ଶତ୍ରୁଙ୍କୁ ଘୃଣା କରେ, ମରିବା ପର୍ଯ୍ୟନ୍ତ କ୍ଷମା ମାଗିଲେ ବି ନାଁ : ଟ୍ରମ୍ପ
ନନ୍ଦିଘୋଷବ୍ୟୁର: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ନିଜର ବିବାଦୀୟ ମନ୍ତବ୍ୟକୁ ନେଇ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ଏକ ଲୋକପ୍ରିୟ ଗଣମାଧ୍ୟମ କାର୍ଯ୍ୟକ୍ରମର ‘୬୦ ମିନିଟ୍’ରେ ଏକ ସାକ୍ଷାତକାର ଦେଇ ଟ୍ରମ୍ପ ତାଙ୍କର ରାଜନୈତିକ ବିରୋଧୀମାନଙ୍କ ବିଷୟରେ କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ ସ୍ପଷ୍ଟ ଭାବରେ କହିଛନ୍ତି ଯେ, ସେ ତାଙ୍କର କିଛି ଶତ୍ରୁଙ୍କୁ ଜୀବନରେ କେବେବି କ୍ଷମା କରିବେ ନାହିଁ, ଏପରିକି ମୃତ୍ୟୁଶଯ୍ୟାରେ ଥାଇ ମଧ୍ୟ ସେମାନଙ୍କୁ କ୍ଷମା କରିବାର କୌଣସି ପ୍ରଶ୍ନ ଉଠୁନାହିଁ।
ଟ୍ରମ୍ପଙ୍କ ଟାର୍ଗେଟ୍ ?
ସାକ୍ଷାତକାର ସମୟରେ ଜଣେ ସାମ୍ବାଦିକ ତାଙ୍କୁ ପ୍ରଶ୍ନ କରିଥିଲେ ଯେ, ସେ ତାଙ୍କର ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀ—ଯେପରିକି ଏଫ୍ବିଆଇର ପୂର୍ବତନ ନିର୍ଦ୍ଦେଶକ ଜେମ୍ସ କୋମି ଏବଂ ନାନସି ପେଲୋସିଙ୍କୁ କ୍ଷମା କରିପାରିବେ କି? ଏପରିକି ମୃତ୍ୟୁ ପୂର୍ବରୁ ସେ ଏପରି କରିବେ କି ବୋଲି ପଚରାଯିବାରୁ ଟ୍ରମ୍ପ କଡ଼ା ଜବାବ ଦେଇଥିଲେ। ଟ୍ରମ୍ପ କହିଥିଲେ , “ମୁଁ ମୋ ଦେଶର ଲୋକମାନଙ୍କୁ ମୋ ଶତ୍ରୁମାନଙ୍କ ଅପେକ୍ଷା ଅଧିକ ଭଲ ପାଏ। କିଛି ଲୋକ ଅତ୍ୟନ୍ତ ବେଇମାନ ଏବଂ ଆମେରିକାର ବହୁତ କ୍ଷତି କରିଛନ୍ତି। ମୁଁ ମୋର କିଛି ଶତ୍ରୁଙ୍କୁ ଘୃଣା କରେ ଏବଂ ବୋଧହୁଏ ସବୁବେଳେ କରିବି। ମୃତ୍ୟୁ ପରେ ବି ମୁଁ ସେମାନଙ୍କୁ କ୍ଷମା କରିବି ନାହିଁ।”
ମୃତ୍ୟୁକୁ ନେଇ ଟ୍ରମ୍ପଙ୍କ ବଡ଼ ବୟାନ:
ସାକ୍ଷାତକାରରେ ଯେତେବେଳେ ତାଙ୍କୁ ପଚରାଗଲା ଯେ, ମୃତ୍ୟୁ ପରେ ତାଙ୍କ ସହିତ କ’ଣ ହେବ ଏବଂ ସେ ସ୍ୱର୍ଗକୁ ଯିବେ ବୋଲି ଭାବୁଛନ୍ତି କି? ଏହାର ଉତ୍ତରରେ ଟ୍ରମ୍ପ ଆତ୍ମବିଶ୍ୱାସର ସହିତ କହିଥିଲେ, “ମୁଁ ଜଣେ ଧାର୍ମିକ ବ୍ୟକ୍ତି ଏବଂ ନୀତିଗତ ଭାବରେ ବିଶ୍ୱାସ କରେ ଯେ, ମୁଁ ସ୍ୱର୍ଗକୁ ଯିବି।”
ଟ୍ରମ୍ପଙ୍କ ଏହି ମନ୍ତବ୍ୟ ପରେ ରାଜନୈତିକ କରିଡରରେ ହଇଚଳ ସୃଷ୍ଟି ହୋଇଛି। ତେବେ ଟ୍ରମ୍ପଙ୍କ ଦ୍ୱାରା ଇଙ୍ଗିତ କରାଯାଇଥିବା ପ୍ରମୁଖ ବ୍ୟକ୍ତିତ୍ୱମାନେ ହେଲେ:
- ଜେମ୍ସ କୋମି: ଆମେରିକା ଫେଡେରାଲ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ୍ର (FBI) ପୂର୍ବତନ ନିର୍ଦ୍ଦେଶକ, ଯେଉଁମାନେ ଟ୍ରମ୍ପ ଓ ରୁଷ ମଧ୍ୟରେ ସମ୍ପର୍କର ପ୍ରାରମ୍ଭିକ ତଦନ୍ତ କରିଥିଲେ।
- ଲେଟିଟିଆ ଜେମ୍ସ: ନ୍ୟୁୟର୍କର ପୂର୍ବତନ ଆଟର୍ଣ୍ଣି ଜେନେରାଲ, ଯାହାଙ୍କ କାର୍ଯ୍ୟାଳୟ ୨୦୨୨ରେ ଟ୍ରମ୍ପ ସଂଗଠନ ବିରୋଧରେ ଏକ ସିଭିଲ୍ ଠକେଇ ମାମଲା ଜିତିଥିଲା
- ଜନ୍ ବୋଲ୍ଟନ୍: ଟ୍ରମ୍ପଙ୍କ ପ୍ରଥମ କାର୍ଯ୍ୟକାଳରେ ଜାତୀୟ ସୁରକ୍ଷା ପରାମର୍ଶଦାତା ଥିଲେ, କିନ୍ତୁ ପରବର୍ତ୍ତୀ ସମୟରେ ମତଭେଦ ଯୋଗୁଁ ଟ୍ରମ୍ପଙ୍କ ପ୍ରମୁଖ ସମାଲୋଚକ ପାଲଟିଥିଲେ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
