ଜମ୍ମୁ-କାଶ୍ମୀରରେ ସକ୍ରିୟ ୬୫ ବିଦେଶୀ ଆତଙ୍କବାଦୀ, ୫୫ ଜଣ ଜୈଶ ଓ ଲସ୍କର ସହ ଜଡ଼ିତ

Nov 25, 2026 - 16:14
ଜମ୍ମୁ-କାଶ୍ମୀରରେ ସକ୍ରିୟ ୬୫ ବିଦେଶୀ ଆତଙ୍କବାଦୀ, ୫୫ ଜଣ ଜୈଶ ଓ ଲସ୍କର ସହ ଜଡ଼ିତ

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରରେ ଆତଙ୍କବାଦ ବିରୋଧୀ ଅଭିଯାନକୁ ଆହୁରି ଜୋରଦାର କରିଛନ୍ତି ସୁରକ୍ଷା ବାହିନୀ। ଗୁଇନ୍ଦା ସୂତ୍ରରୁ ମିଳିଥିବା ତଥ୍ୟ ଅନୁସାରେ, ବର୍ତ୍ତମାନ ଜମ୍ମୁ-କାଶ୍ମୀରରେ ପ୍ରାୟ ୬୫ ଜଣ ବିଦେଶୀ ଆତଙ୍କବାଦୀ ସକ୍ରିୟ ଅଛନ୍ତି। ସେମାନଙ୍କ ମଧ୍ୟରୁ ପ୍ରାୟ ୫୫ ଜଣ ପାକିସ୍ତାନ ଭିତ୍ତିକ ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦ ଓ ଲସ୍କର-ଏ-ତୋଇବା ସହ ଜଡ଼ିତ ଥିବା ଜଣାପଡ଼ିଛି। ଅବଶିଷ୍ଟ ୧୦ ଜଣ ଅନ୍ୟ ଛୋଟ ଆତଙ୍କବାଦୀ ସଂଗଠନ ସହ ସମ୍ପୃକ୍ତ ବୋଲି ଗୁଇନ୍ଦା ସୂତ୍ର କହିଛି। ଏକ ରିପୋର୍ଟ ଅନୁସାରେ, ଏହି ଆତଙ୍କବାଦୀଙ୍କ ମଧ୍ୟରୁ ଅନେକ ନିକଟରେ ପାକିସ୍ତାନ ପଟୁ ସୀମା ଅତିକ୍ରମ କରି ଭାରତକୁ ପ୍ରବେଶ କରିଛନ୍ତି। ଉପତ୍ୟକାରେ ଆତଙ୍କବାଦୀ ନେଟୱର୍କକୁ ପୁଣି ସକ୍ରିୟ କରିବା ସହ ଆକ୍ରମଣ ଘଟାଇବା ସେମାନଙ୍କ ଉଦ୍ଦେଶ୍ୟ ବୋଲି ଆଶଙ୍କା କରାଯାଉଛି। ତେଣୁ ଏବେ ସୁରକ୍ଷା ବାହିନୀର ମୁଖ୍ୟ ଫୋକସ୍ ବିଦେଶୀ ଆତଙ୍କବାଦୀଙ୍କୁ ଠାବ କରିବା ଉପରେ ରହିଛି।
୧୦ ହଜାର ଫୁଟ୍ ଉଚ୍ଚତାରେ ୮୦ରୁ ଅଧିକ ଅସ୍ଥାୟୀ ବେସ୍
ବିଦେଶୀ ଆତଙ୍କବାଦୀଙ୍କ ଗତିବିଧି ଉପରେ ନଜର ରଖିବା ଏବଂ ସେମାନଙ୍କୁ ପାହାଡ଼ିଆ ଅଞ୍ଚଳରେ ଲୁଚିବାକୁ ସୁଯୋଗ ନଦେବା ପାଇଁ ସୁରକ୍ଷା ବାହିନୀ ଏକ ନୂଆ ରଣନୀତି ଆପଣାଇଛି। ଜମ୍ମୁ-କାଶ୍ମୀରର ବିଭିନ୍ନ ଦୁର୍ଗମ ଓ ପାର୍ବତ୍ୟ ଅଞ୍ଚଳରେ ୮୦ରୁ ଅଧିକ ଟେମ୍ପରାରି ଅପରେଟିଂ ବେସ୍‌ ସ୍ଥାପନ କରାଯାଇଛି। ଏଥିମଧ୍ୟରୁ ଅନେକ ବେସ୍ ସମୁଦ୍ରପତ୍ତନଠାରୁ ୧୦ ହଜାର ଫୁଟ୍‌ରୁ ଅଧିକ ଉଚ୍ଚତାରେ ରହିଛି। ଏହି ଅସ୍ଥାୟୀ ବେସ୍‌ଗୁଡ଼ିକରେ ଭାରତୀୟ ସେନା, କେନ୍ଦ୍ରୀୟ ରିଜର୍ଭ ପୋଲିସ ବଳଓ ଜମ୍ମୁ-କାଶ୍ମୀର ପୋଲିସର ଯବାନମାନେ ମୁତୟନ ହୋଇଛନ୍ତି। ଦୁର୍ଗମ ଅଞ୍ଚଳରେ ସୁରକ୍ଷା ବାହିନୀର ନିରନ୍ତର ଉପସ୍ଥିତି ବଜାୟ ରଖିବା ଏବଂ ଆତଙ୍କବାଦୀଙ୍କ ପଳାୟନ ରାସ୍ତା ବନ୍ଦ କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ। ୨୦୨୫ ଏପ୍ରିଲରେ ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଏହି ନୂଆ ରଣନୀତି ଆରମ୍ଭ କରାଯାଇଥିଲା। ଏହା ଅଧୀନରେ ୨୦୨୫ ଜୁଲାଇରେ ଶ୍ରୀନଗରର ଫକିର ଗୁଜରି ଅଞ୍ଚଳରେ ପ୍ରଥମ ଅସ୍ଥାୟୀ ଅପରେଟିଂ ବେସ୍ ସ୍ଥାପନ କରାଯାଇଥିଲା। ପରବର୍ତ୍ତୀ ସମୟରେ ଅନ୍ୟ ସମ୍ବେଦନଶୀଳ ପାହାଡ଼ିଆ ଅଞ୍ଚଳରେ ମଧ୍ୟ ଏଭଳି ବେସ୍ ନିର୍ମାଣ କରାଯାଇଛି। ଗୁଇନ୍ଦା ଏଜେନ୍ସିଗୁଡ଼ିକର ସନ୍ଦେହ ଅନୁସାରେ, ଆତଙ୍କବାଦୀମାନେ ଘଞ୍ଚ ଜଙ୍ଗଲ, ପାହାଡ଼ିଆ ଗୁମ୍ଫା ଏବଂ ପାରମ୍ପରିକ ମାଟି ଓ ପଥରରେ ତିଆରି ଘରେ ଲୁଚି ରହିଛନ୍ତି। ଏହି ଘରଗୁଡ଼ିକୁ ସ୍ଥାନୀୟ ଭାଷାରେ ‘ଢୋକ୍’ କୁହାଯାଏ। ଗ୍ରୀଷ୍ମ ଋତୁରେ ମେଷପାଳକମାନେ ନିଜ ପଶୁଙ୍କ ସହ ରହିବା ପାଇଁ ଏହାକୁ ବ୍ୟବହାର କରିଥାନ୍ତି। ଆତଙ୍କବାଦୀମାନେ ସାଧାରଣ ମୋବାଇଲ୍ ଫୋନ୍ କିମ୍ବା ପାରମ୍ପରିକ ଯୋଗାଯୋଗ ମାଧ୍ୟମ ବ୍ୟବହାର କରୁନଥିବାରୁ ସେମାନଙ୍କୁ ଠାବ କରିବା ସୁରକ୍ଷା ବାହିନୀ ପାଇଁ କଷ୍ଟକର ହେଉଛି। ତେଣୁ ସ୍ଥାନୀୟ ଗୁଇନ୍ଦା ସୂଚନା ଓ ମୁଖବିରଙ୍କ ସହାୟତାରେ ତଲାସୀ ଅଭିଯାନ ଜାରି ରହିଛି।
ଏହି ଅଭିଯାନ ମଧ୍ୟରେ ଜମ୍ମୁ-କାଶ୍ମୀର ଉପତ୍ୟକାରେ ସ୍ଥାନୀୟ ଆତଙ୍କବାଦୀଙ୍କ ସଂଖ୍ୟା ଶୂନକୁ ଖସିଥିବା ସୁରକ୍ଷା ଏଜେନ୍ସିଗୁଡ଼ିକ ଦାବି କରିଛନ୍ତି। ନିକଟରେ ଲତିଫ୍ ନାମକ ଶେଷ ସ୍ଥାନୀୟ ଆତଙ୍କବାଦୀ ଏକ ଏନ୍‌କାଉଣ୍ଟରରେ ନିହତ ହେବା ପରେ କାଶ୍ମୀରରେ ଆତଙ୍କବାଦୀଙ୍କ ସଂଖ୍ୟା ଶୂନ ହୋଇଯାଇଛି।
ଗତ ଦୁଇ ବର୍ଷ ମଧ୍ୟରେ ପ୍ରାୟ ୬ ଜଣ ସ୍ଥାନୀୟ ଆତଙ୍କବାଦୀ ସୁରକ୍ଷା ବାହିନୀର ଅଭିଯାନରେ ନିହତ ହୋଇଛନ୍ତି। ଏଥିସହ ନୂଆ ଆତଙ୍କବାଦୀ ନିଯୁକ୍ତି ବା ଭର୍ତ୍ତି ପ୍ରକ୍ରିୟା ମଧ୍ୟ ବନ୍ଦ ହୋଇଥିବା କୁହାଯାଉଛି। ଏବେ ସୁରକ୍ଷା ଏଜେନ୍ସିଗୁଡ଼ିକର ମୁଖ୍ୟ ଚ୍ୟାଲେଞ୍ଜ ହେଉଛି ସୀମା ପାର୍ କରି ଆସିଥିବା ବିଦେଶୀ ଆତଙ୍କବାଦୀଙ୍କୁ ଠାବ କରିବା ଏବଂ ସେମାନଙ୍କ ସ୍ଥାନୀୟ ସହଯୋଗୀଙ୍କ ନେଟୱର୍କକୁ ଭାଙ୍ଗିବା। ଏଥିପାଇଁ ସେନା, ସିଆର୍‌ପିଏଫ୍ ଓ ଜମ୍ମୁ-କାଶ୍ମୀର ପୋଲିସ ମିଳିତ ଭାବେ ଅଭିଯାନ ଜାରି ରଖିଛନ୍ତି। ସୁରକ୍ଷା ଏଜେନ୍ସିଗୁଡ଼ିକ ଆତଙ୍କବାଦୀଙ୍କୁ ଆଶ୍ରୟ, ଖାଦ୍ୟ ଓ ଅନ୍ୟାନ୍ୟ ସହାୟତା ଯୋଗାଉଥିବା ସନ୍ଦିଗ୍ଧ ସ୍ଥାନୀୟ ସହଯୋଗୀ ଏବଂ ଓଭରଗ୍ରାଉଣ୍ଡ ୱାର୍କର୍ସଙ୍କ ଉପରେ ମଧ୍ୟ ନଜର ରଖିଛନ୍ତି। ଏହି ନେଟୱର୍କକୁ ଦୁର୍ବଳ କରିବା ସହ ସୀମାପାର ଅନୁପ୍ରବେଶ ରୋକିବା ଏବେ ସୁରକ୍ଷା ବାହିନୀର ପ୍ରମୁଖ ଲକ୍ଷ୍ୟ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)