୮ଶହ ଛାତ୍ରଛାତ୍ରୀରୁ ଏବେ ପଢୁଛନ୍ତି ମାତ୍ର ୩୮; ଇତିହାସ ହୋଇଯିବ ୧୭୦ ବର୍ଷ ପୁରୁଣା ସରକାରୀ ଅଭ୍ୟାସ ସ୍କୁଲ

Jun 26, 2026 - 12:59
୮ଶହ ଛାତ୍ରଛାତ୍ରୀରୁ ଏବେ ପଢୁଛନ୍ତି ମାତ୍ର ୩୮; ଇତିହାସ ହୋଇଯିବ ୧୭୦ ବର୍ଷ ପୁରୁଣା ସରକାରୀ ଅଭ୍ୟାସ ସ୍କୁଲ

ଭଞ୍ଜନଗର, ୨୬/୦୬ (ଲୋକନାଥ କର): ଇଂରେଜ ଶାସନ ଅମଳର ସ୍କୁଲ୍‌ଟିଏ । ୧୮୫୬ ମସିହାରେ ତତ୍କାଳୀନ ରସଲକୁଣ୍ଡା (ବର୍ତ୍ତମାନର ଭଞ୍ଜନଗର)ରେ ପ୍ରତିଷ୍ଠା ହୋଇଥିଲା ସରକାରୀ ଅଭ୍ୟାସ ଉଚ୍ଚ ମୌଳିକ ବିଦ୍ୟାଳୟ । ସହରର ରେଡ୍‌କ୍ରସ ରୋଡ୍‌ ଗାନ୍ଧୀ କୈଳାସ ପାହାଡ଼ର ପାଦଦେଶରେ ଖୋଲିଥିଲା ଏହି ବିଦ୍ୟାଳୟ । ଏଠାରେ ପିଲାଙ୍କୁ ଶିକ୍ଷାଦାନ ସାଙ୍ଗକୁ ସେମାନଙ୍କୁ କୁଶଳୀ କରିବା ପାଇଁ ଅନ୍ୟ ମୌଳିକ ଶିକ୍ଷା ଦିଆଯାଉଥିଲା । ଟୁକୁରା କାଗଜରୁ କାଗଜ ମଣ୍ଡ କରି ପୁନଃ କାଗଜ ପ୍ରସ୍ତୁତି, ତୁଳା ଭିଣା, ସୂତା କାଟିବା, ଲୁଗା ବୁଣିବା ଆଦି ବିଭିନ୍ନ ପ୍ରକାର ହସ୍ତଶିଳ୍ପ ଓ କୁଟୀର ଶିଳ୍ପ ତାଲିମ ଦିଆଯାଉଥିଲା । ଏଥିପାଇଁ ଅନେକ ଭୋକେସ୍‌ନାଲ୍‌ ଶିକ୍ଷକ ନିଯୁକ୍ତ ହୋଇଥିଲେ । ଗୁଣାତ୍ମକ ଶିକ୍ଷାଦାନ ପାଇଁ ବହୁ ବିଦ୍ୟାର୍ଥୀ ଏଠାକୁ ପଢ଼ିବାକୁ ଆସୁଥିଲେ ।

ଏକଦା ପ୍ରଥମ ଶ୍ରେଣୀଠାରୁ ଅଷ୍ଟମ ଶ୍ରେଣୀ ଯାଏଁ ପାଖାପାଖି ୮ ଶହ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିଲେ । ଗାନ୍ଧୀଜୀଙ୍କ ଆଦର୍ଶ ଓ ଶିକ୍ଷା ନୀତି ଉପରେ ପିଲାଙ୍କୁ ଏଠାରେ ଶିକ୍ଷା ଦିଆଯାଉଥିଲା । କହିବାକୁ ଗଲେ, ଏହି ସ୍କୁଲ୍‌ ସେତେବେଳେ ଏକ ମଣିଷ ତିଆରି କାରଖାନା ଥିଲା । କାଳକ୍ରମେ ଏହି ସ୍କୁଲ୍‌ ଶ୍ରୀହୀନ ହେବାରେ ଲାଗିଛି । ପୂର୍ବ ପରି ଏଠାରେ ପିଲାମାନେ ଆଉ ପଢ଼ିବାକୁ ଆଗ୍ରହ ପ୍ରକାଶ କରୁନାହାନ୍ତି । ଅତୀତର ମୂକ ସାକ୍ଷୀ ଏହି ସ୍କୁଲ୍‌ ଏବେ ଇତିହାସ ପାଲଟିବାକୁ ଯାଉଛି । ଏବେ ଶିଶୁ ବାଟିକାଠାରୁ ଅଷ୍ଟମ ଶ୍ରେଣୀ ଯାଏଁ ଏହି ସ୍କୁଲ୍‌ରେ ମାତ୍ର ୩୮ ଜଣ ପିଲା ପଢ଼ୁଛନ୍ତି ।

ଶିଶୁ ବାଟିକା ଓ ପ୍ରଥମ ଶ୍ରେଣୀରେ ଜଣେ ଲେଖାଏଁ ପିଲା ଅଧ୍ୟୟନ କରୁଥିବାବେଳେ ଦ୍ୱିତୀୟ ଓ ତୃତୀୟ ଶ୍ରେଣୀରେ କେହି ନାହାନ୍ତି । ଚତୁର୍ଥ ଶ୍ରେଣୀରେ ୪ ଜଣ, ପଞ୍ଚମ ଶ୍ରେଣୀରେ ୧୦ ଜଣ, ଷଷ୍ଠରେ ୧୪ ଜଣ, ସପ୍ତମରେ ୬ ଜଣ ଓ ଅଷ୍ଟମରେ ମାତ୍ର ୨ ଛାତ୍ରଛାତ୍ରୀ ଥିବା ପ୍ରଧାନ ଶିକ୍ଷକ ବାବୁଲି ପ୍ରଧାନ ସୂଚନା ଦେଇଛନ୍ତି । ଏହି ସ୍କୁଲ୍‌ରେ ପାଠ ପଢ଼ିବାକୁ ବିଦ୍ୟାର୍ଥୀଙ୍କ ଅନାଗ୍ରହର ଅନେକ କାରଣ ରହିଛି । ପୂର୍ବ ପରି ଏଠାରେ ମୌଳିକ ଶିକ୍ଷା ଦିଆଯାଉ ନାହିଁ । ମଣିଷ ତିଆରି କରୁଥିବା ପୂର୍ବର ସେଭଳି ଗୁରୁଙ୍କୁ ଏଠାରେ ନିଯୁକ୍ତି ଦିଆଯାଉ ନାହିଁ । ତା’ଛଡ଼ା ବିଭିନ୍ନ ବେସରକାରୀ ସ୍କୁଲ୍‌ ଖୋଲିଲାଣି । ଏଥିଯୋଗୁ ପିଲାଙ୍କ ଉତ୍ତମ ଭବିଷ୍ୟତ ଗଢ଼ିବା ଲାଗି ଅଭିଭାବକମାନେ ପିଲାମାନଙ୍କୁ ବେସରକାରୀ ସ୍କୁଲ୍‌ରେ ନାମ ଲେଖାଇବାକୁ ଅଧିକ ପସନ୍ଦ କରୁଛନ୍ତି । ସ୍କୁଲ୍‌ର ଭିତ୍ତିଭୂମି ମଧ୍ୟ ନଷ୍ଟ ହୋଇଗଲାଣି । ତେଣୁ ପିଏମ୍‌ ଶ୍ରୀ ଯୋଜନାରେ ସାମିଲ କରି ସରକାରୀ ପ୍ରୋତ୍ସାହନ ଯୋଗାଇ ଦିଆଗଲେ ସ୍କୁଲ୍‌ର ଶୈକ୍ଷିକ ବାତାବରଣ ପୁଣି ଫେରି ଆସିପାରିବ ବୋଲି ଅନେକ ଶିକ୍ଷାବିତ୍‌ ମତ ଦେଇଛନ୍ତି । ଅବସରପ୍ରାପ୍ତ ଶିକ୍ଷକ କାଳୀଚରଣ ପାତ୍ର ସ୍ମୃତିଚାରଣ କରି କହିଛନ୍ତି, ଏହି ସାହିର ଦୟାନିଧି ମହାରଣା ବିଦ୍ୟାଳୟରେ ଥିବା ପଥର କୂଅରୁ ନିଜସ୍ୱ ଜ୍ଞାନକୌଶଳରେ ପାଣି ଉପରକୁ ଉଠାଉଥିଲେ । କୂଅ ଭିତରେ ଏକ ଲୁହା ପ୍ଲେଟ୍‌ ରଖି ତାକୁ ଏକ ରଡ୍‌ ସହ ଉପରକୁ ଆଣି ତା’ ଦେହରେ ପୁଲି ଖଞ୍ଜି ଦେଇଥିଲେ । ଆଉ ଏହି ପୁଲିକୁ ଘୂରାଇଲେ କୂଅରୁ ପାଣି ଉପରକୁ ଉଠି ନିକଟରେ ଥିବା ଏକ ବଡ଼ ପାଣି କୁଣ୍ଡରେ ରଖାଯାଉଥିଲା । ଯାହା ପରିବା ଚାଷରେ ବ୍ୟବହାର ହେଉଥିଲା ।

ଜଣେ ପୂର୍ବତନ ଛାତ୍ର ସାହିତ୍ୟିକ ପ୍ରଶାନ୍ତ ମହାନ୍ତି କହନ୍ତି ଯେ, ଶିକ୍ଷକମାନେ ଖଦଡ଼ ପିନ୍ଧୁଥିଲେ । ପିଲାଙ୍କୁ ମଧ୍ୟ ସୂତା କାଟି ଲୁଗା ବୁଣି ଏଥିରେ ପୋଷାକ ପ୍ରସ୍ତୁତ କରି ପିନ୍ଧିବାକୁ ଶିକ୍ଷା ଦିଆଯାଉଥିଲା । ସହରର ଶିକ୍ଷକ ତାଲିମ୍‌ ପ୍ରତିଷ୍ଠାନର ବିଦ୍ୟାର୍ଥୀଙ୍କ ପାଇଁ ଏହି ଅନୁଷ୍ଠାନ ଥିଲା ଏକ ପ୍ରୟୋଗଶାଳା । ଏଠାରେ ଖେଳକୁଦଠାରୁ ଆରମ୍ଭ କରି ନାଟକ ପରିବେଷଣ ଭଳି ମନୋରଞ୍ଜନ କାର୍ଯ୍ୟକ୍ରମ ମଧ୍ୟ ହେଉଥିଲା । ଅନେକ ଉପକରଣ ଭାଙ୍ଗିରୁଜି ଯାଇଛି । ଅଧିକାଂଶ ଶ୍ରେଣୀ ଏବେ ଅବ୍ୟବହୃତ । ମାତ୍ର ୨ଟି କକ୍ଷରେ ଶିଶୁ ବାଟିକାଠାରୁ ଅଷ୍ଟମ ଶ୍ରେଣୀ ଯାଏଁ ଦୁଇ ଭାଗରେ ବିଭକ୍ତ ହୋଇ ପାଠ ପଢ଼ୁଛନ୍ତି । ୪ ଶିକ୍ଷକ ଶିକ୍ଷୟିତ୍ରୀ ନିଯୁକ୍ତ ଥିବାବେଳେ ଜଣେ ସିଆର୍‌ସିସି ଦାୟିତ୍ୱରେ ବାହାରେ ରହୁଛନ୍ତି । ପ୍ରଧାନ ଶିକ୍ଷକଙ୍କୁ ମିଶାଇ ଆଉ ୨ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଅଛନ୍ତି । ଯେଉଁଠି ଦିନେ ପିଲାଙ୍କ ଉଦ୍ୟମରେ ସବୁଜ ପନିପରିବାର କିଆରି ହସି ଉଠୁଥିଲା ଏବେ ସେଇଠି ଅନାବନା ଗଛ ଉଠି ଜଙ୍ଗଲର ଭ୍ରମ ସୃଷ୍ଟି କରୁଛି । ୧୭୦ ବର୍ଷର ଇତିହାସର ମୂକ ସାକ୍ଷୀ ଏହି ଶିକ୍ଷାନୁଷ୍ଠାନକୁ ପୁନଃ ଜୀବନ୍ୟାସ ଦେବା ଜରୁରି ହୋଇପଡ଼ିଛି । ସରକାର ପିଏମ୍‌ ଶ୍ରୀ ବିଦ୍ୟାଳୟ ଭାବେ ସହରର ବହୁ ପ୍ରମୁଖ ବିଦ୍ୟାଳୟକୁ ରୂପାନ୍ତରିତ କରିଛନ୍ତି । ସେହି ବିଦ୍ୟାଳୟର ସୁବିଧା ଏବେ ଆମ ସ୍କୁଲରେ ନାହିଁ ବୋଲି କହନ୍ତି ପ୍ରଧାନ ଶିକ୍ଷକ । ଏନେଇ ବିଇଓ ଲୋପାମୁଦ୍ରା ରଥଙ୍କ ପ୍ରତିକ୍ରିୟା ପଚାରିବାରେ କହିଛନ୍ତି, ବିଦ୍ୟାଳୟର ଏଭଳି ସ୍ୱର୍ଣ୍ଣାଭ ଅତୀତ ରହିଛି ବୋଲି ଜାଣି ନ ଥିଲି । ଏଠାରେ ପୂର୍ବଭଳି ଯେପରି ଅଧିକ ସଂଖ୍ୟକ ଛାତ୍ରଛାତ୍ରୀ ଅଧ୍ୟୟନ କରିବେ ସେ ଦିଗରେ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିବେ ବୋଲି କହିଛନ୍ତି  ।

ଅଧିକ ପଢନ୍ତୁ- Dharmendra Pradhan: ଓଡ଼ିଶାରୁ ନୂଆଦିଲ୍ଲୀ କର୍ମ ଏବଂ କର୍ତ୍ତବ୍ୟର ବିଜୟ ଯାତ୍ରା; ୫୭ତମ ଜନ୍ମଦିନରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଶୁଭେଚ୍ଛା