ରାଜସ୍ଥାନ ପଞ୍ଚାୟତ ନିର୍ବାଚନରେ କଂଗ୍ରେସର ବଡ଼ ସଫଳତା, ବିଜେପିକୁ ଗ୍ରାମାଞ୍ଚଳରେ ଝଟ୍‌କା

Nov 21, 2026 - 14:56
ରାଜସ୍ଥାନ ପଞ୍ଚାୟତ ନିର୍ବାଚନରେ କଂଗ୍ରେସର ବଡ଼ ସଫଳତା, ବିଜେପିକୁ ଗ୍ରାମାଞ୍ଚଳରେ ଝଟ୍‌କା

ଜୟପୁର: ସହରାଞ୍ଚଳ ନିର୍ବାଚନରେ ବିଜୟର ବାନା ଉଡ଼ାଇଥିବା ବିଜେପିକୁ ଗ୍ରାମାଞ୍ଚଳରେ ଲାଗିଛି ବଡ଼ ଝଟ୍‌କା। ରାଜସ୍ଥାନ ପଞ୍ଚାୟତ ନିର୍ବାଚନରେ କଂଗ୍ରେସ ଉଲ୍ଲେଖନୀୟ ସଫଳତା ହାସଲ କରି ଶାସକ ବିଜେପିକୁ ପଛରେ ପକାଇ ଦେଇଛି। ବିଶେଷକରି ବିଜେପିର ବହୁ ମନ୍ତ୍ରୀ ଓ ପ୍ରଭାବଶାଳୀ ନେତାଙ୍କ ନିଜ ଅଞ୍ଚଳରେ ଦଳର ପ୍ରାର୍ଥୀ ପରାଜୟବରଣ କରିବା ରାଜ୍ୟ ରାଜନୀତିରେ ଚର୍ଚ୍ଚାର ବିଷୟ ହୋଇଛି। ନିର୍ବାଚନ ଫଳାଫଳ ଅନୁଯାୟୀ, ମୋଟ ୧,୨୭୧ଟି ଜିଲ୍ଲା ପରିଷଦ ଆସନରୁ କଂଗ୍ରେସ ୭୯୪ଟି ଆସନ ହାତେଇଛି। ସେହିପରି ୭,୫୨୦ଟି ପଞ୍ଚାୟତ ସମିତି ଆସନରୁ ୩,୭୫୮ଟିରେ ବିଜୟୀ ହୋଇଛି। ଅନ୍ୟପକ୍ଷରେ ବିଜେପି ୩୫୭ଟି ଜିଲ୍ଲା ପରିଷଦ ଓ ୨,୨୧୩ଟି ପଞ୍ଚାୟତ ସମିତି ଆସନ ହାସଲ କରିଛି। ହନୁମାନ ବେନିୱାଲଙ୍କ ରାଷ୍ଟ୍ରୀୟ ଲୋକତାନ୍ତ୍ରିକ ପାର୍ଟି (ଆରଏଲ୍‌ପି) ମଧ୍ୟ ୫୧ଟି ଜିଲ୍ଲା ପରିଷଦ ଓ ୪୯୭ଟି ପଞ୍ଚାୟତ ସମିତି ଆସନ ଜିତି ନିଜର ଉପସ୍ଥିତି ଜାହିର କରିଛି। ଏହି ନିର୍ବାଚନରେ ଉପମୁଖ୍ୟମନ୍ତ୍ରୀ ପ୍ରେମଚାନ୍ଦ ବୈରୱାଙ୍କ ଦୁଦୁ ନିର୍ବାଚନମଣ୍ଡଳୀ, ସ୍ୱାସ୍ଥ୍ୟମନ୍ତ୍ରୀ ଗଜେନ୍ଦ୍ର ସିଂହ ଖିନଭସରଙ୍କ ଲୋହାୱତ ଏବଂ କୃଷିମନ୍ତ୍ରୀ କିରୋଡ଼ି ଲାଲ ମୀନାଙ୍କ ସୱାଇ ମାଧୋପୁର ଅଞ୍ଚଳରେ ବିଜେପିକୁ ପରାଜୟର ସାମ୍ନା କରିବାକୁ ପଡ଼ିଛି। ସେହିପରି ନଗର ଉନ୍ନୟନ ଓ ଗୃହନିର୍ମାଣ ମନ୍ତ୍ରୀ ଝାବର ସିଂହ ଖରାଙ୍କ ପରିବାର ସଦସ୍ୟ ମଧ୍ୟ ନିର୍ବାଚନରେ ହାରିଛନ୍ତି। ତେବେ ପୂର୍ବତନ ବିଜେପି ମନ୍ତ୍ରୀ ରାଜେନ୍ଦ୍ର ରାଠୋରଙ୍କ ପୁଅ ଓ ବୋହୂ ବିଜୟୀ ହୋଇଛନ୍ତି। ମୋଟ ୧୭ ଜଣ ରାଜ୍ୟ ମନ୍ତ୍ରୀ ଓ ୩ ଜଣ କେନ୍ଦ୍ରମନ୍ତ୍ରୀ ନିଜ ପ୍ରଭାବ ଥିବା ଅଞ୍ଚଳରେ ଆଶାନୁରୂପ ସଫଳତା ପାଇନାହାନ୍ତି। ଗ୍ରାମାଞ୍ଚଳରେ ବିଜେପି ପ୍ରତି ଅସନ୍ତୋଷର କାରଣ: ରାସ୍ତାଘାଟର ଦୁରବସ୍ଥା, ପାନୀୟ ଜଳ ସମସ୍ୟା, ବିଦ୍ୟୁତ୍‌ ଯୋଗାଣ, ଜବରଦଖଲ ଏବଂ ସାଧାରଣ ଉନ୍ନୟନମୂଳକ କାମରେ ବିଳମ୍ବ ଭଳି ସ୍ଥାନୀୟ ପ୍ରସଙ୍ଗ ଭୋଟରଙ୍କ ମତଦାନକୁ ପ୍ରଭାବିତ କରିଥିବା କୁହାଯାଉଛି। ଏଥିସହ ସ୍ଥାନୀୟ ନେତା ଓ ଜନପ୍ରତିନିଧିଙ୍କ ପ୍ରତି ଅସନ୍ତୋଷ ମଧ୍ୟ ବିଜେପିର ପରାଜୟର ଅନ୍ୟତମ କାରଣ ହୋଇଥାଇପାରେ। ଫଳାଫଳକୁ ନେଇ କଂଗ୍ରେସ ଏହାକୁ ବିଜେପି ସରକାରଙ୍କ ଶାସନ ବିରୋଧରେ ଜନମତ ବୋଲି କହିଛି। ଅନ୍ୟପକ୍ଷରେ ବିଜେପି ରାଜ୍ୟ ସଭାପତି ମଦନ ରାଠୋର କଂଗ୍ରେସ ମିଥ୍ୟା ପ୍ରଚାର କରି ନିର୍ବାଚନ ଲଢ଼ିଥିବା ଅଭିଯୋଗ କରିଛନ୍ତି। ନଭେମ୍ବର ୨୫ରେ ଜିଲ୍ଲା ପ୍ରମୁଖ ଏବଂ ନଭେମ୍ବର ୨୭ରେ ପଞ୍ଚାୟତ ସମିତି ପ୍ରଧାନ ନିର୍ବାଚନ ହେବ। ତେଣୁ ଏହି ନିର୍ବାଚନରେ କିଏ ଅଧିକ ପଦ ହାତେଇବ, ତାହା ଉପରେ ଏବେ ରାଜନୈତିକ ମହଲର ନଜର ରହିଛି। ଏହି ଫଳାଫଳ ୨୦୨୮ ବିଧାନସଭା ନିର୍ବାଚନର ସିଧାସଳଖ ସଙ୍କେତ ନୁହେଁ, କିନ୍ତୁ ରାଜସ୍ଥାନର ଗ୍ରାମାଞ୍ଚଳ ରାଜନୀତିରେ ଦୁଇ ପ୍ରମୁଖ ଦଳ ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଜନମତ ଭାବେ ଦେଖାଯାଉଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)