Snana Purnima: ସୋମବାର ଶ୍ରୀବିଗ୍ରହଙ୍କ ସ୍ନାନ ଯାତ୍ରା, ପ୍ରସ୍ତୁତ ହେଉଛି ବିଜେ ତୂଳୀ, ଶ୍ରୀପୟର ତୂଳୀ

Jun 26, 2026 - 12:59
Snana Purnima: ସୋମବାର ଶ୍ରୀବିଗ୍ରହଙ୍କ ସ୍ନାନ ଯାତ୍ରା, ପ୍ରସ୍ତୁତ ହେଉଛି ବିଜେ ତୂଳୀ, ଶ୍ରୀପୟର ତୂଳୀ

ପୁରୀ,୨୬/୦୬: ଦେବସ୍ନାନ ପୂର୍ଣ୍ଣିମାକୁ  ମଝିରେ ରହିଲା ମାତ୍ର ୨ ଦିନ । ସୋମବାର ଶ୍ରୀବିଗ୍ରହ ପହଣ୍ଡି ହୋଇ ସ୍ନାନବେଦିରେ ବିଜେ ହେବେ । ସ୍ୱତନ୍ତ୍ର ବସ୍ତ୍ର ଲାଗି ହୋଇ ଠାକୁରଙ୍କ ପହଣ୍ଡି ହେବ । ଏଣୁ ପାରମ୍ପରିକ ଦର୍ଜୀ ସେବକ ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଠାକୁରଙ୍କ ପାଇଁ ଶ୍ରୀପୟର ତୂଳୀ, ବିଜେ ତୂଳୀ, ନଳୀଭୂଜ ଓ  ନାରା ଆଦି ବିଶେଷ ପୋଷାକ ପ୍ରସ୍ତୁତ ହେଉଛି ।  ଦର୍ଜୀ ସେବକ ପ୍ରକାଶ ମହାପାତ୍ରଙ୍କ ତତ୍ତ୍ୱାବଧାନରେ  ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଚାଲିଛି ଏହି କାମ ।  ଦେଉଳକରଣଙ୍କ ପରାମର୍ଶ ଅନୁସାରେ ଦର୍ଜୀ ସେବକମାନେ ଠାକୁରଙ୍କ ଆବଶ୍ୟକ ପୋଷାକ  ତିଆରୁଛନ୍ତି ।

​​​​​​​

ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା, ଶ୍ରୀଜଗନ୍ନାଥ ଓ  ଶ୍ରୀସୁଦର୍ଶନଙ୍କ ପାଇଁ ବିଜେତୂଳୀ ପ୍ରସ୍ତୁତ ହେଉଛି ।  ଚକା ଛାଡ଼ି ପହଣ୍ଡି ହୋଇ ଯିବା ସମୟରେ ଠାକୁରେ  ବିଜେତୂଳୀ ଉପରେ ବିରାଜମାନ ହେବେ ।  ଶ୍ରୀପୟର ତୂଳୀ ଠାକୁରଙ୍କ ଶ୍ରୀଅଙ୍ଗକୁ ଆଘାତ  ନହେବା ପାଇଁ ଲାଗି କରାଯାଏ । ବଡ଼ଠାକୁର  ଶ୍ରୀବଳଭଦ୍ର ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଇ ଦୁଇଟି ଶ୍ରୀପୟର ତୂଳୀ ପ୍ରସ୍ତୁତ ହେଉଛି ।  ଗୋଲାକୃତି ଏହି ବସ୍ତ୍ର । ଶ୍ରୀହସ୍ତମାନଙ୍କ ପାଇଁ  ନଳୀଭୁଜ ତିଆରି ହେଉଛି । ଦାରୁ ଦେବତାଙ୍କ  ପାଇଁ ଗଡ଼ାକନାର ବସ୍ତ୍ର କରାଯାଇ କମରପଟି  ଦେଇ ନାରା ସାହାଯ୍ୟରେ ରୁନ୍ଧାଯିବ ।

ଅଧିକ ପଢ଼ନ୍ତୁ :- Champaka Dwadashi: ଋକ୍ମିଣୀଙ୍କ ହାତ ଧରିଲେ ମହାପ୍ରଭୁ, ଚମ୍ପକ ଦ୍ୱାଦଶୀରେ ନଗର ପରିକ୍ରମା କରିବେ ଦେବଦମ୍ପତି

ଏଥିସହ ୧୬ ହାତିଆ, ୧୨ ହାତିଆ ଧଳା  ଗଡ଼ାକନା ଓ ପତନୀକନାରେ ପ୍ରସ୍ତୁତ ହେଉଛ ଏସବୁ ସ୍ୱତନ୍ତ୍ର ପୋଷାକ । ଧଳା କନାରେ ନାଲି  ଧଡ଼ି ଥାଇ ସୂତାକୁଟା ବ୍ୟବହାର କରାଯାଉଛି ।  ଧଳା କନାରେ ଅଳତା ବୁଡ଼ାଇ ଶୁଖା ଗଲାପରେ  କୁସୁମୀ ବସ୍ତ୍ର ପ୍ରସ୍ତୁତ ହୁଏ । ପାରମ୍ପରିକ ଶୈଳୀରେ  ୩ ଠାକୁରଙ୍କ ପାଇଁ ବସ୍ତ୍ର ତିଆରି ହେଉଛି । ଏହାକୁ  ଅତି ଶୁଦ୍ଧପୂତ ଭାବେ ତିଆରି କରାଯାଉଛି ।  ଶୁକ୍ରବାର ସ୍ନାନ ମଣ୍ଡପ ପାଇଁ ଚାନ୍ଦୁଆ ମରାମତି  କରାଯିବ । ସ୍ନାନମଣ୍ଡପରେ ୧୪ଟି ଚାନ୍ଦୁଆ ଲାଗୁଥିବା  ଶ୍ରୀ ମହାପାତ୍ର କହିଛନ୍ତି ।