚନା ହେଉଥିବା ସମୟରେ ଭାରତରେ ସଭ୍ୟତାଗତ ସମ୍ପର୍କ ଉପରେ ସଂଳାପ ଆୟୋଜନ କରାଯାଉଛି ।
ଏହାର ବିଶେଷ ଗୁରୁତ୍ୱ ରହିଛି ।
ଏସ୍ସିଓ ଗଠନର ୨୫ ବର୍ଷ ପୂରଣ ହୋଇଥିବା ଉଲ୍ଲେଖ କରି ସେ କହିଥିଲେ, ଏହି ମଞ୍ଚ ନୂଆ ବିଚାର ଓ ସାଂସ୍କୃତିକ ସହଯୋଗର ନୂଆ ସୁଯୋଗ ସୃଷ୍ଟି କରିବା ସହ ଦେଶଗୁଡ଼ିକୁ ନିକଟତର କରିବ ।
ଏହା କେବଳ ଏକ ଆନୁଷ୍ଠାନିକ କାର୍ଯ୍ୟକ୍ରମ ହୋଇ ନ ରହି ବିଶ୍ୱକୁ ଦିଗ୍ଦର୍ଶନ ଦେବାର ମଞ୍ଚ ହେବା ଉଚିତ ବୋଲି ସେ ଆଶା ପ୍ରକାଶ କରିଥିଲେ ।
Akban Preparedness Review ଭଦ୍ରକର ବାତ୍ୟା 'ଅକବନ' ପରବର୍ତ୍ତୀ ପ୍ରସ୍ତୁତି ସମୀକ୍ଷା କଲେ ଉଚ୍ଚଶିକ୍ଷା ମନ୍ତ୍ରୀ ଭାରତର ପ୍ରାଚୀନ ସଭ୍ୟତାଗତ ସମ୍ପର୍କ ସମ୍ପର୍କରେ ଉଲ୍ଲେଖ କରି ମୋଦୀ କହିଥିଲେ, ପ୍ରାୟ ୫ ହଜାର ବର୍ଷ ପୂର୍ବେ ସିନ୍ଧୁ ସଭ୍ୟତା ଓ ମେସୋପଟାମିଆ ମଧ୍ୟରେ ବାଣିଜ୍ୟିକ ସମ୍ପର୍କ ଥିଲା ।
ପରବର୍ତ୍ତୀ ସମୟରେ ପ୍ରାଚୀନ ବାଣିଜ୍ୟ ପଥ ଭାରତକୁ ଚୀନ୍, ମଧ୍ୟ ଏସିଆ ଓ ୟୁରେସିଆର ଅନ୍ୟ ଅଞ୍ଚଳ ସହ ଯୋଡ଼ିଥିଲା ।
ଏହି ପଥରେ କେବଳ ବ୍ୟବସାୟୀ ନୁହନ୍ତି, ବରଂ ପଣ୍ଡିତ, ପର୍ଯ୍ୟଟକ ଓ ବୌଦ୍ଧ ଭିକ୍ଷୁମାନେ ମଧ୍ୟ ଯାତ୍ରା କରୁଥିଲେ ।
ଏହାଦ୍ୱାରା ବିଭିନ୍ନ ଦେଶ ମଧ୍ୟରେ ଭାଷା, ବିଚାର ଓ ପରମ୍ପରାର ଆଦାନପ୍ରଦାନ ହୋଇଥିଲା ।
ଭାରତୀୟ ସଂସ୍କୃତିର 'ବସୁଧୈବ କୁଟୁମ୍ବକମ୍' ଅର୍ଥାତ୍ ସାରା ବିଶ୍ୱ ଗୋଟିଏ ପରିବାର ନୀତିର ଉଦାହରଣ ଦେଇ ସେ ପାରସ୍ପରିକ ସଦ୍ଭାବକୁ ବିଶ୍ୱ କଲ୍ୟାଣର ଆଧାର ବୋଲି କହିଥିଲେ ।
ସଂଗ୍ରହାଳୟ, ପାଠାଗାର ଓ ଅଭିଲେଖାଗାରରେ ସଂରକ୍ଷିତ ପ୍ରାଚୀନ ଐତିହ୍ୟର ସୁରକ୍ଷାରେ ଆଧୁନିକ ପ୍ରଯୁକ୍ତିର ବ୍ୟବହାର ଉପରେ ମଧ୍ୟ ସେ ଗୁରୁତ୍ୱ ଦେଇଥିଲେ ।
ପ୍ରାଚୀନ ଗ୍ରନ୍ଥର ଡିଜିଟାଲୀକରଣ, ଅନୁବାଦ ଓ ମିଳିତ ଗବେଷଣା ଜରିଆରେ ଯୁବପିଢ଼ି ଅନ୍ୟ ଦେଶର ସଂସ୍କୃତିକୁ ସହଜରେ ବୁଝିପାରିବେ ବୋଲି ସେ କହିଥିଲେ ।
ନଭେମ୍ବର ୨୨ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ତିନିଦିନିଆ ମଞ୍ଚରେ ଏସ୍ସିଓ ସଦସ୍ୟ ଦେଶ, ପର୍ଯ୍ୟବେକ୍ଷକ ଓ ଆଲୋଚନା ସହଯୋଗୀ ଦେଶଗୁଡ଼ିକର ପ୍ରତିନିଧି ଯୋଗଦେଉଛନ୍ତି ।
ଏଥିରେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ ମଧ୍ୟ ଉପସ୍ଥିତ ଥିଲେ ।
ପାକିସ୍ତାନ ସମେତ ସମସ୍ତ ଏସ୍ସିଓ ସଦସ୍ୟ ଦେଶକୁ ଏହି ମଞ୍ଚ ପାଇଁ ନିମନ୍ତ୍ରଣ କରାଯାଇଥିବା ବୈଦେଶିକ ମନ୍ତ୍ରଣାଳୟ ସ୍ପଷ୍ଟ କରିଛି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
