ଗାଜାରେ ବନ୍ୟା ବିଭୀଷିକା

Nov 09, 2026 - 09:21
ଗାଜାରେ ବନ୍ୟା ବିଭୀଷିକା

ନନ୍ଦିଘୋଷ ବ୍ୟୁରୋ: ଗାଜାରେ ଯୁଦ୍ଧର ଯନ୍ତ୍ରଣା ଏବେ ଥମିନି, ତା’ ଉପରେ ଦାଉ ସାଧିଛି ପ୍ରକୃତିର କୋପ। ପ୍ରବଳ ବର୍ଷା ଓ ବନ୍ୟା ଯୋଗୁଁ ଦୁର୍ଦ୍ଦଶା ଭୋଗୁଛନ୍ତି ହଜାର ହଜାର ବିସ୍ଥାପିତ ପରିବାର। ଶୀତର ପ୍ରଥମ ପ୍ରବଳ ବର୍ଷାରେ ୭୦ ହଜାରରୁ ଅଧିକ ପରିବାରଙ୍କ ତମ୍ବୁ ବୁଡ଼ିଯାଇଛି କିମ୍ବା ନଷ୍ଟ ହୋଇଯାଇଛି। ମୁଣ୍ଡ ଉପରେ ଛାତ ନାହିଁ, ଚାରିଆଡ଼େ ପାଣି ଆଉ ହାଡ଼ଭଙ୍ଗା ଶୀତ। ଏଭଳି ସ୍ଥିତିରେ ଖୋଲା ଆକାଶ ତଳେ ଅସହାୟ ଜୀବନ କାଟୁଛନ୍ତି ହଜାର ହଜାର ପାଲେଷ୍ଟାଇନୀ।

ପ୍ରବଳ ପବନରେ ଅନେକ ତମ୍ବୁ ଉଡ଼ିଯାଇଥିବା ବେଳେ ବର୍ଷା ପାଣିରେ ବୁଡ଼ିଯାଇଛି ଶୋଇବା ବିଛଣା, ଶୀତବସ୍ତ୍ର ଓ ଜରୁରୀ ସାମଗ୍ରୀ। ଏପରିକି ବର୍ଷା ଓ ଝଡ଼ ଯୋଗୁଁ ଅନେକ କ୍ଷତିଗ୍ରସ୍ତ କୋଠାର କାନ୍ଥ ଭୁଶୁଡ଼ି ପଡ଼ିଛି। ଏଥିରେ ଅନେକ ଲୋକ ଆହତ ହୋଇଥିବା ଖବର ମିଳିଛି।

ଗାଜା ସିଭିଲ୍ ଡିଫେନ୍ସର ମୁଖପାତ୍ର ମହମୁଦ ବାସଲଙ୍କ କହିବା ଅନୁସାରେ, ଗୋଟିଏ ରାତିରେ ସହାୟତା ପାଇଁ ୧୫୦୦ରୁ ଅଧିକ ଫୋନ୍ କଲ୍ ଆସିଥିଲା। କିନ୍ତୁ ଆବଶ୍ୟକ ଉପକରଣ ଓ ସମ୍ବଳ ଅଭାବରୁ ଉଦ୍ଧାରକାରୀ ଦଳ ସବୁ ସ୍ଥାନରେ ପହଞ୍ଚିବା ସମ୍ଭବ ହୋଇପାରିନଥିଲା। ଏପରି ସ୍ଥିତିରେ ପିଲାଙ୍କ ପ୍ରଶ୍ନର ଉତ୍ତର ଦେଇପାରୁନାହାନ୍ତି ଅସହାୟ ମା’। ରାତିରେ କେଉଁଠି ଶୋଇବେ, କେମିତି ଶୀତରୁ ରକ୍ଷା ପାଇବେ, ତାହା ଏବେ ସବୁଠୁ ବଡ଼ ଚିନ୍ତା।

ଗାଜା ସହରରେ ମାତ୍ର ୧୨ ଘଣ୍ଟା ମଧ୍ୟରେ ୬୦ ମିଲିମିଟର ବର୍ଷା ହୋଇଛି। ଯାହା ବାର୍ଷିକ ବର୍ଷାର ପ୍ରାୟ ୧୫ ପ୍ରତିଶତ। ଏହି ବର୍ଷା ଯୋଗୁଁ ସହରର ୨୭୦ଟି ଶିବିର ଓ ଆଶ୍ରୟସ୍ଥଳ ବନ୍ୟା ବିପଦରେ ରହିଛି। ଯୁଦ୍ଧରେ ଜଳ ନିଷ୍କାସନ ବ୍ୟବସ୍ଥା ନଷ୍ଟ ହୋଇଯାଇଥିବାରୁ ଏବେ ଏହାର କ୍ଷମତା ମାତ୍ର ୨୦ ପ୍ରତିଶତକୁ ଖସିଆସିଛି। ଫଳରେ ତଳିଆ ଅଞ୍ଚଳରେ ରହୁଥିବା ଲୋକେ ସବୁଠୁ ଅଧିକ ବିପଦରେ ପଡ଼ିଛନ୍ତି।

କେବଳ ବନ୍ୟା ନୁହେଁ, ଏବେ ଗାଜାକୁ ଘାରିଛି ରୋଗ ବ୍ୟାପିବାର ଭୟ। ଦୂଷିତ ପାଣି, ଅତ୍ୟଧିକ ଥଣ୍ଡା ଓ ଭିଜା ପରିବେଶ ଯୋଗୁଁ ଶିଶୁ ଓ ବୟସ୍କଙ୍କ ସ୍ୱାସ୍ଥ୍ୟ ପ୍ରତି ବିପଦ ବଢ଼ିଛି। ଶୀତରୁ ରକ୍ଷା ପାଇଁ ଆବଶ୍ୟକ କମ୍ବଳ, ତମ୍ବୁ ଓ ଅନ୍ୟାନ୍ୟ ରିଲିଫ୍ ସାମଗ୍ରୀର ଘୋର ଅଭାବ ଦେଖାଦେଇଛି।

ଜାତିସଂଘର ରିଲିଫ୍ ଏଜେନ୍ସି UNRWA ରିପୋର୍ଟ ଅନୁସାରେ, ଗାଜାର ପ୍ରାୟ ୧୯ ଲକ୍ଷ ୮୦ ହଜାର ଲୋକଙ୍କୁ ଆଶ୍ରୟ ଓ ଜରୁରୀ ସାମଗ୍ରୀର ଆବଶ୍ୟକତା ରହିଛି। ସେହିପରି ଜାତିସଂଘର ମାନବିକ ସହାୟତା ସଂସ୍ଥା UNOCHA ମଧ୍ୟ ପୂର୍ବରୁ ସତର୍କ କରାଇଥିଲା ଯେ ପ୍ରାୟ ୯ ଲକ୍ଷ ୫୦ ହଜାର ପାଲେଷ୍ଟାଇନୀ ବନ୍ୟା ବିପଦ ଥିବା ବିସ୍ଥାପିତ ଶିବିରରେ ରହୁଛନ୍ତି।

ଅନ୍ୟପଟେ, ଗାଜାକୁ ଅସ୍ଥାୟୀ ଘର ଓ ଭାରୀ ଯନ୍ତ୍ରପାତି ଯୋଗାଣରେ ବାଧା ରହିଥିବା ଅଭିଯୋଗ ହୋଇଛି। ଯୁଦ୍ଧରେ ଧ୍ୱଂସ ହୋଇଥିବା ଘର ଓ ଭିତ୍ତିଭୂମିର ପୁନର୍ନିର୍ମାଣ ଏବେ ବି ଅଧାରେ ରହିଛି। ଗାଜା ପ୍ରଶାସନ ପକ୍ଷରୁ ସୀମା ଖୋଲି ରିଲିଫ୍ ସାମଗ୍ରୀ, ଶୀତକାଳୀନ ସହାୟତା ଓ ଭାରୀ ଯନ୍ତ୍ରପାତି ପହଞ୍ଚାଇବାକୁ ଦାବି କରାଯାଇଛି।

ଯୁଦ୍ଧରେ ସର୍ବସ୍ୱ ହରାଇଥିବା ଲୋକଙ୍କ ପାଇଁ ଏବେ ବନ୍ୟା ଓ ଶୀତ ଆଉ ଏକ ବଡ଼ ସଙ୍କଟ ହୋଇ ଠିଆ ହୋଇଛି। ଏପଟେ ଭଙ୍ଗା ଘର, ସେପଟେ ଭିଜା ତମ୍ବୁ। ଏଭଳି ପରିସ୍ଥିତିରେ ଗାଜାବାସୀଙ୍କ ଆଖିରେ ଏବେ କେବଳ ଗୋଟିଏ ପ୍ରଶ୍ନ—କେବେ ମିଳିବ ସୁରକ୍ଷିତ ଆଶ୍ରୟ ଓ ଟିକିଏ ଶାନ୍ତି?

 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)