ରାମ ମନ୍ଦିର ଚାନ୍ଦା ଚୋରି ମାମଲାରେ ଗର୍ଜିଲେ ଯୋଗୀ, କହିଲେ 'ଜନତାଙ୍କ ଆସ୍ଥା ସହ ଖେଳୁଥିବା ଲୋକଙ୍କୁ ଛଡ଼ାଯିବନି'

Jun 26, 2026 - 12:59
ରାମ ମନ୍ଦିର ଚାନ୍ଦା ଚୋରି ମାମଲାରେ ଗର୍ଜିଲେ ଯୋଗୀ, କହିଲେ 'ଜନତାଙ୍କ ଆସ୍ଥା ସହ ଖେଳୁଥିବା ଲୋକଙ୍କୁ ଛଡ଼ାଯିବନି'

ଅଯୋଧ୍ୟା, ୨୬।୬: ଅଯୋଧ୍ୟା ରାମଲଲା ମନ୍ଦିର ଚାନ୍ଦା ଚୋରି ମାମଲାରେ ଏବେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବଡ଼ ବୟାନ ଦେଇଛନ୍ତି । ଚାନ୍ଦା ଚୋରିରେ ସାମିଲ ଥିବା ସମସ୍ତ ଅଭିଯୁକ୍ତଙ୍କୁ ଚେତାବନୀ ଦେଇ ସେ କହିଛନ୍ତି ଯେ, ଜନତାଙ୍କ ଆସ୍ଥା ସହିତ ଖେଳୁଥିବା ଲୋକଙ୍କୁ କୌଣସି ପରିସ୍ଥିତିରେ ବି ଛଡ଼ାଯିବନି । ଏଥିସହ ଅଯୋଧ୍ୟା ଉପରେ ଆକ୍ଷେପ ନକରିବାକୁ ସେ ବିରୋଧୀଙ୍କୁ ଚେତାବନୀ ଦେଇଛନ୍ତି । ଏସଆଇଟି ରିପୋର୍ଟ ଆସିବା ମାତ୍ରେ ହିଁ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ଏବଂ ଯେଉଁମାନେ ଏହାକୁ ନେଇ ପ୍ରଶ୍ନ ଉଠାଉଛନ୍ତି ସେମାନଙ୍କ ମନସ୍କାମନା ଠିକ୍ ନୁହେଁ ବୋଲି ଯୋଗୀ କହିଛନ୍ତି । ଶୁକ୍ରବାର ୟୁପିର ଦେବରିଆଠାରେ ଏକ ଜନସଭାକୁ ସମ୍ବୋଧିତ କରି ସିଏମ୍ ଯୋଗୀ ଅଯୋଧ୍ୟାରେ ହୋଇଥିବା ଚାନ୍ଦା ଚୋରି ଘଟଣାରେ କଡ଼ା ଆକ୍ସନ ନିଆଯାଉଥିବା କଥା କହିଛନ୍ତି ।

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି, "ମୁଁ ଗତ ଜୁନ୍ ୧୯ରେ ଅଯୋଧ୍ୟା ଯାଇଥିଲି ଏବଂ ସେତେବେଳେ ବି କହିଥିଲି ଯେ ଅଯୋଧ୍ୟା ହେଉଛି ଭାରତର ସନାତନ ଧର୍ମ ଓ କୋଟି କୋଟି ଲୋକଙ୍କ ଆସ୍ଥାର ପ୍ରତୀକ । ଅଯୋଧ୍ୟା ଉପରେ ଆକ୍ଷେପ କରନ୍ତୁ ନାହିଁ ଏବଂ ପ୍ରଭୁ ଶ୍ରୀରାମଙ୍କ ମର୍ଯ୍ୟାଦା ରକ୍ଷା କରିବା ଶିଖନ୍ତୁ । ଅଯୋଧ୍ୟାରେ ଅନିୟମିତତା ନେଇ ସୂଚନା ମିଳିବା ମାତ୍ରେ ହିଁ ଏସଆଇଟି ଗଠନ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ରିପୋର୍ଟ ଆସିବା କ୍ଷଣି କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି । ଖୁବ୍‌ ଶୀଘ୍ର ସବୁ ସତ ସାମ୍ନାକୁ ଆସିବ ବୋଲି ସେ ଜନସାଧାରଣଙ୍କୁ ଆଶ୍ୱାସନା ଦେଇଛନ୍ତି । ସନାତନ ଆସ୍ଥା ସହିତ ଯିଏ ବି ଖେଳିବ, ତାକୁ ଏହାର ପରିଣାମ ଭୋଗିବାକୁ ପଡ଼ିବ । ଏଥିରେ କାହାକୁ କୋହଳ କରାଯିବ ନାହିଁ ।"

ଏହା ବି ପଢ଼ନ୍ତୁ... ​​​​​​​Ram Mandir Donation Theft : ଅଯୋଧ୍ୟା ଦାନ ଚୋରି ମାମଲା : ୮ ଲୋକଙ୍କ ବିରୋଧରେ FIR,  ଅନୁକଳ୍ପ –ଲବକୁଶ ଗିରଫ

ସମାଜବାଦୀ ପାର୍ଟି ଓ କଂଗ୍ରେସ ଉପରେ ବର୍ଷିଲେ ଯୋଗୀ:

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବିରୋଧୀ ଦଳ କଂଗ୍ରେସ ଏବଂ ସମାଜବାଦୀ ପାର୍ଟିକୁ ତୀବ୍ର ସମାଲୋଚନା କରିଛନ୍ତି । ସେ କହିଛନ୍ତି, "ଆଜି ଯେଉଁମାନେ ଅଯୋଧ୍ୟା ଉପରେ ଆରୋପ ଲଗାଉଛନ୍ତି, ସେମାନଙ୍କର ଉଦ୍ଦେଶ୍ୟ ଆଦୌ ଭଲ ନୁହେଁ । ଏମାନେ ସେହି ଲୋକ ଯେଉଁମାନେ ଦିନେ ଭଗବାନ ରାମଙ୍କ ଅସ୍ତିତ୍ୱ ଉପରେ ପ୍ରଶ୍ନ ଉଠାଉଥିଲେ ଏବଂ ତାଙ୍କୁ ସ୍ୱୀକାର କରୁନଥିଲେ । ଗୋଟିଏ ପକ୍ଷ କୋର୍ଟରେ ରାମ ଜନ୍ମଭୂମି ଆନ୍ଦୋଳନ ବିରୋଧରେ ଆଇନଜୀବୀ ଛିଡ଼ା କରୁଥିଲେ, ତ ଅନ୍ୟ ପକ୍ଷଟି 'ଜୟ ଶ୍ରୀରାମ' କହିବା ଲୋକଙ୍କ ଉପରେ ଲାଠିମାଡ଼ ଓ ଗୁଳି ଚଳାଉଥିଲେ ।" ଯୋଗୀ ଆହୁରି କହିଛନ୍ତି ଯେ, ଯେଉଁମାନେ ପୂର୍ବରୁ ରାମନବମୀରେ ଦଙ୍ଗା କରାଉଥିଲେ, ଶ୍ରୀକୃଷ୍ଣ ଜନ୍ମୋତ୍ସବ ଉପରେ ବ୍ୟାନ୍ ଲଗାଉଥିଲେ, କାଉଡ଼ି ଯାତ୍ରା ବନ୍ଦ କରୁଥିଲେ ଏବଂ ଦୁର୍ଗାପୂଜାରେ ଗଣ୍ଡଗୋଳ କରାଉଥିଲେ, ସେମାନେ ଆଜି ଆମକୁ ଆସ୍ଥାର ପାଠ ପଢ଼ାଉଛନ୍ତି, ଯାହା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ।