ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଆମାଜନ ସିଇଓ; ଭାରତରେ ହେବ ୪.୫୦ ଲକ୍ଷ କୋଟିର ମେଗା ନିବେଶ, ସୃଷ୍ଟି ହେବ ୩୮ ଲକ୍ଷ ଚାକିରି !

Jun 26, 2026 - 10:53
ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଆମାଜନ ସିଇଓ; ଭାରତରେ ହେବ ୪.୫୦ ଲକ୍ଷ କୋଟିର ମେଗା ନିବେଶ, ସୃଷ୍ଟି ହେବ ୩୮ ଲକ୍ଷ ଚାକିରି !

ନୂଆଦିଲ୍ଲୀ, ୨୬।୬: ଇ-କମର୍ସ କମ୍ପାନି ଆମାଜନ ୨୦୨୬ରୁ ୨୦୩୦ ମଧ୍ୟରେ ଭାରତରେ ମୋଟ୍ ୪୮ ବିଲିୟନ ଡଲାର ବା ପାଖାପାଖି ୪.୫୦ ଲକ୍ଷ କୋଟି ଟଙ୍କା ନିବେଶ କରିବ । ବ୍ୟବସାୟ ସମ୍ପ୍ରସାରଣ କ୍ଷେତ୍ରରେ ଏହି ରାଶି ବ୍ୟବହାର ହେବ । ଏହା ମାଧ୍ୟମରେ ସୃଷ୍ଟି ହେବ ଲକ୍ଷ ଲକ୍ଷ ନିଯୁକ୍ତି । କମ୍ପାନି ସିଇଓ ଏଣ୍ଡି ଜେସୀ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବା ପରେ ଏହି ଘୋଷଣା କରିଛି କମ୍ପାନି । ଜେସୀ ଭାରତ ପାଇଁ କମ୍ପାନିର ପ୍ରତିବଦ୍ଧତାକୁ ଦୋହରାଇଛନ୍ତି । ଦେଶରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ଏବଂ କ୍ଲାଉଡ୍‌ ଭିତ୍ତିଭୂମିର ସମ୍ପ୍ରସାରଣ ପାଇଁ ବର୍ଷ ୨୦୩୦ ସୁଦ୍ଧା ଅତିରିକ୍ତ ୧୩ ବିଲିୟନ ଡଲାର ନିବେଶ ଘୋଷଣା କରିଛନ୍ତି ଜେସୀ । ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ‘ଏକ୍ସ’ ରେ ଆମାଜନ ସିଇଓ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ସାକ୍ଷାତ୍‌କାରର ଫୋଟୋ ପୋଷ୍ଟ କରି ଲେଖିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଆମାଜନର ଭାରତରେ ଭବିଷ୍ୟତ ଯୋଜନାକୁ ନେଇ ଏହି ଆଲୋଚନା ଅତ୍ୟନ୍ତ ଫଳପ୍ରଦ ରହିଥିଲା । ଆମେ ଏକ ଦଶକରୁ ଅଧିକ ସମୟ ପୂର୍ବରୁ ଭାରତରେ ପାଦ ରଖିଥିଲୁ । ସେବେଠାରୁ ବିଭିନ୍ନ ବ୍ୟବସାୟ ଜରିଆରେ ଗ୍ରାହକ, ବିକ୍ରେତା, ଡେଭଲପର୍ସ, ଷ୍ଟାର୍ଟଅପ୍‌ ଏବଂ ବଡ଼ ଉଦ୍ୟୋଗଗୁଡ଼ିକୁ ସେବା ପ୍ରଦାନ କରୁଛୁ । ଭାରତରେ ଆମକୁ ଇ-କମର୍ସ, ଏଆଇ ଏବଂ କ୍ଲାଉଡ୍‌ ବ୍ୟବସାୟରେ ମଜଭୁତ ଅଭିବୃଦ୍ଧି ମିଳିଛି ।

ସେ ଆହୁରି କହିଲେ ଯେ, ଭାରତରେ ସମ୍ପ୍ରସାରଣ ସହିତ ଆମର ବ୍ୟବସାୟିକ ପ୍ରାଥମିକତା ଭାରତର ପ୍ରାଥମିକତା ସହ ଯୋଡ଼ି ହୋଇଛି । ଏଥିରେ ସମସ୍ତଙ୍କ ପର୍ଯ୍ୟନ୍ତ ଏଆଇକୁ ପହଞ୍ଚାଇବା, କ୍ଷୁଦ୍ର ବ୍ୟବସାୟଗୁଡ଼ିକର ଡିଜିଟାଲିକରଣ, ରୋଜଗାର ସୃଷ୍ଟି ଏବଂ ରପ୍ତାନିକୁ ସକ୍ଷମ କରିବା ଆଦି ଅନ୍ତର୍ଭୁକ୍ତ । ଜେସୀ କହିଲେ ଯେ, ଆମାଜନ ଆଗାମୀ ୫ ବର୍ଷରେ ଭାରତରେ ୪୮ ବିଲିୟନ ଡଲାର ନିବେଶ କରିବ, ଯେଉଁଥିରେ ୨୧ ବିଲିୟନ ଡଲାରରୁ ଅଧିକ ବା ୧.୭୫ ଲକ୍ଷ କୋଟି ଟଙ୍କା ନିବେଶ ଏଆଇ ଏବଂ କ୍ଲାଉଡ୍‌ ଭିତ୍ତିଭୂମିରେ କରାଯିବ । ବର୍ଷ ୨୦୩୦ ସୁଦ୍ଧା ଆମାଜନର ଯୋଜନା ହେଉଛି ଦେଶରେ ୩୮ ଲକ୍ଷ ନିଯୁକ୍ତି ଉପଲବ୍ଧ କରିବା, ୮୦ ବିଲିୟନ ଡଲାରର ଇ-କମର୍ସ ରପ୍ତାନିକୁ ସକ୍ଷମ କରିବା ଏବଂ ୧.୫ କୋଟି କ୍ଷୁଦ୍ର ବ୍ୟବସାୟ ତଥା ୪୦ ଲକ୍ଷ ସରକାରୀ ସ୍କୁଲ ଛାତ୍ରଛାତ୍ରୀଙ୍କ ପର୍ଯ୍ୟନ୍ତ ଏଆଇର ଲାଭକୁ ପହଞ୍ଚାଇବା । ଆମାଜନ୍‌ର ୱେବ୍‌ସାଇଟ୍‌ରେ ଦିଆଯାଇଥିବା ତଥ୍ୟ ମୁତାବକ, ଏହି ନୂଆ ନିବେଶ ସହ ୨୦୨୬ରୁ ୨୦୩୦ ମଧ୍ୟରେ ଭାରତରେ ଏଆଇ ଏବଂ କ୍ଲାଉଡ୍‌ ଭିତ୍ତିଭୂମିର ସମ୍ପ୍ରସାରଣ ପାଇଁ ଆମାଜନ୍‌ର ମୋଟ ନିୟୋଜିତ ନିବେଶ ୨୧ ବିଲିୟନ ଡଲାରରୁ ଅଧିକ ହୋଇଯିବ । କମ୍ପାନି ଅନୁସାରେ, ଏହା ଭାରତରେ ଏଆଇ ଏବଂ କ୍ଲାଉଡ୍‌ କ୍ଷେତ୍ରରେ ବଡ଼ ବିଦେଶୀ ନିବେଶ ମଧ୍ୟରୁ ଅନ୍ୟତମ । ଆମାଜନ ୱେବ୍‌ ସର୍ଭିସେସ୍‌ (ଏଡବ୍ଲ୍ୟୁଏସ୍‌)ର ଡାଟା ସେଣ୍ଟର ନେଟ୍‌ୱର୍କକୁ ମୁମ୍ବାଇ ଏବଂ ହାଇଦ୍ରାବାଦରେ ବିସ୍ତାର କରାଯିବ । ଏହାଦ୍ୱାରା ଷ୍ଟାର୍ଟଅପ୍‌, ବଡ଼ ଉଦ୍ୟୋଗ ଏବଂ ସରକାରୀ ସଂସ୍ଥାନଗୁଡ଼ିକୁ ଏଆଇ ଚିପ୍ସ, ପ୍ରବନ୍ଧିତ ଏଆଇ ସେବା, ସୁରକ୍ଷିତ କ୍ଲାଉଡ୍‌ ପ୍ରଯୁକ୍ତି ଏବଂ ଡେଭଲପର ଟୁଲ୍‌କୁ ପହଞ୍ଚ ବଢ଼ିବ ।

ଏହା ବି ପଢ଼ନ୍ତୁ... ଅନଲାଇନ୍ ଫ୍ରଡ୍‌ର ଶିକାର ହେଲେ ମିଳିବ ୨୫ ହଜାର ଟଙ୍କାର କ୍ଷତିପୂରଣ, ଜାଣନ୍ତୁ କେବେଠୁ RBI ଆରମ୍ଭ କରିବ ଏହି ସୁବିଧା ?

୨୦୧୦ରୁ ୨୦୩୦ ମଧ୍ୟରେ ଭାରତରେ ଆମାଜନର ମୋଟ ନିବେଶ ୮୮ ବିଲିୟନ ଡଲାର ଅର୍ଥାତ୍‌ ପାଖାପାଖି ୮.୩୧ ଲକ୍ଷ କୋଟି ଟଙ୍କାରୁ ଅଧିକ ହୋଇଯିବ ବୋଲି କମ୍ପାନି ସୂଚନା ଦେଇଛି । ଆମାଜନ ଏ ବର୍ଷ ଦେଶବ୍ୟାପୀ ୨୦ରୁ ଅଧିକ ନୂଆ ଫୁଲ୍‌ଫିଲ୍‌ମେଣ୍ଟ ସେଣ୍ଟର ଏବଂ ୧୦୦ରୁ ଅଧିକ ନୂଆ ଲାଷ୍ଟ ମାଇଲ୍‌ ଡେଲିଭରୀ ଷ୍ଟେସନ୍‌ ଆରମ୍ଭ କରିବାର ଯୋଜନା ପ୍ରସ୍ତୁତ କରିଛି । ଏହାଦ୍ୱାରା ବିଶେଷରୂପେ ଟିୟର-୩ ଏବଂ ଟିୟର-୪ ସହରରେ ଗ୍ରାହକଙ୍କୁ ଦ୍ରୁତ ଏବଂ ଭରସାଯୋଗ୍ୟ ଡେଲିଭରୀ ସୁବିଧା ମିଳିବ । ଏହି ନୂଆ ନିବେଶ ସହ କମ୍ପାନି ଭାରାତରେ ଏଆଇ ଏବଂ କ୍ଲାଉଡ୍‌ ଭିତ୍ତିଭୂମି କ୍ଷେତ୍ରରେ ସର୍ବବୃହତ୍‌ ନିବେଶକ ମଧ୍ୟରୁ ଅନ୍ୟତମ ପାଲଟିଛି । ଏହାବ୍ୟତୀତ କମ୍ପାନି ଭାରତରେ ସବୁଠୁ ବୃହତ୍‌ ବିଦେଶୀ ନିବେଶକ ଏବଂ ଇ-କମର୍ସ ରପ୍ତାନିକୁ ପ୍ରୋତ୍ସାହନ ଦେବାରେ ସର୍ବବୃହତ୍‌ କମ୍ପାନି ମଧ୍ୟ । ବୈଠକ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ଏକ୍ସ ପୋଷ୍ଟରେ କହିଛନ୍ତି ଯେ, ଭାରତରେ ଆମାଜନ୍‌ର ରେକର୍ଡ ୪୮ ବିଲିୟନ ଡଲାର ନିବେଶକୁ ସ୍ୱାଗତ । ଏହା ଆମ ଯୁବପିଢ଼ିଙ୍କ ପାଇଁ ବିପୁଳ ସମ୍ଭାବନା ସୃଷ୍ଟି କରିବ । ଏହାସହିତ ଭାରତରେ ନିବେଶ କରିବା ପାଇଁ ବିଶ୍ୱସ୍ତରୀୟ କମ୍ପାନିଗୁଡ଼ିକର ଆଗ୍ରହ ସ୍ପଷ୍ଟ ଜଣାପଡୁଛି ।