କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ବୋମାରେ ଉଡ଼ାଇବା ଧମକ, ୨୦ ବର୍ଷୀୟ ଯୁବକ ଗିରଫ
ବେଙ୍ଗାଲୁରୁ: କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଡି.କେ. ଶିବକୁମାରଙ୍କ ବାସଭବନ ଏବଂ ବିଧାନସୌଧକୁ ବୋମାରେ ଉଡ଼ାଇଦେବା ଧମକ ଦେଇଥିବା ଜଣେ ୨୦ ବର୍ଷୀୟ ଯୁବକକୁ ଗିରଫ କରିଛି ପୋଲିସ। ଅଭିଯୁକ୍ତର ନାମ କାର୍ତ୍ତିକ ଆର୍। ସେ ବେଙ୍ଗାଲୁରୁର ବାଲାଜୀନଗର ଅଞ୍ଚଳର ବାସିନ୍ଦା। ନଭେମ୍ବର ୫ ତାରିଖରେ ସେ ଏହି ଧମକ ଦେଇଥିବା ପୋଲିସ କହିଛି। ଅଭିଯୁକ୍ତଙ୍କ ମାନସିକ ସ୍ଥିତି ଠିକ୍ ନଥିବା ମଧ୍ୟ ପୋଲିସ ସୂଚନା ଦେଇଛି।ପୋଲିସର ସୂଚନା ଅନୁଯାୟୀ, କାର୍ତ୍ତିକ ଏକ ଅନଲାଇନ୍ ଯାତ୍ରା ସେବା ଆପ୍ ମାଧ୍ୟମରେ ଅଟୋ ରିକ୍ସା ବୁକ୍ କରିଥିଲେ। ପ୍ୟାଲେସ୍ ନଗରରୁ ରାଜରାଜେଶ୍ୱରୀ ନଗରର କେଞ୍ଚନାହଲ୍ଲୀ ଯିବା ପାଇଁ ସେ ଅଟୋ ବୁକ୍ କରିଥିଲେ।ଏହାପରେ ୨୬ ବର୍ଷୀୟ ଅଟୋ ଚାଳକ ନିର୍ଦ୍ଧାରିତ ପିକ୍ଅପ୍ ସ୍ଥାନରେ ପହଞ୍ଚି ଗ୍ରାହକଙ୍କୁ ଫୋନ୍ କରିଥିଲେ। ସେ କେଉଁଠି ଅଛନ୍ତି ବୋଲି ପଚାରିବାରୁ କାର୍ତ୍ତିକ ନିଜକୁ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଭିତରେ ଥିବା କହିଥିଲେ। ଏଥିସହ ଗେଟ୍ ନିକଟରେ ଥିବା କାହାକୁ ଫୋନ୍ ଦେବାକୁ କହିଥିଲେ, ଯାହାଦ୍ୱାରା ସେ ଗାଡ଼ି ଚାଳକଙ୍କୁ ଠିକଣା ବୁଝାଇପାରିବେ। ଏହାପରେ ଅଟୋ ଚାଳକ ନିକଟରେ ଡ୍ୟୁଟିରେ ଥିବା ଜଣେ ପୋଲିସ ଅଧିକାରୀଙ୍କୁ ଫୋନ୍ ଦେଇଥିଲେ। ଫୋନ୍ରେ କଥା ହେବା ପରେ ପୋଲିସ ଅଧିକାରୀ ଅଟୋକୁ ଯାଞ୍ଚ କରିଥିଲେ। ଅଟୋ ଯାଞ୍ଚ କରିବାର କାରଣ ପଚାରିବାରୁ ପୋଲିସ ଅଧିକାରୀ ଚାଳକଙ୍କୁ କହିଥିଲେ ଯେ, ଫୋନ୍ କରିଥିବା ବ୍ୟକ୍ତି ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଏବଂ ବିଧାନସୌଧରେ ବୋମା ରଖାଯାଇଥିବା ଧମକ ଦେଇଛନ୍ତି। ଏପରିକି ମୁଖ୍ୟମନ୍ତ୍ରୀଙ୍କ କାରକେଡ୍ ଯିବା ସମୟରେ ବିସ୍ଫୋରଣ କରିବେ ବୋଲି ମଧ୍ୟ କହିଥିଲେ। ତେବେ ଅଟୋ ଚାଳକ ପୋଲିସକୁ କହିଥିଲେ ଯେ, ସେ କେବଳ ଆପ୍ ମାଧ୍ୟମରେ ବୁକିଂ ପାଇ ଗ୍ରାହକଙ୍କୁ ନେବାକୁ ଆସିଥିଲେ। ଫୋନ୍ କରିଥିବା ବ୍ୟକ୍ତିଙ୍କ ସହ ତାଙ୍କର କୌଣସି ପରିଚୟ ନାହିଁ। ଏହି ଘଟଣା ପରେ ଅଟୋ ଚାଳକ ନଭେମ୍ବର ୭ ତାରିଖରେ ସଦାଶିବନଗର ଥାନାରେ ଅଭିଯୋଗ ଦାଖଲ କରିଥିଲେ। ତାଙ୍କ ଅଭିଯୋଗ ଆଧାରରେ ପୋଲିସ ମାମଲା ରୁଜୁ କରି କାର୍ତ୍ତିକଙ୍କୁ ଗିରଫ କରିଥିଲା। ଭାରତୀୟ ନ୍ୟାୟ ସଂହିତା (ବିଏନ୍ଏସ୍) ଧାରା ୩୫୧(୪) ଏବଂ ୩୫୩(୧)(ଖ) ଅନୁଯାୟୀ ଅଭିଯୁକ୍ତଙ୍କ ବିରୋଧରେ ଅପରାଧିକ ଧମକ ଏବଂ ସାଧାରଣ ଶାନ୍ତି ଭଙ୍ଗ କରିବା ଭଳି ଅଭିଯୋଗରେ ମାମଲା ରୁଜୁ ହୋଇଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
